ବଢିଲା ଚିଦମ୍ବରମଙ୍କ ଅଡୁଆ : ଜେରା ପାଇଁ ଇଡିକୁ ଅନୁମତି ଦେଲେ ସିବିଆଇ କୋର୍ଟ

ନୂଆଦିଲ୍ଲୀ : ପୂର୍ବତନ ଅର୍ଥ ଓ ଗୃହମନ୍ତ୍ରୀ ପି.ଚିଦମ୍ବରମଙ୍କ ଅଡୁଆ ଦିନକୁ ଦିନ ବଢିଚାଲିଛି । ଆଇନର ଜାଲରେ ସେ ଫସିଚାଲିଛନ୍ତି । ଆଇଏନଏକ୍ସ ମିଡିଆ ମାମଲାରେ ଏନଫୋର୍ସମେଣ୍ଟ ଡାଇରୋକ୍ଟରେଟ (ଇଡି) ତାଙ୍କୁ ଜେରା କରିପାରିବ ବୋଲି ଆଜି ସିବିଆଇ କୋର୍ଟ ଅନୁମତି ଦେଇଛନ୍ତି । କୋର୍ଟ ଆହୁରି ମଧ୍ୟ କହିଛନ୍ତି ଯେ ଯଦି ଇଡି ତାଙ୍କୁ ଗିରଫ କରି ଜେରା କରିବାକୁ ଚାହୁଁଛି, ତେବେ କୋର୍ଟଙ୍କୁ ତାହାର କାରଣ ଦର୍ଶାଇ ଗିରଫ କରିପାରିବ । କୋର୍ଟଙ୍କ ନିର୍ଦ୍ଦେଶ ମିଳିବା ପରେ ଆସନ୍ତା କାଲି ଅର୍ଥାତ ବୁଧବାରଠାରୁ ଇଡି ତିହାର ଜେଲରେ ତାଙ୍କୁ ଜେରା କରିପାରିବ ।
ଗତ ଅକ୍ଟୋବର ୩ ତାରିଖରେ ସ୍ୱତନ୍ତ୍ର ସିବିଆଇ କୋର୍ଟ ତାଙ୍କ ହାଜତ ମିଆଦକୁ ଆଉ ୧୪ ଦିନ ପାଇଁ ବଢାଇଦେଇଥିଲେ । ଆସନ୍ତା ଅକ୍ଟୋବର ୧୭ ପର୍ଯ୍ୟନ୍ତ ସେ ତିହାରରେ ରହିବେ ।

ଆଇଏନଏକ୍ସ ମିଡିଆ ମାମଲାରେ ଗତ ଅଗଷ୍ଟ ୨୧ ତାରିଖରେ ସିବିଆଇ ଚିଦମ୍ବରମଙ୍କୁ ଗିରଫ କରିଥିଲା । ୨୦୦୭ରେ ଚିଦମ୍ବରମ ଅର୍ଥମନ୍ତ୍ରୀ ଥିବାବେଳେ ଆଇଏନଏକ୍ସ ମିଡିଆରେ ୩୦୫ କୋଟି ଟଙ୍କାର ବିଦେଶୀ ପୁଞ୍ଜି ନିବେଶକୁ ବିଦେଶୀ ନିବେଶ ପ୍ରୋତ୍ସାହନ ବୋର୍ଡ ବେଆଇନ ଭାବେ ଅନୁମତି ଦେଇଥିଲା । ଲାଞ୍ଚ ନେଇ ଚିଦମ୍ବରମ ଏହି ଅନୁମତି ଦେଇଥିଲେ ବୋଲି ସିବିଆଇ କହୁଛି ।

ସମ୍ବନ୍ଧିତ ଖବର