ନୂଆଦିଲ୍ଲୀ: ବେଆଇନ ଭାବେ ୫.୬୨ ଲକ୍ଷ ଭାରତୀୟ ଫେସ୍ବୁକ୍ ବ୍ୟବହାରକାରୀଙ୍କ ତଥ୍ୟ ଚୋରି ଅଭିଯୋଗରେ ଇଂଲଣ୍ଡ୍ସ୍ଥିତ ରାଜନୈତିକ ପରାମର୍ଶ ପ୍ରତିଷ୍ଠାନ ‘କେମ୍ବ୍ରିଜ୍ ଆନାଲିଟିକା’ ନାମରେ ‘ସେଣ୍ଟ୍ରାଲ୍ ଇନ୍ଭେଷ୍ଟିଗେସନ୍ ବ୍ୟୁରୋ’ (ସିବିଆଇ) ମାମଲା ରୁଜୁ କରିଛି। ଏହି ଘଟଣାରେ ଇଂଲଣ୍ଡ୍ର ଅନ୍ୟ ଏକ ପ୍ରତିଷ୍ଠାନ ‘ଗ୍ଲୋବାଲ୍ ସାଇନ୍ସ୍ ରିସର୍ଚ’ (ଜିଏସ୍ଆର୍ଏଲ୍) ନାମରେ ମଧ୍ୟ ‘ସିବିଆଇ’ ମାମଲା ରୁଜୁ କରିଥିବା ଜଣାପଡ଼ିଛି।
ପୂର୍ବରୁ କେନ୍ଦ୍ର ବୈଦ୍ୟୁତିକ ଏବଂ ସୂଚନା ପ୍ରଯୁକ୍ତିବିଦ୍ୟା ମନ୍ତ୍ରୀ ରବିଶଙ୍କର ପ୍ରସାଦ ସଂସଦକୁ ସୂଚନା ଦେଇଥିଲେ ଯେ, ‘ଫେସ୍ବୁକ୍-କେମ୍ବ୍ରିଜ୍ ଆନାଲିଟିକା’ ତଥ୍ୟ ଚୋରି ମାମଲାର ‘ସିବିଆଇ’ ତଦନ୍ତ ହେବ।
/sambad/media/post_attachments/wp-content/uploads/2021/01/ca.jpg)
‘ସିବିଆଇ’ରେ କରିଥିବା ଅଭିଯୋଗରେ ସାମାଜିକ ଗଣମାଧ୍ୟମ କମ୍ପାନି ‘ଫେସ୍ବୁକ୍’ କହିଥିଲା ଯେ, ‘ଜିଏସ୍ଆର୍ଏଲ୍’ ବେଆଇନ ଭାବେ ଭାରତରେ ୫.୬୨ ଲକ୍ଷ ବ୍ୟବହାରକାରୀଙ୍କ ବ୍ୟକ୍ତିଗତ ତଥ୍ୟ ସଂଗ୍ରହ କରି ‘କେମ୍ବ୍ରିଜ୍ ଆନାଲିଟିକା’କୁ ଦେଇଛି। ଭାରତରେ ନିର୍ବାଚନକୁ ପ୍ରଭାବିତ କରିବା ନିମନ୍ତେ ‘କେମ୍ବ୍ରିଜ୍ ଆନାଲିଟିକା’ ଉକ୍ତ ତଥ୍ୟକୁ ବ୍ୟବହାର କରିଥିବା କଥା ମଧ୍ୟ ‘ଫେସ୍ବୁକ୍’ ଅଭିଯୋଗରେ ଉଲ୍ଲେଖ କରିଥିଲା।
ବିନା ଅନୁମତିରେ ପ୍ରାୟ ୫୦ ନିୟୁତ ବ୍ୟବହାରକାରୀଙ୍କ ‘ଫେସ୍ବୁକ୍ ପ୍ରୋଫାଇଲ୍’ରୁ ବ୍ୟକ୍ତିଗତ ସୂଚନା ସଂଗ୍ରହ କରିଛି ବୋଲି ୨୦୧୮ ମାର୍ଚରେ ଏକାଧିକ ଆନ୍ତର୍ଜାତିକ ଗଣମାଧ୍ୟମ ‘କେମ୍ବ୍ରିଜ୍ ଆନାଲିଟିକା’ ବିରୋଧରେ ରିପୋର୍ଟ କରିଥିଲେ।
ଅଭିଯୋଗ ପରେ ‘କେମ୍ବ୍ରିଜ୍ ଆନାଲିଟିକା’ ଏବଂ ‘ଜିଏସ୍ଆର୍ଏଲ୍’ ବିରୋଧରେ ‘ସିବିଆଇ’ ପ୍ରାରମ୍ଭିକ ଦତନ୍ତ ଆରମ୍ଭ କରିଥିଲା।