ଦୁଗ୍ଧଜାତ ଉତ୍ପାଦ ପ୍ରସ୍ତୁତ କରୁଥିବା କ୍ବାଲିଟି କମ୍ପାନି ବିରୋଧରେ ୧୪୦୦ କୋଟି ଟଙ୍କାର ବ୍ୟାଙ୍କ୍‌ ଠକେଇ ମାମଲା ରୁଜୁ କଲା ସିବିଆଇ

ନୂଆଦିଲ୍ଲୀ: ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ପରିଚାଳିତ ବ୍ୟାଙ୍କ୍‌ ସମୂହଙ୍କୁ ଠକିଥିବା କାରଣରୁ ସୋମବାର ଦିନ ସିବିଆଇ ଦୁଗ୍ଧଜାତ ଉତ୍ପାଦ ପ୍ରସ୍ତୁତ କରୁଥିବା କମ୍ପାନି କ୍ବାଲିଟି ଲିମିଟେଡ୍‌ ବିରୋଧରେ ଜାଲିଆତି ମାମଲା ରୁଜୁ କରିଛି।

କମ୍ପାନି ୧୪୦୦ କୋଟି ଟଙ୍କା ଜାଲିଆତି କରିଥିବା ଅଭିଯୋଗ ହୋଇଛି। ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ଅଭିଯୋଗ ଦାଏର କରିବା ପରେ ସିବିଆଇ ଏହି ମାମଲା ରୁଜୁ କରିଛି। ଦିଲ୍ଲୀ, ବୁଲନ୍ଦସର, ସହରଣପୁର, ଆଜମେର୍ ଏବଂ ପାଲୱାଲ ସମେତ ଆଠଟି ସ୍ଥାନରେ ସିବିଆଇ ଚଢ଼ାଉ ଜାରି ରଖିଛି।

ଏହି ସିବିଆଇ ମାମଲାରେ ଅନ୍ୟାନ୍ୟ ଅଜ୍ଞାତ ବ୍ୟକ୍ତିଙ୍କ ବ୍ୟତୀତ କମ୍ପାନିର ନିର୍ଦେଶକ ସଞ୍ଜୟ ଧିଙ୍ଗ୍‌ରା, ସିଦ୍ଧାର୍ଥ ଗୁପ୍ତ ଏବଂ ଅର୍ଜୁନ ଶ୍ରୀବାସ୍ତବଙ୍କ ନାଁ ରହିଛି। ଅଭିଯୋଗରେ ବ୍ୟାଙ୍କ୍‌ମାନେ କହିଛନ୍ତି ଯେ, ବ୍ୟାଙ୍କ୍‌ ପାଣ୍ଠି ସ୍ଥାନାନ୍ତର, ସମ୍ପର୍କିତ ପାର୍ଟିମାନଙ୍କ ସହ ମିଥ୍ୟା କାରବାର, ଜାଲ ଦଲିଲପତ୍ର/ରସିଦ, ଜାଲ୍ ଆକାଉଣ୍ଟ୍ ବହି ଏବଂ ଜାଲ୍ ସମ୍ପତ୍ତି ଓ ଜାଲ୍ ଋଣ ପ୍ରସ୍ତୁତ କରି କ୍ବାଲିଟି ଲିମିଟେଡ୍ ସେମାନଙ୍କୁ ଠକିଛି।

ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ନେତୃତ୍ବାଧୀନ ଏହି ସଂଘରେ କାନାଡ଼ା ବ୍ୟାଙ୍କ୍, ବ୍ୟାଙ୍କ୍ ଅଫ୍ ବରୋଦା, ଆନ୍ଧ୍ର ବ୍ୟାଙ୍କ୍, କର୍ପୋରେସନ୍ ବ୍ୟାଙ୍କ୍, ଆଇଡିବିଆଇ, ସେଣ୍ଟ୍ରାଲ୍ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ, ଧନଲକ୍ଷ୍ମୀ ବ୍ୟାଙ୍କ୍ ଏବଂ ସିଣ୍ଡିକେଟ୍‌ ବ୍ୟାଙ୍କ୍ ରହିଛନ୍ତି।

ସମ୍ବନ୍ଧିତ ଖବର