ମହନ୍ତ ନରେନ୍ଦ୍ର ଗିରି ମୃତ୍ୟୁ ମାମଲା: ଚାର୍ଜସିଟ ଦାଖଲ କଲା ସିବିଆଇ, ୨୫ରେ ହେବ ଶୁଣାଣି
ନୂଆଦିଲ୍ଲୀ: ‘ଅଖିଳ ଭାରତୀୟ ଆଖଡ଼ା ପରିଷଦ୍’ର ମୁଖ୍ୟ ମହନ୍ତ ନରେନ୍ଦ୍ର ଗିରିଙ୍କ ମୃତ୍ୟୁ ମାମଲାକୁ ନେଇ ଚାର୍ଜସିଟ ଦାଖଲ କରିଛି ସିବିଆଇ। ଜେଲରେ ଥିବା ତିନିଜଣ ଅଭିଯୁକ୍ତଙ୍କ ବିରୋଧରେ ସିବିଆଇ ପ୍ରୟାଗରାଜ କୋର୍ଟରେ ଏକ ଚାର୍ଜସିଟ୍ ଦାଖଲ କରିଛି। ସିବିଆଇ ଅନୁଯାୟୀ, ଜେଲରେ ଥିବା ତିନି ଅଭିଯୁକ୍ତ ଆନନ୍ଦ ଗିରି, ଆଧ୍ୟା ତିୱାରୀ ଏବଂ ସନ୍ଦୀପ ତିୱାରୀ ମହନ୍ତ ନରେନ୍ଦ୍ର ଗିରିଙ୍କ ଆତ୍ମହତ୍ୟା ପାଇଁ ଦାୟୀ। ଅନ୍ୟପକ୍ଷର, ଚାର୍ଜସିଟ୍ର ଦାଖଲ ପରେ ସିଜେଏମ୍ କୋର୍ଟ ଶୁଣାଣି ପାଇଁ ନଭେମ୍ବର ୨୫ ତାରିଖ ସ୍ଥିର କରିଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ଉଲ୍ଲେଖଯୋଗ୍ୟ, ସେପ୍ଟେମ୍ବର ୨୦ରେ ମଧ୍ୟହ୍ନ ଭୋଜନ ପରେ ୭୨ ବର୍ଷିୟ ମହନ୍ତ ତାଙ୍କ କକ୍ଷକୁ ପ୍ରବେଶ କରିଥିବା ଦେଖାଯାଇଥିଲା। ସନ୍ଧ୍ୟାବେଳେ ଶିଷ୍ୟମାନେ ତାଙ୍କ କବାଟ ବାଡ଼େଇବାରୁ ଭିତରୁ କୌଣସି ଜବାବ ମିଳି ନଥିଲା। ତାଙ୍କ ମୋବାଇଲ୍ ଫୋନ୍କୁ ବାରମ୍ବାର କଲ୍ କରିବା ସତ୍ତ୍ବେ ଉତ୍ତର ନ ମିଳିବାରୁ ଶିଷ୍ୟମାନେ କବାଟ ତାଡ଼ି କୋଠରି ମଧ୍ୟକୁ ପ୍ରବେଶ କରିଥିଲେ। ଭିତରେ ନରେନ୍ଦ୍ର ଗିରି ଫାଶୀ ଦେଇ ଆତ୍ମହତ୍ୟା କରିଥିବା ଦେଖାଯାଇଥିଲ।
ଏହାଛଡ଼ା, କୋଠରି ମଧ୍ୟରୁ ତାଙ୍କ ହସ୍ତଲିଖିତ ଏକ ‘ଆତ୍ମହତ୍ୟା ଚିଟାଉ’ ମଧ୍ୟ ମିଳିଥିଲା। ସେଥିରେ ଗିରି ତାଙ୍କ ଇଚ୍ଛା ଏବଂ ତାଙ୍କୁ ହଇରାଣ କରୁଥିବା ଗୁଡ଼ାଏ ବ୍ୟକ୍ତିଙ୍କ ନାଁ ଲେଖିଥିଲେ। ‘ମୁଁ ସମ୍ମାନ ସହ ବଞ୍ଚୁଥିଲି। ହେଲେ ଏବେ ଅସମ୍ମାନିତ ହୋଇ ବଞ୍ଚିପାରିବି ନାହିଁ ବୋଲି ଜୀବନ ହାରୁଛି। ୮ପୃଷ୍ଠା ସମ୍ବଳିତ ସୁଇସାଇଡ ନୋଟରେ ଗିରି ଏଭଳି ଲେଖିଥିବା କଥା ପୁଲିସ କହିଥିଲା।