ମଣିପୁର ଦଙ୍ଗା ମାମଲାର ତଦନ୍ତ ପାଇଁ ସିବିଆଇ ଗଠନ କଲା ଏସ୍‌ଆଇଟି

ନୂଆଦିଲ୍ଲୀ: ମଣିପୁରରେ ଘଟିଥିବା ହିଂସାତ୍ମକ ସଂଘର୍ଷ ପଛରେ ଷଡ଼ଯନ୍ତ୍ର ରହିଛି କି ନାହିଁ ତାହାର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ୬ଟି ଏଫ୍‌ଆଇଆର୍‌ ରୁଜୁ କରିବା ସହ ଏକ ସ୍ୱତନ୍ତ୍ର ତଦନ୍ତକାରୀ ଦଳ (ଏସ୍‌ଆଇଟି) ଗଠନ କରିଛି। ଏହି ଏସଆଇଟିର ନେତୃତ୍ୱ ନେବେ ଜଣେ ଡିଆଇଜି ପାହ୍ୟାର ଅଧିକାରୀ।

ମଣିପୁର ସରକାର ପ୍ରମୁଖ ଜାତୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଦ୍ୱାରା ତଦନ୍ତ ପାଇଁ ୬ଟି ମାମଲା (ଅପରାଧିକ ଷଡ଼ଯନ୍ତ୍ର ମାମଲା ସମେତ) କେନ୍ଦ୍ରକୁ ସୁପାରିସ କରିବାର ଗୋଟିଏ ଦିନ ପରେ ଏହି ପଦକ୍ଷେପ ନିଆଯାଇଛି। ସିବିଆଇକୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ଏଫଆଇଆର ତାଲିକା ପ୍ରଦାନ କରିଛି।

ମଣିପୁରରେ ଗତ ମେ’ ୩ ତାରିଖରୁ ଆରମ୍ଭ ହୋଇଥିବା ମେଇତେଇ ଓ କୁକି ସମ୍ପ୍ରଦାୟ ମଧ୍ୟରେ ହୋଇଥିବା ଜାତିଗତ ହିଂସାରେ ୯୮ରୁ ଅଧିକ ଲୋକ ପ୍ରାଣ ହରାଇଛନ୍ତି। ପରବର୍ତ୍ତୀ ସମୟରେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ପଠାଯାଇଥିବା ଅର୍ଦ୍ଧସାମରିକ ବାହିନୀଙ୍କ ସହ ଉଗ୍ରବାଦୀ ତତ୍ତ୍ୱଙ୍କର ଅନେକ ଥର ସଂଘର୍ଷ ହୋଇଥିଲା।

ହିଂସାକାଣ୍ଡ ଯୋଗୁଁ ପ୍ରାୟ ୩୫ ହଜାର ଲୋକ ବିସ୍ଥାପିତ ହୋଇଛନ୍ତି। ବର୍ତ୍ତମାନ ସୁଦ୍ଧା ୩୭୩୪ଟି ଏଫଆଇଆର ରୁଜୁ ହୋଇଛି। ଇମ୍ଫାଲ ଜିଲ୍ଲାରେ ସର୍ବାଧିକ ୧୨୫୭ଟି ଏଫଆଇଆର ରୁଜୁ ହୋଇଥିବା ବେଳେ କାଙ୍ଗପୋକପିରେ ୯୩୨ଟି ଓ ବିଷ୍ଣୁପୁରରେ ୮୪୪ଟି ଏଫଆଇଆର ରୁଜୁ ହୋଇଛି। ସୁରକ୍ଷା ପରାମର୍ଶଦାତା କୁଲ୍‌ଦିପ ସିଂହ କହିଛନ୍ତି ଯେ ଗତ ୪୮ ଘଣ୍ଟା ମଧ୍ୟରେ କୌଣସି ହିଂସାକାଣ୍ଡ ଘଟିନାହିଁ ଏବଂ ମଣିପୁରରେ ପରିସ୍ଥିତି ଶାନ୍ତିପୂର୍ଣ୍ଣ ଏବଂ ନିୟନ୍ତ୍ରଣାଧୀନ ରହିଛି।

ସମ୍ବନ୍ଧିତ ଖବର