ଚିଦମ୍ବରମଙ୍କୁ ଝଟ୍‌କା; ୫ ଦିନ ସିବିଆଇ ରିମାଣ୍ଡରେ ଦେଲେ ସ୍ୱତନ୍ତ୍ର ଅଦାଲତ

ଅଧଘଣ୍ଟାର ସଂରକ୍ଷଣ ପରେ ପ୍ରକାଶ ପାଇଲା ରାୟ

ନୂଆଦିଲ୍ଲୀ: ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ହାତରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ଅର୍ଥମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି. ଚିଦମ୍ବରମଙ୍କ ରିମାଣ୍ଡ ଆବେଦନକୁ ଆଜି ପ୍ରାୟ ଦେଢ଼ ଘଣ୍ଟାର ଦୀର୍ଘ ଶୁଣାଣି ପରେ ସିବିଆଇ ଅଦାଲତ ରାୟକୁ ସାମୟିକ ଭାବେ ଅଧଘଣ୍ଟା ପାଇଁ ସଂରକ୍ଷିତ ରଖିବା ପରେ ଅବଶେଷରେ ରାୟ ଘୋଷଣା କରିଛନ୍ତି ସ୍ୱତନ୍ତ୍ର ସିବିଆଇ ଅଦାଲତର ବିଚାରପତି ଅଜୟ କୁମାର କୁହାର। ଏଥିସହ ଅଭିଯୁକ୍ତ ପୂର୍ବତନ ଅର୍ଥମନ୍ତ୍ରୀ ଚିଦମ୍ବରମଙ୍କୁ ୫ ଦିନ ପାଇଁ ରିମାଣ୍ଡରେ ନେବାକୁ ସିବିଆଇକୁ ଅନୁମତି ପ୍ରଦାନ କରିଛନ୍ତି। ତଦନ୍ତରେ ସହାୟତା କରୁ ନଥିବା ଦର୍ଶାଇ ଅଭିଯୁକ୍ତ ପି ଚିଦମ୍ବରମ୍‌ଙ୍କୁ ୫ ଦିନ ପାଇଁ ସିବିଆଇ ରିମାଣ୍ଡକୁ ନେଇ ହାଜତ ଜେରା କରିବା ପାଇଁ ଆବେଦନ କରିଥିଲା।

ଆଜି ସିବିଆଇର ସ୍ୱତନ୍ତ୍ର ଅଦାଲତରେ ଚିଦମ୍ବରମ୍‌ଙ୍କ ଶୁଣାଣି ଚାଲିଥିବା ବେଳେ କୋର୍ଟ ପରିସରରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରା ଯାଇଥିଲା। ଶୁଣାଣି କାଳରେ ଚିଦମ୍ବରମଙ୍କ ପତ୍ନୀ ନଳିନୀ ଓ ପୁତ୍ର କାର୍ତ୍ତୀ ଚିଦମ୍ବରମ ମଧ୍ୟ ଅଦାଲତରେ ଉପସ୍ଥିତ ଥିଲେ। ଅଦାଲତରେ ଚିଦମ୍ବରମଙ୍କ ପକ୍ଷରୁ ବରିଷ୍ଠ ଆଇନ୍‌ଜୀବୀ କପିଲ ଶିବଲ ଓ ଅଭିଷେକ ମନୁ ସିଂହଭୀ ମାମଲା ପରିଚାଳନା କରିଥିବା ବେଳେ ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଯୁକ୍ତି ଉପସ୍ଥାପନ କରିଥିଲେ। ଆଜିର ଶୁଣାଣି କାଳରେ ପି ଚିଦମ୍ବରମଙ୍କ ସପକ୍ଷରେ ବରିଷ୍ଠ ଆଇନ୍‌ଜୀବୀ କପିଲ ଶିବଲ ଓ ଅଭିଷେକ ମନୁ ସିଂହଭୀ ନିଜ ନିଜ ଯୁକ୍ତି ଉପସ୍ଥାପନ କରି ସାରିବା ପରେ ନିଜେ ଚିଦମ୍ବରମ୍‌ ନିଜ ପକ୍ଷ ଅଦାଲତଙ୍କ ସମ୍ମୁଖରେ ରଖିବାକୁ ଚାହିଁଥିଲେ। ହେଲେ ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଏହାର ବିରୋଧ କରିଥିଲେ। କିନ୍ତୁ, ସିବିଆଇ ବିଚାରପତି ଚିଦମ୍ବରମଙ୍କୁ ନିଜ ପକ୍ଷ ରଖିବାକୁ ଅନୁମତି ଦେଇଥିଲେ।

ଉଲ୍ଲେଖଯୋଗ୍ୟ, ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଅଭିଯୁକ୍ତ ଥିବା ପି ଚିଦମ୍ବରମଙ୍କୁ ସିବିଆଇ ଓ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଗତକାଲି ବିଳମ୍ବିତ ସନ୍ଧ୍ୟାରେ ତାଙ୍କ ବାସଭବନରୁ ଗିରଫ କରିଥିଲା। ପରେ ରାତିସାରା ତାଙ୍କୁ ଜେରା କରାଯାଇଥିଲା।

ସୂଚନାଯୋଗ୍ୟ ଦିଲ୍ଲୀ ହାଇକୋର୍ଟ ଚିଦମ୍ବରମଙ୍କ ଆଗୁଆ ଜାମିନ ଖାରଜ କରିବା ପରେ ସିବିଆଇ ଚିଦମ୍ବରମଙ୍କୁ ଗିରଫ କରିବା ପାଇଁ ଖୋଜୁଥିଲା। ତାଙ୍କ ବିରୋଧରେ ଇଡି ଏବଂ ସିବିଆଇ ଲୁକ୍‌ଆଉଟ୍‌ ନୋଟିସ୍‌ ମଧ୍ୟ ଜାରି କରିଥିଲେ। ଅନ୍ୟପକ୍ଷରେ ଚିଦମ୍ବରମଙ୍କୁ ସୁପ୍ରିମ୍‌ କୋର୍ଟରୁ ମଧ୍ୟ କେଣସି ଆଶ୍ୱସ୍ତି ମିଳି ନଥିଲା। ତାଙ୍କର ଆଗୁଆ ଜାମିନ ଆବେଦନକୁ ଜରୁରୀ ଶୁଣାଣି ପାଇଁ କୋର୍ଟ ଗ୍ରହଣ କରିନଥିବା ବେଳେ ଏ ବାବଦରେ ଆସନ୍ତା ଶୁକ୍ରବାର ୨୩ ତାରିଖ ଦିନ ଶୁଣାଣି ପାଇଁ ଧାର୍ଯ୍ୟ କରାଯାଇଛି।

ସମ୍ବନ୍ଧିତ ଖବର