ପୁଣି ଜେଲ ଯିବେ କି ଲାଲୁ ?

ନୂଆଦିଲ୍ଲୀ : ପୁଣି ଫସିଗଲେ ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ଲାଲୁ ପ୍ରସାଦ ଯାଦବ । ରେଳବାଇ ଚାକିରି ଦୁର୍ନୀତିରେ ଆରଜେଡି ମୁଖ୍ୟ ତଥା ପୂର୍ବତନ ରେଳମନ୍ତ୍ରୀ ଲାଲୁ ପ୍ରସାଦଙ୍କ ବିରୋଧରେ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଚାର୍ଜସିଟ୍ ଦାଖଲ କରିଛି ।

ସ୍ୱତନ୍ତ୍ର ସିବିଆଇ କୋର୍ଟରେ ଦାଖଲ କରିଥିବା ଚାର୍ଜସିଟରେ ସିବିଆଇ ପ୍ରସାଦଙ୍କ ପତ୍ନୀ ରାବ୍ରି ଦେବୀ, ମିସା ଭାରତୀ ଏବଂ ଅନ୍ୟ ୧୩ ଜଣଙ୍କୁ ନିକଟରେ ଏକ ଅଭିଯୁକ୍ତ ଭାବେ ଦର୍ଶାଇଛି ।

ଏହି ମାମଲାରେ ଗତ ମାସରେ ସିବିଆଇ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢଉ କରାଯାଇଥିଲା । ବିଶେଷକରି ଆରଜେଡି ନେତାମାନଙ୍କ ଘରେ ଓ ଅଫିସରେ ଚଢଉ କରାଯାଇଥିଲା ।

ଆରଜେଡିର ବହୁ ବରିଷ୍ଠ ନେତାଙ୍କ ସମେତ ଏମଏଲସି ସୁନୀଲ ସିଂ, ରାଜ୍ୟସଭା ସାଂସଦ ଆଶଫାକ କରିମ ଏବଂ ଫାୟାଜ ଅହମ୍ମଦ ଏବଂ ପୂର୍ବତନ ଏମଏଲସି ସୁବୋଧ ରାୟଙ୍କ ଘରେ ଓ ଅଫିସରେ ଚଢଉ କରାଯାଇଥିଲା ।

୨୦୦୪ରୁ ୨୦୦୯ ପର୍ଯ୍ୟନ୍ତ କ୍ଷମତାରେ ଥିବା ୟୁପିଏ-୧ ସରକାରରେ ଲାଲୁ ରେଳମନ୍ତ୍ରୀ ଥିଲେ । ଏହି ସମୟରେ ରେଳବାଇରେ ଚାକିରି ପାଇଁ ଏକ ବଡ଼ ଧରଣର ଦୁର୍ନୀତି ହୋଇଥିଲା । ପ୍ରାର୍ଥୀମାନଙ୍କଠାରୁ ଜମି ବଦଳରେ ଚାକିରି ଦିଆଯାଉଥିଲା । ଲାଲୁଙ୍କ ପରିବାର, କେତେକ ଆରଜେଡି ନେତା ଏହି ଦୁର୍ନୀତିରେ ସଂପୃକ୍ତ ବୋଲି ଅଭିଯୋଗ ଉଠିବା ପରେ ମାମଲା ସିବିଆଇ ନିକଟକୁ ଯାଇଥିଲା । କିନ୍ତୁ ଆରଜେଡି ଏହାକୁ ଅସ୍ବୀକାର କରୁଛି ।

 

ସମ୍ବନ୍ଧିତ ଖବର