ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାର ତଦନ୍ତ ଲାଗି ୯ଟି ‘ଏଫ୍‌ଆଇଆର୍‌’ ଦାଏର କଲା ‘ସିବିଆଇ’

ନୂଆଦିଲ୍ଲୀ: କାଲ୍‌କାଟା ହାଇକୋର୍ଟଙ୍କ ନିର୍ଦେଶକ୍ରମେ ପଶ୍ଚିମବଙ୍ଗ ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡର ତଦନ୍ତ କରିବା ଲାଗି ‘ସିବିଆଇ’ ୯ଟି ‘ଏଫ୍‌ଆଇଆର୍‌’ ପଞ୍ଜିକରଣ କରିଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

ଉପରୋକ୍ତ ହିଂସାକାଣ୍ଡରେ ‘ସିବିଆଇ’ ଆହୁରି ‘ଏଫ୍‌ଆଇଆର୍‌’ ଫାଇଲ୍‌ କରିବ ବ‌ୋଲି ମଧ୍ୟ ଆଶା କରାଯାଉଛି। ଆଜି ପଶ୍ଚିମବଙ୍ଗ ପୁଲିସ ଏହି ମାମଲାର ସବିଶେଷ ବିବରଣୀ ‘ସିବିଆଇ’ ଅଧକାରୀମାନଙ୍କୁ ଅବଗତ କରାଇବାର ସମ୍ଭାବନା ରହିଛି। ଏହା ପରେ ଯାଇ ‘ସିବିଆଇ’ ଅଧିକ ‘ଏଫ୍‌ଆଇଆର୍’ ଦାଏର କରିବ।

‘ସିବିଆଇ’ ଦାଏର କରିଥିବା ୯ଟି ‘ଏଫ୍‌ଆଇଆର୍‌’ ମଧ୍ୟରୁ ଗୋଟିଏ ମାମଲା ହେଉଛି ଅଭିଜିତ ସର୍କାରଙ୍କୁ ହତ୍ୟା କରାଯାଇଛି ବୋଲି ଅଭିଯୋଗ ହେଉଥିବା ମାମଲା।

ଏହା ବ୍ୟତିରେକେ, ନିର୍ବାଚନ ପରବର୍ତ୍ତୀ ହିଂସାକାଣ୍ଡର ସରବ୍ୟ ହୋଇଥିବା ବ୍ୟକ୍ତିବିଶେଷଙ୍କ ପରିବାରବର୍ଗଙ୍କ ଠାରୁ ମଧ୍ୟ ‘ସିବିଆଇ’ ବୟାନ ରେକର୍ଡ କରିବା ଆରମ୍ଭ କରିଛି। ‘ଫୋରେନ୍‌ସିକ୍’ ବିଶେଷଜ୍ଞମାନଙ୍କ ସହ ଆଜି ‘ସିବିଆଇ’ ଅଧିକାରୀମାନେ ଅପରାଧସ୍ଥଳ ପରିଦର୍ଶନ କରିବେ ବୋଲି ଆଶା କରାଯାଉଛି।

Image Courtesy of News Track English

ପଶ୍ଚିମବଙ୍ଗରେ ଘଟିଯାଇଥିବା ନିର୍ବାଚନୋତ୍ତର ହିଂସାକାଣ୍ଡର ତଦନ୍ତ ଲାଗି ‘ସିବିଆଇ’ ସ୍ବତନ୍ତ୍ର ଟିମ୍‌ ଗଠନ କରିଛି। ‘ସିବିଆଇ’ ଗଠନ କରିଥିବା ସ୍ବତନ୍ତ୍ର ଟିମ୍‌ର ନେତୃତ୍ବ ନେଉଛନ୍ତି ଯୁଗ୍ମ ନିର୍ଦେଶକ ପାହ୍ୟାର ବରିଷ୍ଠ ଅଧିକାରୀମାନେ। ଏହାଛଡ଼ା, ସେଥିରେ ଡେପୁଟି ଇନ୍‌ସ୍‌ପେକ୍ଟର୍ ଜେନେରାଲ୍‌, ସିନିଅର୍‌ ସୁପରିଣ୍ଟେଣ୍ଡେଣ୍ଟ୍‌ ଅଫ୍ ପ‌ୋଲିସ୍‌’ ଏବଂ ତିନିଜଣ ପୁଲିସ ସୁପରିଣ୍ଟେଣ୍ଡେଣ୍ଟ୍‌ ଅନ୍ତର୍ଭୁକ୍ତ ଅଛନ୍ତି। ଦୁଷ୍କର୍ମ ଓ ନରହତ୍ୟା ମାମଲାର ତଦନ୍ତ ଲାଗି ଏହି ସ୍ବତନ୍ତ୍ର ଦଳରେ ଅନ୍ତର୍ଭୁକ୍ତ ସମୁଦାୟ ୨୫ଜଣ ଅଧିକାରୀଙ୍କୁ ୪ଟି ଦଳରେ ବିଭକ୍ତ କରାଯାଇଛି। ପ୍ରତ୍ୟେକ ଦଳର ନେତୃତ୍ବ ନେବେ ଜଣେ ଯୁଗ୍ମ ନିର୍ଦେଶକ ପାହ୍ୟାର ଅଧିକାରୀ।

ରାଜ୍ୟ ବିଧାନସଭା ନିର୍ବାଚନ ପରେ ପଶ୍ଚିମବଙ୍ଗରେ ଘଟିଥିବା ସମସ୍ତ ନରହତ୍ୟା ଓ ଦୁଷ୍କର୍ମ ମାମଲାଗୁଡ଼ିକର ଦତନ୍ତ ‘ସିବିଆଇ’ଦ୍ବାରା କରାଇବା ଲାଗି କାଲ୍‌କାଟା ହାଇକୋର୍ଟ ଆଦେଶ ଦେଇଥିଲେ। ଗୁରୁବାର ଦିନ ମୁଖ୍ୟ ବିଚାରପତି ରାଜେଶ ବିନ୍ଦାଲ୍‌ଙ୍କ ନେତୃତ୍ବାଧୀନ ୫ଜଣିଆ ବିଚାରପତିବିଶିଷ୍ଟ ଖଣ୍ଡପୀଠ କହିଛନ୍ତି ଯେ, ତଦନ୍ତ ଲାଗି ସମସ୍ତ ନରହତ୍ୟା ଓ ଦୁଷ୍କର୍ମ ଅପରାଧ ମାମଲା ‘ସିବିଆଇ’କୁ ଦିଆଯିବା ଉଚିତ। ଆଗାମୀ ୬ ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବା ଲାଗି ହାଇକୋର୍ଟ ‘ସିବିଆଇ’କୁ ନିର୍ଦେଶ ଦେଇଛନ୍ତି।

ସେହିଭଳି, ଅନ୍ୟାନ୍ୟ ମାମଲାଗୁଡ଼ିକର ତଦନ୍ତ ଲାଗି ହାଇକୋର୍ଟ ‘ସ୍ପେସାଲ୍‌ ଇଭେଷ୍ଟିଗେସନ୍‌ ଟିମ୍‌’କୁ ଆଦେଶ ଦେଇଛନ୍ତି।

ସମ୍ବନ୍ଧିତ ଖବର