ଓଡ଼ିଶାରେ ସିବିଆଇ ତଦନ୍ତ: ଅଧିକାଂଶ ତଦନ୍ତ ଅଧପନ୍ତରିଆ

ନୂଆଦିଲ୍ଲୀ : ସିବିଆଇ ଆଜିଠାରୁ ବାହାନଗା ରେଳ ଦୁର୍ଘଟଣାର ତଦନ୍ତ ଆରମ୍ଭ କରିଛି। ରାଜ୍ୟରେ ରେଳ ଦୁର୍ଘଟଣାକୁ ନେଇ ସିବିଆଇର ଏହା ପ୍ରଥମ ତଦନ୍ତ। ଏହା ପୂ୍ର୍ବରୁ ସିବିଆଇ ଓଡ଼ିଶାର ୫ଟି ମାମଲାରେ ତଦନ୍ତ କରିଛି। ତିନିଟି ତଦନ୍ତ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶରେ ‌ହୋଇଥିବା ବେଳେ ଗୋଟିଏ ହାଇକୋର୍ଟଙ୍କ ନିର୍ଦ୍ଦେଶରେ ହୋଇଛି।

୨୦୧୧ ଜାନୁଆରି ୨୧ରେ ମନରେଗା ଦୁର୍ନୀତି, ୨୦୧୪ ମେ’ ୯ରେ ଚିଟଫଣ୍ଡ ଦୁର୍ନୀତି, ୨୦୧୫ ଜାନୁଆରି ୨୧ରେ ଟିକିରି ଶିକ୍ଷୟିତ୍ରୀ ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଠାବ କରିବା ପାଇଁ ସିବିଆଇକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ଏହି ତିନିଟି ମାମଲାରୁ ଦୁଇଟିର ତଦନ୍ତ ସିବିଆଇ ଶେଷ କରିଥିବା ବେଳେ ଚିଟ୍‌ଫଣ୍ଡ ଦୁର୍ନୀତି ଏବେ ବି ଜାରିରହିଛି। ସେହି ଭଳି ଜୁନ୍‌ ୨୦୦୨ରେ ଓଡ଼ିଶା ହାଇକୋର୍ଟ ଷ୍ଟିଲ୍‌ ବଣ୍ଡ ଦୁର୍ନୀତିର ତଦନ୍ତ ସିବିଆଇ ଉପରେ ନ୍ୟସ୍ତ କରିଥିଲେ। ଏହି ମାମଲାରେ ସିବିଆଇକୁ ସେଭଳି ସଫଳତା ମିଳିନଥିବା କୁହାଯାଉଛି। ପାରାଦୀପ ବନ୍ଦରରେ ବୁଡ଼ିରହିଥିବା ମଙ୍ଗୋଲୀୟ ଜାହାଜ ବ୍ଲାକରୋଜ୍‌ ଦୁର୍ଘଟଣାର ରହସ୍ୟ ଖୋଜିବା ପାଇଁ କେନ୍ଦ୍ର ଜାହାଜ ଚଳାଚଳ ମନ୍ତ୍ରାଳୟ ପକ୍ଷରୁ ସିବିଆଇକୁ ଲେଖାଯାଇଥିଲା। ଏହାର ତଦନ୍ତ ଏ ପର୍ଯ୍ୟନ୍ତ ଆରମ୍ଭ ହୋଇନାହିଁ।

ମନରେଗା ଦୁର୍ନୀତିରେ ସିବିଆଇ ୨୦୧୨ରେ ତଦନ୍ତ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ତଦନ୍ତକାରୀ ସଂସ୍ଥା ଓଡ଼ିଶାର ଦୁଇଜଣ ଆଇଏଏସ୍‌ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ କରିଥିଲେ। ତଦନୁସାରେ ରାଜ୍ୟ ସରକାର ୨୦୧୪ରେ ପଦକ୍ଷେପ ନେଇଥିଲେ। ଅନ୍ୟ ପକ୍ଷରେ ଚିଟ୍‌ଫଣ୍ଡ ଦୁର୍ନୀତିର ତଦନ୍ତ ଗତ ୯ ବର୍ଷ ହେଲା ଜାରିରହିଛି। ଶିକ୍ଷା ସହାୟିକା ଇତିଶ୍ରୀ ପ୍ରଧାନ ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତକୁ ଗିରଫ କରିବାପାଇଁ ସୁପ୍ରିମକୋର୍ଟର ତତ୍କାଳୀନ ବିଚାରପତି ଜଷ୍ଟିସ ରଂଜନ ଗୋଗୋଇ ସିବିଆଇକୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ। ଏହି ବହୁ ଚର୍ଚ୍ଚିତ ମାମଲାରେ ସିବିଆଇ ୨୦୧୫ ରୁ ୨୦୧୭ ମଧ୍ୟରେ ୫ଟି ଷ୍ଟାଟସ୍‌ ରିପୋର୍ଟ ସୁପ୍ରିମକୋର୍ଟରେ ଦାଖଲ କରିଥିଲା। ୨୨୩ ଜଣ ସାକ୍ଷ୍ୟଙ୍କ ମନ୍ତବ୍ୟ ରେକର୍ଡ କରାଯାଇଥିଲା। ମୁଖ୍ୟ ଅଭିଯୁକ୍ତଙ୍କ ସମ୍ପର୍କରେ ସୂଚନା ଦେବା ପାଇଁ ୨ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ହେଲେ ସିବିଆଇ ମୁଖ୍ୟ ଅଭିଯୁକ୍ତକୁ ଠାବ କରିବାରେ ବିଫଳ ହୋଇଥିଲା। ସିବିଆଇ ମାମଲାକୁ ବନ୍ଦ କରିବା ପାଇଁ ଆବେଦନ କରିବା ପରେ ସୁପ୍ରିମକୋର୍ଟ ମାମଲା ଉପରେ ନଭେମ୍ବର ୨୪, ୨୦୧୭ରେ ପୂର୍ଣ୍ଣଚ୍ଛେଦ ପକାଇଥିଲେ।

ବର୍ତ୍ତମାନ ବାହାନଗା ରେଳ ଦୁର୍ଘଟଣା ମାମଲାର ତଦନ୍ତ ଦାୟିତ୍ବ ସିବିଆଇ ନେଇଛି। ସିବିଆଇର ଏକ ଦଳ ପହଞ୍ଚି ତଦନ୍ତ ଜାରି ରଖିଛନ୍ତି। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ଲାଗି ସିବିଆଇ ଅଧିକାରୀମାନଙ୍କ ପାଇଁ ଆହ୍ବାନପୂର୍ଣ୍ଣ ହେବ ବୋଲି କୁହାଯାଉଛି। ଏହି ମାମଲାକୁ ନିର୍ଣ୍ଣାୟକ ମୋଡରେ ପହଞ୍ଚାଇବା ପାଇଁ ସିବିଆଇକୁ କେତେ ଦିନ ଲାଗିବ ତାହା ସମୟ କହିବ।

ସମ୍ବନ୍ଧିତ ଖବର