ସିବିଆଇ ସଙ୍କଟର ବର୍ଷ

ସୁପ୍ରିମ୍‌ କୋର୍ଟରେ ‘ବିଦ୍ରୋହ’, ସମଲିଙ୍ଗୀ ସଂପର୍କ ନେଇ ଐତିହାସିକ ରାୟ

୨୦୧୮ର ଅନ୍ୟତମ ବଡ଼ ଚର୍ଚ୍ଚିତ ପ୍ରସଙ୍ଗ ଥିଲା ସିବିଆଇ ସଙ୍କଟ। ‌େଦଶର ସବୁଠୁ ଗୁରୁତ୍ବପୂର୍ଣ୍ଣ ତଦନ୍ତକାରୀ ଏଜେନ୍ସି ସିବିଆଇରେ କଳଙ୍କର ଛିଟା ଲାଗିବା ପରେ ହଇଚଇ ସୃଷ୍ଟି ହୋଇଥିଲା। ସଙ୍ଗିନ୍‌ ଲାଞ୍ଚ ମାମଲାରେ ଏହାର ଏକନମ୍ବର ଓ ଦୁଇନମ୍ବର ଅଧିକାରୀଙ୍କ ବିରୋଧରେ ଗୁରୁତର ଅଭିଯୋଗ କୋର୍ଟରେ ବିଚାରାଧୀନ ରହିଛି। ଏଭଳି ପରିସ୍ଥିତିରେ ସିବିଆଇକୁ ନେଇ ଲୋକଙ୍କ ମନରେ ଯେମିତି କୌଣସି ନକାରାତ୍ମକ ଭାବନା ସୃଷ୍ଟି ନହୁଏ, ସେଥିପାଇଁ କେନ୍ଦ୍ର ସରକାର ରାତିଅଧିଆ କାର୍ଯ୍ୟାନୁଷ୍ଠାନ ନେଇ ସିବିଆଇର ବିଶ୍ବସନୀୟ ଛବିକୁ ପୂର୍ବବତ୍‌ ବଳବତ୍ତର ରଖିବାକୁ ପ୍ରୟାସ କରିଥିଲେ। ପ୍ରଥମ ପ୍ରୟାସ ସ୍ବରୂପ ସରକାର ଲାଞ୍ଚ ମାମଲାରେ ଫସିଥିବା ଏଜେନ୍ସିର ସ୍ବତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନା ଏବଂ ଲାଞ୍ଚ ମାମଲାକୁ ନେଇ ବିବାଦୀୟ ହୋଇପଡ଼ିଥିବା ନିର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇଦେଇଥିଲେ। ଏଥିସହ ୧୩ ଜଣ ଅଧିକାରୀଙ୍କୁ ବଦଳି କରାଯାଇଥିଲା। ସିବିଆଇରୁ ଦୁଇ ପ୍ରମୁଖ ପଦବିଧାରୀ ଅଧିକାରୀଙ୍କୁ ଛୁଟିରେ ପଠାଇବା ପରେ ସରକାର ଏମ୍‌ ନାଗେଶ୍ବର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲେ। ଅସ୍ଥାନା ସିଭିସି ନିକଟରେ ଆଲୋକ ବର୍ମାଙ୍କ ନିକଟରେ ଅଭିଯୋଗ କରିଥିଲେ। ବ୍ୟବସାୟୀ ସତୀଶ ସନାଙ୍କ ନିକଟରୁ ସେ ୨ କୋଟି ଟଙ୍କା ଲାଞ୍ଚ ନେଇଥିବା ଅସ୍ଥାନା କହିଥିଲେ।

ସୁପ୍ରିମ୍‌ କୋର୍ଟରେ ‘ବିଦ୍ରୋହ’

ସ୍ବାଧୀନ ଭାରତର ନ୍ୟାୟିକ ଇତିହାସରେ ପ୍ରଥମ ଥର ପାଇଁ ସୁପ୍ରିମ୍‌ କୋର୍ଟର ୪ ଜଣ ବରିଷ୍ଠ ବିଚାରପତି ଜାନୁଆରି ୧୨ ତାରିଖରେ ସାମ୍ବାଦିକ ସମ୍ମିଳନୀ ଡକାଇ ପ୍ରଧାନ ବିଚାରପତିଙ୍କ ପ୍ରଶାସନିକ କାର୍ଯ୍ୟଶୈଳୀକୁ ଜୋର‌୍‌ଦାର ବିରୋଧ କରିବା ଘଟଣା ଆଇନ ବିଶେଷଜ୍ଞ ମହଲରେ ଆଲୋଡ଼ନ ସୃଷ୍ଟି କରିଥିଲା। ସୁପ୍ରିମ୍‌ କୋର୍ଟର ନ୍ୟାୟିକ ପ୍ରଶାସନରେ ଅନେକ ଅନିୟମିତତା ହେଉଥିବା ଏବଂ ଏହାର ସୁଧାର ପାଇଁ ସେମାନଙ୍କ ଅନୁରୋଧକୁ ପ୍ରଧାନ ବିଚାରପତି କର୍ଣ୍ଣପାତ କରିନଥିବା ଅଭିଯୋଗ ଆଣି ଜଷ୍ଟିସ କୁରିଏନ୍‌ ଯୋଶେଫ୍‌, ଜଷ୍ଟିସ୍ ଚେଲମେଶ୍ବର, ଜଷ୍ଟିସ ରଂଜନ ଗୋଗଇ ଏବଂ ଜଷ୍ଟିସ ଏମ.ବି. ଲୋକୁର ସାମ୍ବାଦିକ ସମ୍ମିଳନୀ କରିଥିଲେ।

ସମଲିଙ୍ଗୀ ସଂପର୍କ ନେଇ ଐତିହାସିକ ରାୟ

୨୦୧୮ରେ ସୁପ୍ରିମ୍‌ କୋର୍ଟ ସମଲିଙ୍ଗୀ ସଂପର୍କକୁ ନେଇ ଏକ ଐତିହାସିକ ରାୟ ଶୁଣାଇଥିଲେ। ଦୁଇଜଣ ପ୍ରାପ୍ତ ବୟସ୍କଙ୍କ ମଧ୍ୟରେ ସହମତି ଭିତ୍ତିରେ ଶାରୀରିକ ସଂପର୍କକୁ ସମ୍ବିଧାନସିଦ୍ଧ ବିବେଚନା କରାଯାଉଥିବା ବେଳେ ସମଲିଙ୍ଗୀ ସଂପର୍କ କ୍ଷେତ୍ରରେ ତାହା ଅପରାଧ ଥିଲା। ଧାରା ୩୭୭ରେ ସେହି ନିୟମ ରହିଥିଲା। ସୁପ୍ରିମ୍‌ କୋର୍ଟଙ୍କ ସମ୍ବିଧାନ ପୀଠ ଧାରା ୩୭୭କୁ ଅପରାଧମୁକ୍ତ ବୋଲି ରାୟ ଦେଇଥିଲେ।

ସମ୍ବନ୍ଧିତ ଖବର