ପୁଣି ପଦାରେ ପଡ଼ିଲା ସିବିଆଇର ନୂଆ ଗୁମର; ପଦୋନ୍ନତି ପାଇଁ ଶାଖାମୁଖ୍ୟଙ୍କ ଦସ୍ତଖତକୁ ଜାଲ୍‌ କରିଥିଲେ ଉପ ଆଇନ୍‌ ଉପଦେଷ୍ଟା 

ନୂଆଦିଲ୍ଲୀ: ବିବାଦ ପିଛା ଛାଡ଼ୁନି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର। ସିବିଆଇର ଆଉ ଏକ ନୂତନ ଗୁମର ପୁଣି ଥରେ ଆଜି ପଦାରେ ପଡ଼ିଛି। ଅନୈତିକ ଉପାୟରେ ପଦୋନ୍ନତି ହାତେଇବା ପାଇଁ ସିବିଆଇର ଉପ ଆଇନ୍‌ ଉପଦେଷ୍ଟା (ଡେପୁଟି ଲିଗାଲ୍‌ ଆଡ୍‌ଭାଇଜର) ବୀନା ରିଜାଦା ତାଙ୍କ ବାର୍ଷିିକ ଆପ୍‌ରାଇଜାଲ ରିପୋର୍ଟରେ ସିବିଆଇ ଶାଖା ମୁଖ୍ୟଙ୍କ ଦସ୍ତଖତକୁ ଜାଲି କରିଥିବା ନେଇ ଅଭିଯୋଗ ହୋଇଛି।

ଉପ ଆଇନ୍‌ ଉପଦେଷ୍ଟା ବୀନା ରିଜାଦାଙ୍କ ଏ କାରନାମା ସଂପର୍କରେ ମଧ୍ୟପ୍ରଦେଶ ଭୋପାଳର ସିବିଆଇ ଏସି- ୟୁନିଟ ୫ ଶାଖାର ଡିଏସ୍‌ପି ଆଶିଷ ପ୍ରସାଦ ଦିଲ୍ଲୀ ମୁଖ୍ୟାଳୟରେ ଏନେଇ ଅଭିଯୋଗ କରିବା ପରେ ଏ ଘଟଣା ପଦାକୁ ଆସିଛି। ଅଭିଯୋଗ ଆଧାରରେ ଅଭିଯୁକ୍ତ ଉପ ଆଇନ୍‌ ଉପଦେଷ୍ଟା ବୀନା ରିଜାଦାଙ୍କ ବିରୋଧରେ ଭାରତୀୟ ଦଣ୍ଡବିଧି ଆଇନ (ଆଇପିସି)ର ଦଫା ୪୧୭, ୫୧୧, ୪୬୮, ୪୭୧ ଓ ୪୭୭ ଦଫାରେ ଏକ ମାମଲା ରୁଜ୍ଜୁ ହେବା ସହ ତଦନ୍ତ ଆରମ୍ଭ ହୋଇଛି। ସିବିଆଇର ଏଏସ୍‌ପି ସନ୍ଦୀପ୍‌ ଚୌଧୁରୀ ଏହି ମାମଲାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର