ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲା : ଶେଷରେ ଜେଲ୍ ଗଲେ ଚିଦମ୍ବରମ

୧୯ ସେପ୍‌ଟେମ୍ବର ପର୍ଯ୍ୟନ୍ତ ତିହାରରେ ରହିବେ, ଆଗୁଆ ଜାମିନ ଆବେଦନ ଖାରଜ କଲେ ସୁପ୍ରିମ୍‌ କୋର୍ଟ

ନୂଆଦିଲ୍ଲୀ : ଆଇଏନ୍‌ଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି. ଚିଦମ୍ବରମଙ୍କୁ ତିହାର ଜେଲ ପଠାଇ ଦିଆଯାଇଛି। ସିବିଆଇ ହାଜତ ମିଆଦ ଆଜି ଶେଷ ହେବାପରେ ସ୍ବତନ୍ତ୍ର ଅଦାଲତ ଚିଦମ୍ବରମଙ୍କର ଜାମିନ ଆବେଦନକୁ ଖାରଜ କରିଦେଇ ତାଙ୍କୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ଜେଲ୍ ହାଜତକୁ ପଠାଇ ଦେଇଛନ୍ତି। ତେବେ ଜେଡ୍ ସୁରକ୍ଷା ଦୃଷ୍ଟିରୁ ଚିଦମ୍ବରମଙ୍କୁ ଜେଲର ସ୍ବତନ୍ତ୍ର ସେଲରେ ରଖାଯାଇଛି।

ଏହାସହିତ ତିହାର ଜେଲ ନ ପଠାଇବା ଲାଗି ତାଙ୍କ ଓକିଲ ଟିମ୍‌ର ସମସ୍ତ ଉଦ୍ୟମ ବ୍ୟର୍ଥ ହୋଇଛି। ୧୫ ଦିନ ଧରି ସିବିଆଇ ହାଜତରେ ଥିବା ଚିଦମ୍ବରମ ଜେଲରୁ ବର୍ତିବା ଲାଗି ଆଜି ଶେଷ ଉଦ୍ୟମ କରିଥିଲେ। କୋର୍ଟରେ ସେ ଅନୁରୋଧ କରିଥିଲେ ଯେ ଏହି ମାମଲାରେ ପ୍ରବର୍ତନ ନିର୍ଦେଶାଳୟ (ଇଡି) ତାଙ୍କୁ ନିଜ ହାଜତକୁ ନେଉ। କିନ୍ତୁ ଇଡି ଆଜି ତାଙ୍କୁ ଗିରଫ କରିବା ଲାଗି ଆଗ୍ରହ ପ୍ରକାଶ କରିନଥିଲା। ତେଣୁ ସ୍ବତନ୍ତ୍ର ବିଚାରପତିଙ୍କ ହାତରେ ଦୁଇଟି ବିକଳ୍ପ ଥିଲା। ଜାମିନ ଦେ‌େବ, ନହେଲେ ଜେଲ ପଠାଇବେ। ଶେଷରେ ବିଚାରପତି ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇ ଜେଲ ହାଜତକୁ ପଠାଇଦେଇଥିଲେ।

ଆଜି ସିବିଆଇ ଅଦାଲତରେ ଜାମିନ ଶୁଣାଣି ବେଳେ ଜେଲ ହାଜତକୁ ଜୋର୍‌ଦାର ବିରୋଧ କରିଥିଲେ ଚିଦମ୍ବରମଙ୍କ ଓକିଲ କପିଲ ସିବଲ। କହିଥିଲେ ଚିଦମ୍ବରମଙ୍କ ବିରୋଧରେ ଏ ପର୍ଯ୍ୟନ୍ତ ପ୍ରମାଣ ନଷ୍ଟ କରିବା ସଂକ୍ରାନ୍ତ କୌଣସି ଅଭିଯୋଗ ନାହିଁ। ରିମାଣ୍ଡ ସମୟରେ ସେ ସିବିଆଇର ସମସ୍ତ ପ୍ରଶ୍ନର ଜବାବ ଦେଇଥିବାରୁ ତାଙ୍କୁ ଜାମିନ ମିଳିବା ଆବଶ୍ୟକ ବୋଲି ସେ ଯୁକ୍ତି କରିଥିଲେ। ଚିଦମ୍ବରମ କୋର୍ଟରେ କହିଥିଲେ, ମୁଁ କେବେ ବି ଦସ୍ତାବିଜରେ ଜାଲିଆତି କିମ୍ବା ସାକ୍ଷୀମାନଙ୍କୁ ପ୍ରଭାବିତ କରିବାକୁ ପ୍ରୟାସ କରିନାହିଁ। ସିବିଆଇ ଏବେ ସବୁ ପ୍ରଶ୍ନ ପଚାରି ସାରିଥିବାରୁ ମୁଁ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ହାଜତକୁ ଯିବାକୁ ଚାହୁଛି। ତେବେ ବିଚାରପତି ଚିଦମ୍ବରମଙ୍କ ଏହି ଯୁକ୍ତିକୁ ଗ୍ରହଣ କରିନଥିଲେ। ସିବିଆଇ ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟା କହିଥିଲେ ଯେ ଯଦି ଚିଦମ୍ବରମଙ୍କୁ ଜାମିନ ମିଳିବ, ତାହେଲେ ସେ ପ୍ରମାଣ ନଷ୍ଟ କରିବା ଭୟ ରହିଛି।

