ଉନ୍ନାଓ ଦୁଷ୍କର୍ମ ପୀଡ଼ିତାଙ୍କ ଦୁର୍ଘଟଣା ମାମଲାରେ ସେଙ୍ଗାର୍‌ଙ୍କ ବିରୋଧରେ ନରହତ୍ୟା ଚାର୍ଜ କଲା ନାହିଁ ସିବିଆଇ

ନୂଆଦିଲ୍ଲୀ: ଉନ୍ନାଓ ଦୁଷ୍କର୍ମ ପୀଡ଼ିତା ସମ୍ମୁଖୀନ ହୋଇଥିବା ସଡ଼କ ଦୁର୍ଘଟଣା ଯୋଜନାବଦ୍ଧ କାର୍ଯ୍ୟ ନୁହେଁ, ବରଂ ଡ୍ରାଇଭର୍‌ଙ୍କ ବେପରୁଆ ଟ୍ରକ୍‌ ଚାଳନା ଯୋଗୁଁ ଘଟିଛି ବୋଲି ମାମଲାର ତଦନ୍ତ କରୁଥିବା ସିବିଆଇ ଜାଣି ପାରିଛି।

ପ୍ରାୟ ଦୁଇ ମାସ ଧରି ବ୍ୟାପକ ତଦନ୍ତ କରିବା ପରେ ଶୁକ୍ରବାର ଦିନ ସିବିଆଇ ଏହି ମାମଲାର ଚାର୍ଜସିଟ୍‌ ଦାଖଲ କରିଛି, କିନ୍ତୁ ଏଥିରୁ ଉନ୍ନାଓ ବିଧାୟକ କୁଳଦୀପ ସିଂହ ସେଙ୍ଗାରଙ୍କ ବିରୋଧରେ ଥିବା ହତ୍ୟା ଉଦ୍ୟମକୁ ବାଦ ଦେଇଛି।

କିନ୍ତୁ ସେଙ୍ଗାର୍‌, ତାଙ୍କ ଭାଇ ମନୋଜ ଏବଂ ଅରୁଣ, ଉତ୍ତରପ୍ରଦେଶର ଜଣେ ମନ୍ତ୍ରୀ ଥିବା ତାଙ୍କ ଜ୍ୱାଇଁ ଅରୁଣ ସିଂହଙ୍କ ବିରୋଧରେ ଧମକ ଓ ଷଡ଼ଯନ୍ତ୍ର କରିଥିବା ଚାର୍ଜ ହୋଇଛି।

ଟ୍ରକ୍‌ ଚାଳକ ଅରୁଣ କୁମାର ପାଲ୍‌ଙ୍କ ବିରୋଧରେ ଆଇପିସି ଧାରା ୩୦୪-କ, ୩୩୮ ଏବଂ ୨୭୯ ଆଦି ଲାଗୁ କରାଯାଇଛି। ପୀଡ଼ିତାଙ୍କର ଦୁଇ ମାଉସୀ ଏହି ଦୁର୍ଘଟଣାରେ ପ୍ରାଣ ହରାଇଥିଲେ।

ଅସ୍ପଷ୍ଟ ନମ୍ବର ପ୍ଲେଟ୍‌ ଥିବା ଟ୍ରକ୍‌ଟି ରାଏ ବରେଲି ନିକଟରେ ଜୁଲାଇ ୨୮ ତାରିଖ ଦିନ ଦୁଷ୍କର୍ମ ପୀଡ଼ିତା, ତାଙ୍କ ଆତ୍ମୀୟ ଓ ଓକିଲ ଯାତ୍ରା କରୁଥିବା କାର୍‌କୁ ଧକ୍କା ଦେଇଥିଲା।

ସମ୍ବନ୍ଧିତ ଖବର