ଭିଡିଓକୋନ ଦୁର୍ନୀତି : ଚନ୍ଦା କୋଚରଙ୍କ ସ୍ୱାମୀ ଦୀପକ କୋଚର ଓ ଭିଡିଓକୋନ ମୁଖ୍ୟ ଭେନୁଗୋପାଳ ଧୁତଙ୍କ ବିରୋଧରେ ମାମଲା ଦାଏର କଲା ସିବିଆଇ

ନୂଆଦିଲ୍ଲୀ: ଆଇସିଆଇସିଆଇ ବ୍ୟାଙ୍କର ଦୃଢ ସମର୍ଥନ ସତ୍ତ୍ୱେ ଏହାର ସିଇଓ ଚନ୍ଦା କୋଚରଙ୍କ ସମସ୍ୟା ବଢିବାରେ ଲାଗିଛି । ଚନ୍ଦାଙ୍କ ସ୍ୱାମୀ ଦୀପକ କୋଚର ଓ ଭିଡିଓକୋନ କମ୍ପାନିର ଅଧ୍ୟକ୍ଷ ଭେନୁଗୋପାଳ ଧୁତଙ୍କ ବିରୋଧରେ ସିବିଆଇ ପକ୍ଷରୁ ଏକ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଛି ।
ଅଭିଯୋଗ ହୋଇଛି ଯେ ୨୦୧୨ ମସିହାରେ ଭିଡିଓକୋନ ମୁଖ୍ୟ ଭେନିଗୋପାଳ ଧୁତ ସଂଦେହଜନକଭାବେ ଦିପକ କୋଚରଙ୍କ କମ୍ପାନିକୁ କୋଟି କୋଟି ଟଙ୍କା ପ୍ରଦାନ କରିଥିଲେ ।
ଆଇସିଆଇସିଆଇ ବ୍ୟାଙ୍କ ତରଫରୁ ଭିଡିଓକୋନ ଗ୍ରୁପକୁ ୩୨୫୦ କୋଟି ଟଙ୍କାର ଋଣ ପ୍ରଦାନ କରାଯିବା ପେରେ ହିଁ ଏହି ଅର୍ଥ ପ୍ରଦାନ କରାଯାଇଥିଲା ବୋଲି କୁହାଯାଉଛି । ଭିଡିଓକୋନ ଗ୍ରୁପ ଏସବିଆଇ ନେତୃତ୍ୱାଧୀନ ୨୦ଟି ବ୍ୟାଙ୍କର ଏକ କନସୋର୍ଟିୟମ (ଗୋଷ୍ଠୀ) ଦ୍ୱାରା ମୋଟ ୪୦ ହଜାର କୋଟିର ଏକ ଋଣ ପାଇଥିଲା । ଆଇସିଆଇସିଆଇ ବ୍ୟାଙ୍କ ପକ୍ଷରୁ ଦିଆଯାଇଥିବା ଋଣ ଏହି ୪୦ ହଜାର କୋଟିରେ ଅନ୍ତର୍ଭୁକ୍ତ ।
ଅଭିଯୋଗ ଅନୁସାରେ ୨୦୧୦ରେ ଧୁତଙ୍କ ମାଲିକାନାରେ ଥିବା କମ୍ପାନି ନ୍ୟୁପାଓ୍ଵାର ରିନେେଓ୍ଵବଲ ଏନର୍ଜିକୁ ଭିଡିଓକୋନ ପକ୍ଷରୁ ପ୍ରାୟ ୬୪ କୋଟି ଟଙ୍କା ଦିଆଯାଇଥିଲା । ୨୦୧୨ରେ ଆଇସିଆଇସିଆଇ ବ୍ୟାଙ୍କରୁ ଋଣ ପାଇବାର ୬ ମାସ ପରେ ଧୁତ ଏହି କମ୍ପାନିର ମାଲିକାନା ଦୀପକ କୋଚର ଓ ତାଙ୍କର ଦୁଇ ସଂପର୍କୀୟଙ୍କୁ ହସ୍ତାନ୍ତର କରିଥଲେ । ଏହି ଅଭିଯୋଗର ସତ୍ୟତା ଜାଣିବା ପାଇଁ ସିବିଆଇ ତଦନ୍ତ ଆରମ୍ଭ କରିଛି ।

ସମ୍ବନ୍ଧିତ ଖବର