ସିବିଆଇ ଅଦାଲତର ରାୟ ଆସିବା ପୂର୍ବରୁ ଆଜି ସୁପ୍ରିମ୍‌ କୋର୍ଟ ଚିଦମ୍ବରମଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଗିରଫ କରାଯିବା ମାମଲାରେ ଆଗୁଆ ଜାମିନ ଆବେଦନକୁ ମଧ୍ୟ ଖାରଜ କରିଦେଇଥିଲେ। ଏହି ଆବେଦନ ଶୁଣାଣି ପାଇଁ ଯୋଗ୍ୟ ନୁହେଁ ବୋଲି ଅଦାଲତ କହିଥିଲେ। ଆର୍ଥିକ ଅପରାଧ ମାମଲାରେ ଆଗୁଆ ଜାମିନ ଦିଆଯାଇ ନଥାଏ ବୋଲି ସୁପ୍ରିମ୍‌କୋର୍ଟ କହିଥିଲେ।

ଆଜି ସନ୍ଧ୍ୟାରେ ଚିଦମ୍ବରମଙ୍କୁ ତିହାର ଜେଲ୍‌ ନିଆଯାଇଛି। ଜେଲ ଅଧିକାରୀଙ୍କ ସୂଚନା ମୁତାବକ ଚିଦମ୍ବରମଙ୍କ ପାଇଁ ସ୍ବତନ୍ତ୍ର ସେଲ୍‌ରେ ଖଟ ବ୍ୟବସ୍ଥା ରହିଛି। ତାଙ୍କୁ ନିଜର ଔଷଧ ନେବାଲାଗି ମଧ୍ୟ ଅନୁମତି ମିଳିଛି। ତାଙ୍କୁ ଆଜି ରାତିରେ ରୁଟି, ଡାଲି ଏବଂ ତରକାରୀ ଦିଆଯିବ। ଚିଦମ୍ବରମଙ୍କୁ ଜେଲ୍‌ ନମ୍ବର ୭ରେ ରଖାଯିବ ବୋଲି ଜେଲ୍‌ ମହାନିର୍ଦ୍ଦେଶକ ସନ୍ଦୀପ ଗୋଏଲ କହିଛନ୍ତି। ଏହି ଜେଲ୍‌ରେ ଆର୍ଥିକ ଅପରାଧ ସହିତ ସଂପୃକ୍ତ ବ୍ୟକ୍ତିଙ୍କୁ ରଖାଯାଉଥିବା ଜଣାପଡ଼ିଛି। ଚିଦମ୍ବରମଙ୍କ ପୁଅ କାର୍ତ୍ତି ଚିଦମ୍ବରମଙ୍କୁ ମଧ୍ୟ ଜେଲ୍‌ ନଂ ୭ରେ ରଖାଯାଇଥିଲା।

ଏୟାରସେଲ୍‌-ମାକ୍ସିସ ମାମଲାରେ ଚିଦମ୍ବରମ ଏବଂ କାର୍ତ୍ତିଙ୍କୁ ଜାମିନ
ତେବେ ଚିଦମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତିଙ୍କୁ ଦିଲ୍ଲୀର ଏକ ଅଦାଲତ ଆଜି ଏୟାରସେଲ ମାକ୍ସିସ ମାମଲାରେ ଜାମିନ ପ୍ରଦାନ କରିଛନ୍ତି। ୩୫୦୦ କୋଟି ଟଙ୍କାର ଏହି ମାମଲାରେ ଜାମିନ ମିଳିବା ଉଭୟ ପିତା-ପୁତ୍ରଙ୍କ ପାଇଁ ସାମାନ୍ୟ ଆଶ୍ବସ୍ତି ଆଣିଦେଇଛି।

ସମ୍ବନ୍ଧିତ ଖବର