ସିବିଆଇକୁ ଅଟକାଇଲେ ଦିଦି : କମିସନରଙ୍କ ଘର ଆଗରେ ପୁଲିସ-ସିବିଆଇ ଧସ୍ତାଧସ୍ତି

କୋଲକାତାରେ ହାଇଡ୍ରାମା, ଧାରଣାରେ ବସିଲେ ମମତା, ସୁପ୍ରିମ୍‌କୋର୍ଟ ଯିବେ କେନ୍ଦ୍ର ସରକାର

କୋଲକାତା : କୋଲକାତାରେ ଆଜି ଏକ ଅଭାବନୀୟ ପରିସ୍ଥିତି ଦେଖିବାକୁ ମିଳିଛି। ଚିଟଫଣ୍ଡ ଦୁର୍ନୀତି ମାମଲାରେ ‌େକାଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ଯାଇଥିବା ସିବିଆଇ ଅଧିକାରୀମାନଙ୍କୁ ରାଜ୍ୟ ପୁଲିସ ଧରି ନେଇ ଥାନାରେ ଅଟକ ରଖିବା ଯୋଗୁଁ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହୋଇଛି। ସିବିଆଇକୁ ବିରୋଧ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ମଇଦାନକୁ ଓହ୍ଲାଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ଏବଂ ବିଜେପି ସଭାପତି ଅମିତ ଶାହଙ୍କ ଉପରେ ବର୍ଷିଛନ୍ତି। କହିଛନ୍ତି ଯେ ସେମାନଙ୍କ କଥାରେ ପଡ଼ି ସିବିଆଇ ପଶ୍ଚିମ ବଙ୍ଗ ପୁଲିସକୁ ହଇରାଣ କରୁଛି। ଏଭଳି ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ହେଉଛନ୍ତି ଜାତୀୟ ସୁରକ୍ଷା ଉପଦେଷ୍ଟା ଅଜିତ ଡୋଭାଲ। ତେବେ ସେ ଏହା କରାଇଦେବେ ନାହିଁ। କେନ୍ଦ୍ରର ଏଭଳି ରାଜନୀତିର ବିରୋଧ କରି ସେ ଧାରଣାରେ ବସିଛନ୍ତି।

କେନ୍ଦ୍ର ସରକାର ମଧ୍ୟ ମମତାଙ୍କ ଏଭଳି ଆଚରଣର ସମାଲୋଚନା କରିଛନ୍ତି। ସେ ସିବିଆଇ ତଦନ୍ତରେ ବାଧା ଦେଉଥିବାରୁ ଆସନ୍ତାକାଲି କେନ୍ଦ୍ର ସରକାର ସୁପ୍ରିମ କୋର୍ଟ ଯିବେ। ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କାଲି ସୁପ୍ରିମ କୋର୍ଟରେ ଏସଂପର୍କରେ ପିଟିସନ ଦାୟର କରିବେ।

ଆଜି ସନ୍ଧ୍ୟା‌ ବେଳେ ସିବିଆଇର ଏକ ୫ ଜଣିଆ ଟିମ୍ କୋଲକାତା ପୁଲିସ କମିସନରଙ୍କ ଘରେ ପହଂଚିବା ପରେ ହିଁ ଡ୍ରାମା ଆରମ୍ଭ ହୋଇଯାଇଥିଲା। କମିସନରଙ୍କ ଘର ଆଗରେ ମୁତୟନ ସୁରକ୍ଷା କର୍ମୀ ସିବିଆଇ ଅଧିକ‌ାରୀମାନଙ୍କୁ ଭିତରକୁ ଛାଡ଼ି ନଥିଲେ। ଖବର ପାଇ ସେଠାରେ ଅଧିକ ସଂଖ୍ୟକ ପୁଲିସ ପହଂଚିଥିଲେ। ସେମାନଙ୍କ ସହିତ ସିବିଆଇ ଅଧିକାରୀମାନଙ୍କର ଧସ୍ତାଧସ୍ତି ହୋଇଥିଲା। ଏହାପରେ ପୁଲିସ ‌େସମାନଙ୍କୁ ଭ୍ୟାନରେ ବସାଇ ନିକଟସ୍ଥ ଥାନାକୁ ନେଇ ଯାଇଥିଲା। ସିବିଆଇ ଅଧିକାରୀମାନଙ୍କୁ ପୁଲିସ ଗିରଫ କରିଛି ବୋଲି କୁହାଯାଉଥିବା ବେଳେ ରାଜ୍ୟ ପୁଲିସ ଏହାକୁ ଖଣ୍ଡନ କରିଛି। ପୁଲିସ କହିଛି ଯେ କାଗଜପତ୍ର ଯାଞ୍ଚ ପାଇଁ ସିବିଆଇ ଅଧିକାରୀମାନଙ୍କୁ ଅଟକ ରଖାଯାଇଥିଲା।

