ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ନିର୍ଦ୍ଦେଶକ ନିଯୁକ୍ତି ଲାଗି ଉଚ୍ଚସ୍ତରୀୟ ଚୟନ କମିଟି ବୈଠକ ଆସନ୍ତା ଜାନୁଆରି ୨୪ ତାରିଖରେ ବସିବା ସ୍ଥିର ହୋଇଛି। ଏହି କମିଟିରେ ପ୍ରଧାନମନ୍ତ୍ରୀ ଅଧ୍ୟକ୍ଷ ଥିବା ବେଳେ ସୁପ୍ରିମ୍କୋର୍ଟର ମୁଖ୍ୟବିଚାରପତି ଓ ବିରୋଧିଦଳ ନେତା ସଦସ୍ୟ ରହିଛନ୍ତି।
ମିଳିଥିବା ସୂଚନା ଅନୁସାରେ,ସରକାରଙ୍କ ପକ୍ଷରୁ ଜାନୁଆରି ୨୧ରେ ଏହି ବୈଠକ ହେବାକୁ ପ୍ରାଥମିକ ନିଷ୍ପତ୍ତି ହୋଇଥିବା ବେଳେ ଲୋକସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ୍ଗେଙ୍କ ପ୍ରସ୍ତାବ କ୍ରମେ ୨୪ ତାରିଖକୁ ଘୁଞ୍ଚାଇ ଦିଆଯାଇଛି।
ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ପଦରୁ ହଟାଇବା ପରେ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ଏମ୍.ନାଗେଶ୍ୱର ରାଓଙ୍କୁ ନିଯୁକ୍ତି ଦିଆଯାଇଥିଲା। ମାତ୍ର ଏହାକୁ ନେଇ କଂଗ୍ରେସ ଅସନ୍ତୋଷ ବ୍ୟକ୍ତ କରିବା ସହ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକ ନିଯୁକ୍ତିକୁ ସରକାର ଏଡାଉଛନ୍ତି ବୋଲି ଅଭିଯୋଗ କରିଥିଲା।
ଅନ୍ୟପକ୍ଷରେ ନାଗେଶ୍ୱର ରାଓଙ୍କ ନିଯୁକ୍ତିକୁ ସୁପ୍ରିମ୍କୋର୍ଟରେ ମଧ୍ୟ ଏକ ସ୍ୱେଚ୍ଛାସେବୀ ସଂଗଠନ ପକ୍ଷରୁ ଚାଲେଞ୍ଜ କରାଯାଇଛି।