ନୂଆଦିଲ୍ଲୀ: ୟୁଜିସି ନେଟ୍ ପରୀକ୍ଷା ମାମଲାରେ ନୂଆ ମୋଡ଼ ଆସିଛି। କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏ ନେଇ ଏକ ମାମଲା ରୁଜୁ କରିଛି। ସୂଚନାଯୋଗ୍ୟ, ଗତ ୧୮ ତାରିଖରେ ହୋଇଥିବା ଏହି ପରୀକ୍ଷାର ପ୍ରଶ୍ନପତ୍ର ଲିକ୍ ହୋଇଥିଲା। ଲିକ୍ ହେବା ପରେ ଶିକ୍ଷା ମନ୍ତ୍ରଣାଳୟ ପରୀକ୍ଷା ବାତିଲ କରିବାକୁ ନିଷ୍ପତ୍ତି ନେଇଥିଲା। ଏହା ସହ ଏହି ମାମଲାର ତଦନ୍ତ ଦାୟିତ୍ୱ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)କୁ ଦିଆଯାଇଥିଲା। ଏ ନେଇ ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ବିବୃତି ପ୍ରକାଶ ପାଇଛି। ପରୀକ୍ଷାର ସ୍ବଚ୍ଛତା ସହ କୌଣସି ଆପୋଷ ବୁଝାମଣା କରାଯିବ ନାହିଁ ବୋଲି ମନ୍ତ୍ରଣାଳୟ କହିଛି।
ସୂଚନାଯୋଗ୍ୟ, ଏଥର ପେନ୍ ଓ ପେପର ମୋଡରେ ଜୁନ୍ ୧୮ ତାରିଖରେ ନେଟ୍ ପରୀକ୍ଷା ଅନୁଷ୍ଠିତ ହୋଇଥିଲା। ଏହି ପରୀକ୍ଷାରେ ୧୧ ଲକ୍ଷ ଛାତ୍ରଛାତ୍ରୀ ଆବେଦନ କରିଥିଲେ। ଏହି ପରୀକ୍ଷା ପୁନର୍ବାର କରାଯିବ ବୋଲି ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ପରେ ଏ ନେଇ ସୂଚନା ପ୍ରଦାନ କରାଯିବ ।
ସୂଚନାଯୋଗ୍ୟ ଯେ, ଜୁନ୍ ୧୮ତାରିଖରେ ନେଟ୍ ପରୀକ୍ଷା ହେବାର ଥିଲା ଏବଂ କିନ୍ତୁ କିଛି ଘଣ୍ଟା ପରେ ଏହାକୁ ବାତିଲ କରାଯାଇଥିଲା। ଏହାକୁ ନେଇ ସାରା ଦେଶରେ ପ୍ରବଳ ଅସନ୍ତୋଷ ପ୍ରକାଶ ପାଇଥିଲା । ପରୀକ୍ଷା ବାତିଲ ସମ୍ପର୍କରେ ଶିକ୍ଷା ମନ୍ତ୍ରଣାଳୟ କହିଛି, ଗୃହ ମନ୍ତ୍ରଣାଳୟ ଅଧୀନରେ ଥିବା ଭାରତୀୟ ସାଇବର ଅପରାଧ ସମନ୍ୱୟ କେନ୍ଦ୍ରର ନ୍ୟାସନାଲ ସାଇବର କ୍ରାଇମ ଥ୍ରେଟ୍ ଆନାଲିସିସ୍ ୟୁନିଟ୍ରୁ ୟୁଜିସିକୁ ପରୀକ୍ଷା ସମ୍ପର୍କିତ କିଛି ସୂଚନା ମିଳିଥିଲା। ଏହି ସୂଚନାରୁ ଜଣାପଡିଥିଲା ଯେ ୟୁଜିସି ନେଟ୍ ସୁରକ୍ଷାରେ ବାଧା ସୃଷ୍ଟି ହୋଇଛି। ଏହି କାରଣରୁ ଜୁନ୍ ୨୦୨୪ରେ ଅନୁଷ୍ଠିତ ନେଟ୍ ପରୀକ୍ଷାକୁ ବାତିଲ କରାଯାଇଛି। ସରକାର ଏହା ମଧ୍ୟ କହିଛନ୍ତି ଯେ ନେଟ୍ ପରୀକ୍ଷାର ନୂଆ ତାରିଖ ଖୁବଶୀଘ୍ର ଘୋଷଣା କରାଯିବ।