ମୁମ୍ବାଇ: ଫୋନ୍‌ ଟ୍ୟାପିଂ ଏବଂ ଡାଟା ଲିକ୍‌ ମାମଲାରେ ସିବିଆଇ ମୁଖ୍ୟ ସୁବୋଧ କୁମାର ଜୟସୱାଲଙ୍କୁ ତଦନ୍ତର ପରିସରଭୁକ୍ତ କରି ତାଙ୍କ ନିକଟକୁ ଆଜି ସମନ ପଠାଇଛି ମୁମ୍ବାଇ ପୁଲିସ୍‌। ଆସନ୍ତା ଗୁରୁବାର ଦିନ ହାଜର ହେବାକୁ ତାଙ୍କୁ ଏକ ଇ-ମେଲ ମାଧ୍ୟମରେ ସମନ ପଠା ଯାଇଛି ବୋଲି ମୁମ୍ବାଇ ପୁଲିସ କହିଛି।

Advertisment

ଆଇପିଏସ୍‌ ଅଧିକାରୀ ରଶ୍ମି ଶୁକ୍ଲା ରାଜ୍ୟ ଗଇନ୍ଦା ବିଭାଗର ମୁଖ୍ୟ ଥିବାବେଳେ ମହାରାଷ୍ଟ୍ରର ପୁଲିସ୍‌ ବିଭାଗରେ ବଦଳି ସମୟରେ ହୋଇଥିବା ଦୁର୍ନୀତି ସମ୍ପର୍କରେ ପ୍ରସ୍ତୁତ ଏକ ତଦନ୍ତ ରିପୋର୍ଟର ‘ଲିକ୍‌’ ସହିତ ଏହି ମାମଲା ଜଡିତ। ଏହି ସମୟରେ ଶ୍ରୀ ଜୟସୱାଲ ରାଜ୍ୟ ପୁଲିସର ମହାନିର୍ଦ୍ଦେଶକ ଥିଲେ। ଅଭିଯୋଗ ହୋଇଥିଲା ଯେ ତଦନ୍ତ ସମୟରେ ବରିଷ୍ଠ ରାଜନେତା ଏବଂ ଅଧିକାରୀଙ୍କ ଫୋନକୁ ବେଆଇନ ଭାବେ ଟ୍ୟାପ୍‌ କରାଯାଇଥିଲା ଏବଂ ରିପୋର୍ଟଟିକୁ ସୁଚିନ୍ତିତ ଭାବେ ‘ଲିକ୍‌’ କରା ଯାଇଥିଲା। କିନ୍ତୁ ସାଇବର ସେଲ୍‌ ଦ୍ୱାରା ଏ ସଂପର୍କରେ ପଞ୍ଜିକୃତ ହୋଇଥିବା ଏଫ୍‌ଆଇଆର୍‌ରେ ଶ୍ରୀ ଶୁକ୍ଲା କିମ୍ବା ଅନ୍ୟ କୌଣସି ଅଧିକାରୀଙ୍କ ନାମ ନାହିଁ।

ଉଲ୍ଲେଖଯୋଗ୍ୟ, ମହାରାଷ୍ଟ୍ର କ୍ୟାଡରର ୧୯୮୫ ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀ ଶ୍ରୀ ଜୟସୱାଲ ଚଳିତ ବର୍ଷ ମେ ମାସରେ ଦୁଇ ବର୍ଷ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ମୁଖ୍ୟ ଭାବରେ ନିଯୁକ୍ତ ହୋଇଛନ୍ତି। ପୂର୍ବରୁ ସେ ମୁମ୍ବାଇ ପୁଲିସରେ ସର୍ବୋଚ୍ଚ ପଦବିରେ ଅବସ୍ଥାପିତ ହୋଇଥିଲେ ଏବଂ ପରବର୍ତ୍ତୀ ସମୟରେ ମହାରାଷ୍ଟ୍ରର ପୁଲିସ ମୁଖ୍ୟ ଥିଲେ।