ନୂଆଦିଲ୍ଲୀ : ସୁପ୍ରିମକୋର୍ଟ ଆଇନଜୀବୀ ଇନ୍ଦିରା ଜୟସିଂହ ଏବଂ ତାଙ୍କ ସ୍ବାମୀ ଆନନ୍ଦ ଗ୍ରୋଭରଙ୍କ ବାସଭବନ ଏବଂ ଅଫିସ୍ରେ ଆଜି ସିବିଆଇ ଚଢ଼ଉ ହୋଇଛି। ଏହି ଆଇନଜୀବୀ ଦମ୍ପତି ଦିଲ୍ଳୀ ସ୍ଥିତ ସେମାନଙ୍କ ଏନ୍ଜିଓ (ଲୟର୍ସ କଲେକ୍ଟିଭ୍) ପାଇଁ ଫରେନ୍ ଫଣ୍ଡିଂ (ବିଦେଶୀ ପାଣ୍ଠି) ନିୟମ ଉଲ୍ଲଂଘନ କରିଥିବା ମାମଲାରେ ଆଜି ସେମାନଙ୍କ ଦିଲ୍ଲୀ ଏବଂ ମୁମ୍ବାଇ ସ୍ଥିତ ବାସଭବନର ଚଢ଼ଉ ହୋଇଥିଲା। ଦିଲ୍ଲୀରେ ଇନ୍ଦିରା ଏବଂ ଆନନ୍ଦ ଗ୍ରୋଭରଙ୍କ ୫୪- ନିଜାମୁଦ୍ଦିନ୍ ଇଷ୍ଟ ହୋମ୍ ଏବଂ ‘ଲୟର୍ସ କଲେକ୍ଟିଭ୍’ର ସି-୬୫ ନିଜାମୁଦ୍ଦିନ୍ ଇଷ୍ଟ୍ ଅଫିସ୍ରେ ଆଜି ସିବିଆଇ ଦ୍ବାରା ଭୋର ୫ଟାରୁ ଚଢ଼ଉ ଆରମ୍ଭ ହୋଇଥିଲା।
କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଗତ ଜୁନ୍ ୧୮ ତାରିଖରେ ‘ଲୟର୍ସ କଲେକ୍ଟିଭ୍’ ବିରୋଧରେ ଏଫ୍ସିଆରଏ (ଫରେନ୍ କଣ୍ଡ୍ରିବ୍ୟୁସନ୍ ରେଗୁଲେସନ୍ ଆକ୍ଟ) ଉଲ୍ଳଂଘନ କରିଥିବା ନେଇ ଅପରାଧିକ ମାମଲା ରୁଜୁ କରିଥିଲା। ଗୃହ ମନ୍ତ୍ରାଳୟ ଅଭିଯୋଗ ଆଧାରରେ ଏହି ମାମଲା ରୁଜୁ ହୋଇଥିଲା। ଆନନ୍ଦ ଗ୍ରୋଭର ଏହି ଅନୁଷ୍ଠାନର ଟ୍ରଷ୍ଟି ଏବଂ ନିର୍ଦ୍ଦେଶକ। ଗୃହ ମନ୍ତ୍ରାଳୟ ଦ୍ବାରା ଅଭିଯୋଗ ହୋଇଥିଲା ଯେ ଜୟସିଂହ ୨୦୦୯ରୁ ୨୦୧୪ ପର୍ଯ୍ୟନ୍ତ ଏଏସ୍ଜି (ଆଡିସନାଲ ସଲିସିଟର ଜେନେରାଲ୍) ଥିବାବେଳେ ସେ ‘ଲୟର୍ସ କଲେକ୍ଟିଭ୍’କୁ ମିଳିଥିବା ବିଦେଶ ପାଣ୍ଠିରୁ ୯୬.୬୦ ଲକ୍ଷ ପୁରସ୍କାର ଆକାରରେ ନେଇଥିଲେ। ସେହିପରି ଜଣେ ଏଏସ୍ଜି ଭାବେ ତାଙ୍କ ବିଦେଶ ଯାତ୍ରା ଖର୍ଚ୍ଚ ମଧ୍ୟ ଲୟର୍ସ କଲେକ୍ଟିଭ୍ ବହନ କରୁଥିଲା। କିନ୍ତୁ ଏଥିପାଇଁ ମନ୍ତ୍ରାଳୟର ପୂର୍ବ ଅନୁମତି ନିଆଯାଇ ନଥିଲା। ଲୟର୍ସ କଲେକ୍ଟିଭ୍ ୨୦୦୬-୭ ଏବଂ ୨୦୧୪-୧୫ ମଧ୍ୟରେ ୩୨.୩୯ କୋଟି ବିଦେଶ ପାଣ୍ଠି ଗ୍ରହଣ କରିଥିଲା। ତେବେ ଏଥିରେ କିଛି ଅନିୟମିତତା ହୋଇଥିଲା ଯାହା ଏଫ୍ସିଆରଏ ୨୦୧୦ର ଉଲ୍ଳଂଘନ କରିଥିଲା ବୋଲି ମନ୍ତ୍ରାଳୟ ପକ୍ଷରୁ ଅଭିଯୋଗ ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/07/supreme-court-lawyer-indira-jaising.jpg)