ଖବର ପାଇ ଏହାର କିଛି ସମୟ ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପୁଲିସ କମିସନରଙ୍କ ଘରେ ପହଂଚିଥିଲେ। ରାଜ୍ୟ ପୁଲିସ ଡିଜି, ମେୟର ଏବଂ ଅନେକ ବରିଷ୍ଠ ପୁଲିସ ଅଧିକାରୀ ମଧ୍ୟ ସେଠାରେ ପହଂଚିଥିଲେ। ସେଠାରେ ଏକ ବୈଠକ କରି ପରିସ୍ଥିତିର ସମୀକ୍ଷା କରିଥିଲେ ମମତା ବାନାର୍ଜୀ।

ପରେ ବାହାରକୁ ଆସି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଗଣମାଧ୍ୟମ ପ୍ରତନିଧିଙ୍କୁ କହିଥିଲେ ‌େଯ ରାଜନୈତିକ ଭାବେ ତାଙ୍କ ମୁକାବିଲା କରିବାକୁ ମୋଦୀ-ଶାହଙ୍କର ସାହସ ନାହିଁ। ତେଣୁ ରାଜ୍ୟ ପୁଲିସ ଓ ଅନ୍ୟ ସରକାରୀ ଅନୁଷ୍ଠାନକୁ କବଜା କରିବା ଲାଗି ଉଦ୍ୟମ ଚଳାଇଛନ୍ତି। ଏଥିରେ ମୁଖ୍ୟ ଷଡ଼ଯନ୍ତ୍ରକାରୀ ହେଉଛନ୍ତି ଅଜିତ ଡୋଭାଲ। କୋଲକାତାରେ ବିରୋଧୀ ଦଳର ମହାସମାବେଶ ନକରିବା ଲାଗି ତାଙ୍କ ଉପରେ ଚାପ ପଡ଼ୁଥିଲା। କିନ୍ତୁ ସେ ସେମାନଙ୍କ କଥା ନଶୁଣିବାରୁ ମୋଦୀ ଏବେ ପଶ୍ଚିମ ବଙ୍ଗକୁ ଧ୍ବଂସ କରିବାକୁ ବସିଛନ୍ତି। ପୁଲିସ ଅଧିକାରୀଙ୍କୁ ଟାର୍ଗେଟ କରାଯାଉଛି। କେନ୍ଦ୍ର ସରକାର ରାଜନୈତିକ ପ୍ରତିଶୋଧ ନେବାକୁ ସିବିଆଇ ମାଧ୍ୟମରେ ଦାଉ ସାଧୁଛନ୍ତି । ପୁଲିସ କମିସନର ରାଜୀବ କୁମାରଙ୍କ ସପକ୍ଷରେ ଯୁକ୍ତି କରି ସେ କହିଛନ୍ତି କୁମାର ହେଉଛନ୍ତି ବିଶ୍ବର ଶ୍ରେଷ୍ଠ ଅଫିସର। ମୋଦୀ-ଶାହଙ୍କ ଅଭିଯାନକୁ ସେ କେବେ ବି ସଫଳ ହେବାକୁ ଦେବେନାହିଁ। ଏହାର ପ୍ରତିବାଦ କରି ସେ ମେଟ୍ରୋ ସିନେମା ହଲ ପାଖରେ ଧାରଣାରେ ବସିଛନ୍ତି।

ଇତିମଧ୍ୟରେ କଂ‌ଗ୍ରେସ ସଭାପତି ରାହୁଲ ଗାନ୍ଧୀ, ଅଖିଳେଶ ଯାଦବ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ଲାଲୁ ପ୍ରସାଦ ଯାଦବ, ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁ, ଶରଦ ଯାଦବ, ମାୟାବତୀ, ଓମାର ଅବଦୁଲ୍ଲା, ତେଜଶ୍ବୀ ଯାଦବଙ୍କ ସମେତ ଅନେକ ବିରୋଧୀ ଦଳ ନେତା ଆଜି ମମତାଙ୍କୁ ଫୋନ କରି ତାଙ୍କୁ ସମର୍ଥନ ଜଣାଇଛନ୍ତି।

