ୟୁପିଏ ସରକାରଙ୍କ ଅମଳରେ ହୋଇଥିଲା ଏହି ୭୦ ହଜାର କୋଟି ଟଙ୍କାର ଦୁର୍ନୀତି, ତଦନ୍ତ କରୁଛି ସିବିଆଇ

ନୂଆଦିଲ୍ଲୀ : ୟୁପିଏ ସମୟର ଏକ ବଡ଼ ଦୁର୍ନୀତି ସଂପର୍କରେ ଏବେ ଖୋଳତାଡ ଆରମ୍ଭ ହୋଇଛି । ୟୁପିଏ ସରକାରଙ୍କ ସମୟରେ ହୋଇଥିବା ଏୟାରଇଣ୍ଡିଆ-ଇଣ୍ଡିଆନ ଏୟାରଲାଇନ୍ସ ମିଶ୍ରଣ ଓ ଏହି ରାଷ୍ଟ୍ରାୟତ କମ୍ପାନି ପାଇଁ କିଣାଯାଇଥିବା ୧୧୧ଟି ବିମାନ କିଣାବେଳେ ପ୍ରାୟ ୭୦ ହଜାର କୋଟି ଟଙ୍କାର ଦୁର୍ନୀତି ହୋଇଥିବା ଅଭିଯୋଗ ଆସିବା ପରେ ସୁପ୍ରିମକୋର୍ଟ ଗତ ବର୍ଷ ସିବିଆଇକୁ ତଦନ୍ତ ଭାର ଦେଇଥିଲେ ।
ନିର୍ଦ୍ଦେଶ ପାଇବା ପରେ ସୁପ୍ରିମକୋର୍ଟ ଗତ ବର୍ଷ ମଇ ମାସରେ ଏକ ମାମଲା ଦାଏର କରି ତଦନ୍ତ ଚଳାଇଛି । ଗତ ବର୍ଷେ ହେବ ସିବିଆଇର ତଦନ୍ତ ଧୀମା ଚାଲିଥିବାବେଳେ ଏବେ ଏହି ପ୍ରକ୍ରିୟାକୁ ତ୍ୱରାନ୍ଵିତ କରିଛି । ସୂଚନାଯୋଗ୍ୟ ଯେ ଦେବାଳିଆ ହୋଇଯାଇଥିବା ଏୟାରଇଣ୍ଡିଆ ୨୦୦୪ ପୂର୍ବରୁ ୪୩ଟି ବିମାନ କିଣିବା ପାଇଁ ନିଷ୍ପତ୍ତି ନେଇଥିଲା । କିନ୍ତୁ ୟୁପିଏ ସରକାର ଆସିବା ପରେ ଏହି ସଂଖ୍ୟାକୁ ୧୧୧ କୁ ବୃଦ୍ଧି କରିଥିଲେ । ବୋଇଂ ଓ ଏୟାରବସଠାରୁ ଏସବୁ ବିମାନ କିଣାବେଳେ ପ୍ରାୟ ୭୦ ହଜାର କୋଟିର ଦୁର୍ନୀତି ହୋଇଥିବା ସଂଦେହ କରାଯାଉଛି । ଗୋଟିଏ କ୍ଷତିରେ ଚାଲୁଥିବା ଏକ କମ୍ପାନି ଯିଏକି ବିଭିନ୍ନ ରୁଟରୁ ନିଜର ସେବା ବନ୍ଦ କରୁଥିଲା, ତା ପାଇଁ ସରକାରୀ ଅର୍ଥରେ ୧୧୧ଟି ବିମାନ କିଣାର ଯୌକ୍ତିକତାକୁ ନେଇ ପ୍ରଶ୍ନ ଉଠୁଛି । ଅନ୍ୟପକ୍ଷରେ ଏୟାରଇଣ୍ଡିଆ-ଇଣ୍ଡିଆନ ଏୟାରଲାଇନ୍ସ ମିଶ୍ରଣ କ୍ଷେତ୍ରରେ ମନି ଲଣ୍ଡରିଂ ହୋଇଥିବା ଅଭିଯୋଗ ମଧ୍ୟ ହୋଇଛି । ଖୋଦ ଇଡି ଓ ସିଏଜି ଏହାକୁ ନେଇ ପ୍ରଶ୍ନ ଉଠାଇଥିଲେ ।

ସମ୍ବନ୍ଧିତ ଖବର