ସିବିଆଇ ତଦନ୍ତ ନିର୍ଦେଶ ଦେଲେ ସୁପ୍ରିମକୋର୍ଟ, ବିହାର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲା

ନୂଆଦିଲ୍ଲୀ: ବିହାର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲାରେ ଆଜି ସୁପ୍ରିମକୋର୍ଟ ବଳିଷ୍ଠ ପଦକ୍ଷେପ ଗ୍ରହଣ କରିଛନ୍ତି। ରାଜ୍ୟରେ ସମୁଦାୟ ୧୭ଟି ଆଶ୍ରୟସ୍ଥଳ ମାମଲାର ତଦନ୍ତ କରିବ ସିବିଆଇ। ପୂର୍ବରୁ ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲାରେ ତଦନ୍ତ କରୁଥିବା ସିବିଆ‌ଇ ଏବେ ରାଜ୍ୟରେ ଅନ୍ୟ ୧୬ଟି ଆଶ୍ରୟସ୍ଥଳ ମାମଲାର ତଦନ୍ତ କରିବ। ଆଜି ସମସ୍ତ ମାମଲା ଗୁଡ଼ିକୁ କୋର୍ଟ ସିବିଆଇକୁ ହସ୍ତାନ୍ତର କରିଛନ୍ତି। ମୁଜାଫରପୁର ଆଶ୍ରୟସ୍ଥଳ ଦୁଷ୍କର୍ମ ମାମଲାରେ ସଠିକ୍‌ ଭାବେ ଏଫ୍‌ଆଇଆର ରୁଜୁ ହୋଇନି ଏବଂ ଅଭିଯୁକ୍ତମାନଙ୍କ ପ୍ରତି ଦୟା ପ୍ରଦର୍ଶନ କରାଯାଇଥିବାରୁ ସୁପ୍ରିମକୋର୍ଟ ଗତକାଲି ବିହାର ସରକାରଙ୍କ ଉପରେ ପ୍ରବଳ ଉଦ୍‌ବେଗ ପ୍ରକାଶ କରିଥିଲେ।  ମାମଲାଟି ବେଶ୍‌ ଗୁରୁତ୍ବପୂର୍ଣ୍ଣ ଥିଲେ ମଧ୍ୟ ଆଇପିସିର ଧାରା ୧୭୭ ଏବଂ ପୋକ୍ସ ଆଇନ ଅଧୀନରେ ମାମଲା ରୁଜୁ ହୋଇନି। ସେହିପରି ବିହାରର ୧୭ଟି ଆଶ୍ରୟସ୍ଥଳରେ ଅତି ଗୁରୁତର ଅପରାଧ ହୋଇଥିବା  ଟିଆଇଏସ୍‌ଏସ୍‌ (ଟାଟା ଇନଷ୍ଟିଚ୍ୟୁଟ୍‌ ଅଫ୍‌ ‌ସୋସିଆଲ ସାଇନ୍ସେସ୍‌) ଦର୍ଶା‌ଇଥିବାବେଳେ ବିହାର ପୁଲିସ କେବଳ ୧୦ଟି ଆଶ୍ରୟସ୍ଥଳ ବିରୋଧରେ ମାମଲା ରୁଜୁ କରିଛି। ତାହା ପୁଣି ଅତି ସାଧାରଣ ମାମଲା। ତେଣୁ ସୁପ୍ରିମକୋର୍ଟ ମାମଲାରେ ନିରପେକ୍ଷ ତଦନ୍ତ ପାଇଁ ସମସ୍ତ ମାମଲା ଗୁଡ଼ିକୁ ସିବିଆଇକୁ ହସ୍ତାନ୍ତର କରିଛନ୍ତି। ତେବେ ମାମଲାର ତଦନ୍ତ କରୁଥିବା ଅଧିକାରୀମାନଙ୍କୁ  ସୁପ୍ରିମକୋର୍ଟଙ୍କ ବିନା ଅନୁମତିରେ ବଦଳି କରାଯିବନି ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ଅନ୍ୟପକ୍ଷେ ଆଜି ବିହାର ସରକାର ସିବିଆଇ ତଦନ୍ତକୁ ବିରୋଧ କରି ସୁପ୍ରିମକୋର୍ଟଙ୍କୁ ଶେଷ ସୁଯୋଗ ଦେବାପାଇଁ ଅନୁରୋଧ କରିଥିଲେ ମଧ୍ୟ କୋର୍ଟ ସରକାରଙ୍କ ଅନୁରୋଧ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି।

ସୂଚନା‌ଯୋଗ୍ୟ ପ୍ରାରମ୍ଭରେ ସିବିଆଇ ଉକ୍ତ ଅତିରିକ୍ତ ୧୬ଟି ଆଶ୍ରୟସ୍ଥଳ ମାମଲାର ତନନ୍ତ ଦାୟିତ୍ବ ହାତକୁ ନେବନି ବୋଲି ମନା କରି ଦେଇଥିଲା। ସିବିଆଇ ମୁଖ୍ୟ ଆଲୋକ ବର୍ମାଙ୍କ ମାମଲାରେ ସୁପ୍ରିମକୋର୍ଟ ଶୁଣାଇଥିବା ଗୁରୁତ୍ବପୂର୍ଣ୍ଣ ରାୟକୁ ଆଧାର କରି ସିବିଆଇ ସମସ୍ତ  ମାମଲାର ତଦନ୍ତ କରିବନି ବୋଲି କହିଥିଲା। ଆଲୋକ ବର୍ମା ମାମଲାରେ ସୁପ୍ରିମକୋର୍ଟ କହିଥିଲେ ‌ଯେ ଅନ୍ତରୀଣ ମୁଖ୍ୟ ଏଲ୍‌ ନାଗେଶ୍ବର ରାଓ କୌଣସି ଗୁରୁତ୍ବପୂର୍ଣ୍ଣ ନୀତି ନିର୍ଦ୍ଧାରଣ କିମ୍ବା ନିଷ୍ପତ୍ତି ନେଇ ପାରିବେନି। କିନ୍ତୁ ଆଜି ଖଣ୍ଡପୀଠ ସ୍ପଷ୍ଟ କରିଛନ୍ତି ଯେ ଏହା କୋର୍ଟ ନିର୍ଦ୍ଦେଶ କ୍ଷେତ୍ରରେ ଲାଗୁ ହେବନି।

ସମ୍ବନ୍ଧିତ ଖବର