ନୂଆଦିଲ୍ଲୀ : ଓଡ଼ିଶା ହାଇକୋର୍ଟର ବିଚାରପତି ସିଆର ଦାଶଙ୍କ ବାସଭବନରେ ରାତି ଅଧିଆ ପଶିବା ଉଦ୍ୟମ ମାମଲାରେ ସିବିଆଇ ଅଧିକାରୀମାନଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ସୁପ୍ରିମକୋର୍ଟ ଖାରଜ କରିଦେଇଛନ୍ତି। ସିବିଆଇ ଅଧିକାରୀଙ୍କ ଦ୍ୱାରା ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ସମ୍ପୃକ୍ତ ବିଚାରପତିଙ୍କୁ ନିଃସର୍ତ୍ତ କ୍ଷମାପ୍ରାର୍ଥନା କରାଯାଇଥିବା ସମ୍ପର୍କିତ ସତ୍ୟପାଠ ଦାଖଲ କରାଯିବାପରେ ସୁପ୍ରିମକୋର୍ଟ ଓଡ଼ିଶା ପୁଲିସ ଦ୍ୱାରା ସିବିଆଇ ଅଧିକାରୀମାନଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ଖାରଜ କରିଦେଇଛନ୍ତି। ବିଚାରପତିଙ୍କ ଘରେ ସିବିଆଇ ଅଧିକାରୀମାନଙ୍କ ଅନୁପ୍ରବେଶ ମାମଲା ସମ୍ପର୍କିତ କ୍ଷମା ପ୍ରାର୍ଥନା ଗୃହୀତ ହୋଇଛି କି ନାହିଁ ସେ ସମ୍ପର୍କରେ ସତ୍ୟପାଠ ଜରିଆରେ ଅବଗତ କରିବାପାଇଁ ସୁପ୍ରିମକୋର୍ଟ ଗତ ଡିସେମ୍ବର ୪ ତାରିଖରେ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ସିବିଆଇ ଦ୍ୱାରା ଦାଖଲ ହୋଇଥିବା ସତ୍ୟପାଠରେ ସମ୍ପୃକ୍ତ ସିବିଆଇ ଅଧିକାରୀମାନେ ଓଡ଼ିଶା ହାଇକୋର୍ଟର ମୁଖ୍ୟ ବିଚାରପତି ଓ ସମ୍ପୃକ୍ତ ବିଚାରପତିଙ୍କୁ ସାକ୍ଷାତ କରି ଘଟଣାକୁ ନେଇ ସଫେଇ ଦେବା ସହିତ ନିଃସର୍ତ୍ତ କ୍ଷମା ପ୍ରାର୍ଥନା କରିଥିଲେ ଏବଂ ଏଥିରେ ଦୁଇ ଜଣ ବିଚାରପତି ସନ୍ତୁଷ୍ଟ ଥିବା ଜଣାଯାଇଥିଲା। ସତ୍ୟପାଠ ଦାଖଲ ପରେ ସୁପ୍ରିମକୋର୍ଟର ବିଚାରପତି ଏକେ ସିକ୍ରି ଓ ବିଚାରପତି ଅଶୋକ ଭୂଷଣ ସିବିଆଇ ଅଧିକାରୀମାନଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆରକୁ ଖାରଜ କରିଦେଇଛନ୍ତି। ଏହାବାଦ୍ ଖଣ୍ଡପୀଠ ବିଚାରପତିଙ୍କ ଘରେ ରାତି ଅଧିଆ ସିବିଆଇ ଅଧିକାରୀମାନେ ପଶିବା ମାମଲାର ତଦନ୍ତ ପାଇଁ ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ ଦ୍ୱାରା ଦାଖଲ କରାଯାଇଥିବା ପିଟିସନ୍କୁ ମଧ୍ୟ ଖାରଜ କରିଦେଇଥିଲେ। ସିବିଆଇ ତରଫରୁ ଅତିରିକ୍ତ ସଲିସିଟର ଜେନେରାଲ ତୁଷାର ମେହେଟ୍ଟାଙ୍କ ସବ୍ମିସନ୍କୁ ଗ୍ରହଣ କରିଥିଲେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ। ଓଡ଼ିଶା ହାଇକୋର୍ଟ ବାର ଆସୋସିଏସନ୍ ପକ୍ଷରୁ ବରିଷ୍ଠ ଆଇନଜୀବୀ ଅଶୋକ ପରିଜା, ଓଡ଼ିଶା ହାଇକୋର୍ଟ ପକ୍ଷରୁ ଶିବ ଶଙ୍କର ମିଶ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଶିବାଷିଶ ମିଶ୍ର ମାମଲାର ପରିଚାଳନା କରୁଥିଲେ। ଉଲ୍ଲେଖଯୋଗ୍ୟ ମେଡିକାଲ କଲେଜ ନାମଲେଖା ଦୁର୍ନୀତି ଅଭିଯୋଗରେ ଚଢ଼ଉ ପାଇଁ ବାହାରିଥିବା ସିବିଆଇ ଟିମ୍ ଓଡ଼ିଶା ହାଇକୋର୍ଟର ପୂର୍ବତନ ବିଚାରପତି ଆଇ ଏମ୍ କୁଦ୍ଦୁଶିଙ୍କ ବାସଭବନ ଭାବି ବର୍ତ୍ତମାନର ହାଇକୋର୍ଟ ବିଚାରପତି ସିଆର ଦାଶଙ୍କ ଘରେ ପଶିବାକୁ ଉଦ୍ୟମ କରିଥିଲେ। ସିବିଆଇ ଅଧିକାରୀମାନେ ମନ୍ଦ ଉଦ୍ଦେଶ୍ୟ ରଖି ଆସିଥିଲେ ଓ ଘଟଣା ପଛରେ ଷଡ଼ଯନ୍ତ୍ର ରହିଛି ବୋଲି ଅଭିଯୋଗ କରି ଓଡ଼ିଶା ହାଇକୋର୍ଟ ଓକିଲ ସଂଘ ପକ୍ଷରୁ ଜନସ୍ୱାର୍ଥ ମାମଲା ଦାଏର କରାଯାଇଥିଲା। ହାଇକୋର୍ଟ କେନ୍ଦ୍ର ସରକାର, ରାଜ୍ୟ ସରକାର ଏବଂ ସିବିଆଇ ସମେତ ୧୦ ଜଣ ପ୍ରତିପକ୍ଷଙ୍କୁ ନୋଟିସ ଜାରି କରି ଜବାବ୍ ତଲବ କରିଥିଲେ। ତେବେ ଏହି ମାମଲାକୁ ଅନ୍ୟତ୍ର ସ୍ଥାନାସ୍ତର କରିବାପାଇଁ ସିବିଆଇ ସୁପ୍ରିମକୋର୍ଟରେ ଆବେଦନ କରିବାପରେ ସୁପ୍ରିମକୋର୍ଟ ଓଡ଼ିଶା ହାଇକୋର୍ଟ ଶୁଣାଣି ଉପରେ ରୋକ୍ ଲଗାଇବା ସହିତ ଓଡ଼ିଶା ହାଇକୋର୍ଟ ଓକିଲ ସଂଘକୁ ନୋଟିସ୍ ଜାରି କରିଥିଲେ।
ସିବିଆଇର ନିଃସର୍ତ୍ତ କ୍ଷମା ପ୍ରାର୍ଥନା ପରେ ମାମଲା ଖାରଜ
ବିଚାରପତିଙ୍କ ଘରେ ରାତିଅଧିଆ ପଶିବା ମାମଲା
/sambad/media/post_attachments/wp-content/uploads/2018/01/cbi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)