ନୂଆଦିଲ୍ଳୀ: ଜେଲରେ ଥିବା ମୁଖ୍ୟମନ୍ତ୍ରୀ ତଥା ଆମ୍‌ ଆଦମୀ ପାର୍ଟି (ଆପ୍‌) ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲଙ୍କୁ ମଦ ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତକରୀ ସଂସ୍ଥା (ସିବିଆଇ) ଦ୍ବାରା ହାଜର କରାଯିବ ବୋଲି ଦିଲ୍ଲୀର ରାଉସ୍ ଆଭେନ୍ୟୁ କୋର୍ଟର ସୁରକ୍ଷାକୁ କଡାକଡି କରାଯାଇଛି। ଏଥିସହ ସୁପ୍ରିମକୋର୍ଟ ଅରବିନ୍ଦ କେଜ୍ରିୱାଲଙ୍କ ଦିଲ୍ଲୀ ହାଇକୋର୍ଟଙ୍କ ଆଦେଶକୁ ଚ୍ୟାଲେଞ୍ଜ କରି ଶୁଣାଣି କରିବାର କାର୍ଯ୍ୟକ୍ରମ ରହିଛି; ଯାହା ମଦ ନୀତି ମାମଲାରେ ନିମ୍ନ ଅଦାଲତ ଦେଇଥିବା ଜାମିନକୁ ସ୍ଥଗିତ ରଖିଛି।
ସୂଚନାନୁସାରେ, ସିବିଆଇ ଅରବିନ୍ଦ କେଜ୍ରିୱାଲଙ୍କୁ ଗିରଫ କରି ତାଙ୍କ ହେପାଜତ ଦାବି କରିପାରେ। ମଦ ନୀତି ମାମଲାରେ ଫେଡେରାଲ ଏଜେନ୍ସି ସୋମବାର ତିହାର ଜେଲରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ପଚରାଉଚରା କରି ତାଙ୍କ ବିବୃତି ରେକର୍ଡ କରିଛି। ସୁପ୍ରିମକୋର୍ଟର ଶୁଣାଣି ଆରମ୍ଭ ହେବା ପୂର୍ବରୁ ସିବିଆଇ ଆଜି ସକାଳ ୧୦ଟାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କୁ ଏକ ଟ୍ରାଏଲ କୋର୍ଟରେ ହାଜର କରିବ।

Advertisment

ଯେହେତୁ ଅରବିନ୍ଦ କେଜ୍ରିୱାଲ ଏକ ଏନଫୋର୍ସମେଣ୍ଟ ନିର୍ଦ୍ଦେଶାଳୟ ମାମଲାରେ ନ୍ୟାୟିକ ହେପାଜତରେ ଅଛନ୍ତି, ତେଣୁ ତାଙ୍କର ଆନୁଷ୍ଠାନିକ ଗିରଫ କୋର୍ଟରେ ହୋଇପାରେ। ଯଦି ସିବିଆଇ ତାଙ୍କୁ ଗିରଫ କରେ, ତେବେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଆଜି ଜେଲରୁ ବାହାରି ପାରିବେ ନାହିଁ।

ଅବକାରୀ ନୀତି ଦୁର୍ନୀତି ମାମଲାରେ ଗିରଫ ହୋଇଥିବା କେଜ୍ରିୱାଲଙ୍କୁ ଗୁରୁବାର ଦିଲ୍ଲୀର ଗୋଟିଏ ଟ୍ରାଏଲ କୋର୍ଟ ଜାମିନ ଦେଇଥିଲେ। ହେଲେ ଜାମିନ ଉପରେ ରୋକ ଲଗାଇ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ।

ତେବେ କୋର୍ଟ କହିଛନ୍ତି, କେଜ୍ରିୱାଲଙ୍କୁ ଜାମିନ ଦେବା ବେଳେ ତଳ କୋର୍ଟ ନିଜର ମୁଣ୍ଡ ଆଦୌ ଖର୍ଚ୍ଚ କରି ନଥିଲେ। ସେହିପରି ତଦନ୍ତକାରୀ ସଂସ୍ଥା ଦାଖଲ କରିଥିବା ପ୍ରମାଣକୁ ମଧ୍ୟ କୋର୍ଟ ବିଚାରକୁ ନେଇ ନ ଥିଲେ। ଟ୍ରାଏଲ କୋର୍ଟଙ୍କ ମତ ଠିକ ନୁହେଁ। ତଦନ୍ତକାରୀ ସଂସ୍ଥା ଇଡି କରିଥିବା ଆବେଦନର ବିଚାର ପାଇଁ କିଛି ସମୟ ଆବଶ୍ୟକ।