ଉନ୍ନାଓ ବିଧାୟକ କୁଳଦୀପ ସିଂହ ସେଙ୍ଗାରଙ୍କ ବିରୋଧରେ ଦୁଷ୍କର୍ମ ମାମଲା ନିଶ୍ଚିତ କଲା ସିବିଆଇ

ନୂଆଦିଲ୍ଲୀ: ଉନ୍ନାଓ ଗଣଦୁଷ୍କର୍ମ ମାମଲାର ପୀଡ଼ିତାଙ୍କ ଅଭିଯୋଗ ସତ୍ୟ ବୋଲି ତଦନ୍ତ କରି ସିବିଆଇ ନିଶ୍ଚିତ କରିଛି। ଅଭିଯୋଗ ଅନୁସାରେ, ବିଜେପି ବିଧାୟକ କୁଳଦୀପ ସିଂହ ସେଙ୍ଗାର୍‌ ପୀଡ଼ିତାଙ୍କ ସହ ଗତବର୍ଷ ଜୁନ୍‌ ୪ ତାରିଖ ଦିନ ଉତ୍ତରପ୍ରଦେଶ ଅନ୍ତର୍ଗତ ମାଖି ଗାଁ’ରେ ଥିବା ନିଜ ଘରେ ଦୁଷ୍କର୍ମ କରୁଥିବା ବେଳେ ତାଙ୍କର ମହିଳା ସହଯୋଗୀ ଶଶି ସିଂହ କୋଠରି ବାହାରେ ଠିଆ ହୋଇ ଜଗିଥିଲେ।

ଉତ୍ତର ପ୍ରଦେଶ ବଙ୍ଗରମାଉର ବିଧାୟକ ସେଙ୍ଗାର୍‌ ଅନ୍ୟତମ ଦୁଷ୍କର୍ମକାରୀ ବୋଲି ପୀଡ଼ିତା ଥରକୁ ଥର କହିବା ସତ୍ତ୍ୱେ ସ୍ଥାନୀୟ ପୁଲିସ ବିଧାୟକ ଏବଂ କେତେକ ଅଭିଯୁକ୍ତଙ୍କୁ ଜୁନ୍‌ ୨୦ ତାରିଖ ଯାଏଁ ଏଫ୍‌ଆଇଆର୍‌ଭୁକ୍ତ କରି ନ ଥିଲା ଏବଂ ପରେ ଚାର୍ଜସିଟ୍‌ ଫାଇଲ୍‌ କରିଥିଲା।

ସିବିଆଇ ମାଜିଷ୍ଟ୍ରେଟ୍‌ଙ୍କ ସାମ୍ନାରେ ପୀଡ଼ିତାଙ୍କ ବୟାନ ଗ୍ରହଣ କରିଥିଲା। ଜଣେ ସିବିଆଇ ଅଧିକାରୀ କହିଛନ୍ତି ଯେ ପୁଲିସ ଜାଣିଶୁଣି ଯୁବତୀଙ୍କ ଡାକ୍ତରୀ ମାଇନାରେ ବିଳମ୍ବ କରିଥିଲା। ଫୋରେନ୍‌ସିକ୍‌ ଲାବୋରାଟରିକୁ ତା’ର ଲୁଗାପଟା ଏବଂ ଅନ୍ୟାନ୍ୟ ଜିନିଷ ପଠାଇ ନ ଥିଲା।

ଏପ୍ରିଲ୍‌ ୧୩ ଓ ୧୪ ତାରିଖ ଦିନ ଗିରଫ କରାଯାଇଥିବା ସେଙ୍ଗାର, ଶଶି ସିଂହ ଏବଂ ଅନ୍ୟାନ୍ୟ ଅଭିଯୁକ୍ତଙ୍କୁ ଦୀର୍ଘ କାଳ ପଚରା ଉଚୁରା କରିଥିବା ସିବିଆଇ ଏବେ ବିଧାୟକଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସର ସମ୍ପୃକ୍ତି ବିଷୟରେ ଅନୁସନ୍ଧାନ କରୁଛି।

ସମ୍ବନ୍ଧିତ ଖବର