ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଭଳି ଗୁରୁତ୍ବପୂର୍ଣ୍ଣ ତଦନ୍ତକାରୀ ଏଜେନ୍ସିକୁ ରାଜ୍ୟ ମଧ୍ୟରେ ପୂରାଇ ନଦେବା ଲାଗି ନିଷ୍ପତ୍ତି ନେଇଥିବା ଆନ୍ଧ୍ର ପ୍ରଦେଶ ଓ ପଶ୍ଚିମବଙ୍ଗ ସରକାରଙ୍କୁ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟ୍ଲି ତୀବ୍ର ସମାଲୋଚନା କରିଛନ୍ତି। ସେ କହିଛନ୍ତି, ଦୁର୍ନୀତି ମାମଲାରେ କୌଣସି ରାଜ୍ୟର ସାର୍ବଭୌମତ୍ବ ନାହିଁ। କେବଳ ଦୁର୍ନୀତିକୁ ଲୁଚାଇବା ପାଇଁ ଚାହୁଥିବା ରାଜ୍ୟ ଏଭଳି ବାହାନା କରୁଛନ୍ତି। ଓଲଟା କେନ୍ଦ୍ର ଉପରେ ଦୋଷ ଲଦି ଅନେକ କିଛି ଲୁଚାଇବାକୁ ପ୍ରୟାସ କରାଯାଉଛି। ଜେଟ୍ଲି କହିଛନ୍ତି, ଆନ୍ଧ୍ର ଓ ପଶ୍ଚିମବଙ୍ଗ ସରକାର ନିଜ ଲୋକମାନଙ୍କୁ ତଦନ୍ତରୁ ସୁରକ୍ଷା ଦେବା ପାଇଁ ଶେଷରେ ଏଭଳି ନିରର୍ଥକ ଚାଲ୍ ଖେଳିଛନ୍ତି। କିନ୍ତୁ ଏହାଦ୍ବାରା ଦୁର୍ନୀତି ଲୁଚିଯିବ ନାହିଁ। ଜେଟ୍ଲିଙ୍କ କହିବାନୁଯାୟୀ ଭାରତରେ ସଂଘୀୟ ବ୍ୟବସ୍ଥା କାର୍ଯ୍ୟକାରୀ ହେଉଛି। ସିବିଆଇର ଗଠନ ମଧ୍ୟ ସେହି ଅନୁସାରେ ହୋଇଛି। ସିବିଆଇ କିମ୍ବା କେନ୍ଦ୍ର ସରକାର ନିଜ ଇଚ୍ଛା ଅନୁସାରେ କୌଣସି ରାଜ୍ୟରେ ତଦନ୍ତ କରିନଥାନ୍ତି। ବରଂ ରାଜ୍ୟ ପକ୍ଷରୁ ଅନୁରୋଧ କରାଯିବା ପରେ ସିବିଆଇ କୌଣସି ତଦନ୍ତରେ ହାତ ଦେଇଥାଏ। କିନ୍ତୁ ସିବିଆଇକୁ ଦୂରେଇବା ପାଇଁ ଚାହୁଥିବା ରାଜ୍ୟଗୁଡ଼ିକ କିଛି ଗୁରୁତ୍ବପୂର୍ଣ୍ଣ ଦୁର୍ନୀତିକୁ ଲୁଚାଇବାକୁ ଚାହୁଛନ୍ତି। ତେବେ ସିବିଆଇକୁ ଅଟକାଇବା ଦ୍ବାରା ପଶ୍ଚିମବଙ୍ଗରେ ସାରଦା ଚିଟ୍ ଫଣ୍ଡ୍ ଦୁର୍ନୀତି ରୋକିପାରିବ କି ବୋଲି ସେ ପ୍ରଶ୍ନ କରିଛନ୍ତି। ଅନ୍ୟପକ୍ଷରେ କାହାକୁ ସୁରକ୍ଷା ଦେବା ପାଇଁ ଆନ୍ଧ୍ର ପ୍ରଦେଶ ସରକାର ସିବିଆଇକୁ ରୋକିବାକୁ ଚେଷ୍ଟା କରୁଥିବା ଜେଟ୍ଲି କହିଛନ୍ତି।
ଉଲ୍ଲେଖଯୋଗ୍ୟ, ସିବିଆଇ ମାଧ୍ୟମରେ କେନ୍ଦ୍ର ସରକାର ମନମୁଖି ଭାବେ କାର୍ଯ୍ୟ କରୁଛନ୍ତି। ରାଜନୈତିକ ପ୍ରତିଶୋଧ ପାଇଁ ସରକାର ସିବିଆଇର ଦୁରୁପଯୋଗ କରୁଛନ୍ତି ବୋଲି ଶୁକ୍ରବାର ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡୁ କହିଥିଲେ। ସେ କହିଥିଲେ ଯେ ତାଙ୍କ ସରକାରକୁ ଭାଙ୍ଗିବା ପାଇଁ ସିବିଆଇ ଏବଂ ଆୟକର ବିଭାଗର ସହାୟତା ନେଇ କେନ୍ଦ୍ର ସରକାର ଷଡ଼୍ଯନ୍ତ୍ର କରୁଛନ୍ତି। ତେଣୁ ଦିଲ୍ଲୀ ପୁଲିସ ସ୍ପେସାଲ୍ ଏଷ୍ଟାବ୍ଲିସ୍ମେଣ୍ଟ ଆକ୍ଟ ୧୯୪୬ ଆଧାରରେ ହୋଇଥିବା ସହମତିକୁ ତାଙ୍କ ସରକାର ପ୍ରତ୍ୟାହାର କରିନେଇଥିବା ନାଇଡୁ ଘୋଷଣା କରିଥିଲେ। ଏହାପରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତାଙ୍କୁ ସମର୍ଥନ କରିବା ସହ ତାଙ୍କ ରାଜ୍ୟରେ ମଧ୍ୟ ସିବିଆଇ ତଦନ୍ତକୁ ରୋକାଯିବ ବୋଲି କହିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/11/Untitled-1-13.jpg)