ସିବିଆଇ ବିବାଦ:ଅନେକ ବଦଳି ଆଦେଶକୁ ବାତିଲ କଲେ ବର୍ମା

ଚୟନ କମିଟି ବୈଠକରୁ ପ୍ରଧାନ ବିଚାରପତି ଓହରିଲେ

ନୂଆଦିଲ୍ଲୀ: ସୁପ୍ରିମ୍‌ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ସିବିଆଇ ମୁଖ୍ୟ ପଦରେ ପୁନଃ ଅବସ୍ଥାପିତ ହୋଇଥିବା ଆଲୋକ ବର୍ମା ଆଜି ଦାୟିତ୍ବ ଗ୍ରହଣ କରିବାର ପ୍ରଥମ ଦିନରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ପୂର୍ବ ଅନ୍ତରୀଣ ମୁଖ୍ୟ ଏମ୍‌. ନାଗେଶ୍ବର ରାଓଙ୍କ ଦ୍ବାରା କରାଯାଇଥିବା ବଦଳି ଆଦେଶଗୁଡ଼ିକୁ ବର୍ମା ବାତିଲ କରିଦେଇଛନ୍ତି। ସୂଚନାଯୋଗ୍ୟ ବର୍ମାଙ୍କ ଟିମ୍‌ରେ ଥିବା ୧୦ ଜଣ ଅଧିକାରୀଙ୍କୁ ନାଗେଶ୍ବର ରାଓ ବଦଳି କରିଥିଲେ। ବର୍ମାଙ୍କୁ ପୁନଃ ଦାୟିତ୍ବ ମିଳିଥିଲେ ମଧ୍ୟ ସେ କୌଣସି ବଡ଼ ନିଷ୍ପତ୍ତି ନେଇପାରିବେ ନାହିଁ ବୋଲି ସୁପ୍ରିମ୍‌ କୋର୍ଟ କହିଥିଲେ। ପ୍ରଧାନମନ୍ତ୍ରୀ, ବିରୋଧୀ ଦଳ ନେତା ଏବଂ ପ୍ରଧାନ ବିଚାରପତିଙ୍କୁ ନେଇ ଗଠିତ ଚୟନ କମିଟିର ନିଷ୍ପତ୍ତି ପରେ ହିଁ ବର୍ମା ତାଙ୍କର ସ୍ବାଭାବିକ କାର୍ଯ୍ୟ କରିପାରିବେ ବୋଲି କୋର୍ଟ ସ୍ପଷ୍ଟ କରିଥିଲେ। କମିଟି ଏ ବାବଦରେ ସପ୍ତାହକ ମଧ୍ୟରେ ରିପୋର୍ଟ ଦେବେ। ଆସନ୍ତା ୩୧ ତାରିଖ ଦିନ ବର୍ମାଙ୍କ କାର୍ଯ୍ୟକାଳ ‌ସରିବ।
ବର୍ମା ୩୧ ତାରିଖ ପର୍ଯ୍ୟନ୍ତ ଦାୟିତ୍ବରେ ରହିବେ କି ନାହିଁ ତାହା ଚୟନ କମିଟି ବୈଠକରେ ନିଷ୍ପତ୍ତି ନିଆଯିବାକୁ ଥିବା ବେଳେ ପ୍ରଧାନ ବିଚାରପତି ରଂଜନ ଗୋଗଇ ଏହି ବୈଠକରୁ ଓହରି ଯାଇଛନ୍ତି। ବୈଠକରେ ଯୋଗ ଦେବାକୁ ସେ ଜଷ୍ଟିସ ଏ.କେ. ସିକ୍ରିଙ୍କ ନାମକୁ ସୁପାରିସ କରିଛନ୍ତି। ଚୟନ କମିଟି ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼୍‌ଗେ ଉପସ୍ଥିତ ରହିବେ। ତେବେ ଖଡଗେ ମଧ୍ୟ ଏହି ବୈଠକରେ ଯୋଗଦେବାକୁ ଅଧିକ ସମୟ ଲୋଡ଼ିଛନ୍ତି।

ସମ୍ବନ୍ଧିତ ଖବର