ପୁଲିସ କମିସନରଙ୍କ ବାସଭବନ ଏବଂ ଧାରଣାସ୍ଥଳରେ ମମତାଙ୍କ ସମର୍ଥକଙ୍କ ଭିଡ଼ ଲାଗିଥିବାରୁ ଉତ୍ତେଜନା ପରିସ୍ଥିତି ଲାଗି ରହିଛି। ରାଜ୍ୟର ବିଭିନ୍ନ ସ୍ଥାନରେ ତୃଣମୂଳ କଂଗ୍ରେସ କର୍ମୀମାନେ ପ୍ରଧାନମନ୍ତ୍ରୀଙ୍କର କୁଶପୁତ୍ତଳିକା ଦାହ କରିବା ସହିତ ବିକ୍ଷୋଭ କରୁଥିବା ମଧ୍ୟ ଜଣାପଡ଼ିଛି। ପାର୍ଟି ପକ୍ଷରୁ ଆସନ୍ତାକାଲି ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ ବୋଲି କୁହାଯାଇଛି।

ସିବିଆଇ ମୁଖ୍ୟ ନାଗେଶ୍ବର ରାଓ କହିଛନ୍ତି ଯେ କୋଲକାତା ସିବିଆଇ ଅଫିସକୁ ତୃଣମୂଳ କଂଗ୍ରେସ କର୍ମୀମାନେ ଘେରି ରହିଛନ୍ତି। ଅଫିସର ସୁରକ୍ଷା ଲାଗି ସିଆରପିଏଫ୍ ର ସହାୟତା ଲୋଡ଼ାଯାଇଛି। ମମତା ଧାରଣାରେ ବସିବା ପରେ ରାଜ୍ୟ ପୁଲିସ ସିବିଆଇ ଅଫିସ ଆଗରୁ ହଟିଯାଇଛି। ସିବିଆଇ ଅଫିସକୁ ସୁରକ୍ଷା ଦେବା ଲାଗି ଆଜି ରାତିରେ ସିଆରପି ଫୋର୍ସ ପହଂଚିଛଦନ୍ତି।

ଇତିମଧ୍ୟରେ ସିବିଆଇ ଅଧିକାରୀଙ୍କୁ ପୁଲିସ ଛାଡ଼ିଦେଇଛି। ଏହି ଅଧିକାରୀମାନେ ଆଜି ରାତିରେ ରାଜ୍ୟପାଳଙ୍କୁ ଭେଟିବେ ବୋଲି ଜଣାପଡ଼ିଛି। ତେବେ ରାଜ୍ୟପାଳ ଆଜି ରାତିରେ ମୁଖ୍ୟ ସଚିବ ଓ ପୁଲିସ ଡିଜିଙ୍କୁ ସମନ୍ କରିଥିବାର ଖବର ମିଳିଛି।

ସୂଚନାଯୋଗ୍ୟ, ଚିଟଫଣ୍ଡ ଦୁର୍ନୀତି ମାମଲାରେ ସିବିଆଇ ଦୁଇ ବର୍ଷ ହେଲା ପୁଲିସ କମିସନର କୁମାରଙ୍କୁ ସମନ କରୁଥିଲେ ମଧ୍ୟ ସେ ହାଜର ହେଉନାହାନ୍ତି। କୁହାଯାଉଛି ‌େଯ କୁମାରଙ୍କ ନେତୃତ୍ବରେ ଏକ ଟିମ ଦୁର୍ନୀତି ମାମଲାର ଯାଞ୍ଚ କରୁଥିବା ବେଳେ କେତେକ ନେତାଙ୍କ ସଂପର୍କରେ ଫାଇଲକୁ ଗାଏବ କରିଦିଆଯାଇଛି। କୁମାର ହାଜର ହେଉନଥିବାରୁ ସିବିଆଇ ଗତକାଲି ସୂଚନା ଦେଇଥିଲା ଯେ କୁମାର ଫେରାର ହୋଇଯାଇଛନ୍ତି ଏବଂ ତାଙ୍କୁ ଗିରଫ କରାଯାଇପାରେ। ଏଭଳି ରିପୋର୍ଟକୁ ଖଣ୍ଡନ କରିବାକୁ ଯାଇ କୋଲକାତା ପୁଲିସର ଅତିରିକ୍ତ କମିସନର ସାମ୍ବାଦିକ ସମ୍ମିଳନୀ ଡାକିଥିଲେ। ଏଭଳି ମିଛ ଖବର ଛାପୁଥିବା ଗଣମାଧ୍ୟମ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଧମକ ଦେଇଥିଲେ। ଏହି ସାମ୍ବାଦିକ ସମ୍ମିଳନୀର କିଛି ସମୟ ପରେ ସିବିଆଇ ଅଧିକାରୀ ପୁଲିସ କମିସନରଙ୍କ ଘରକୁ ଯାଇଥିଲେ। ସେଠାରେ ପୁଲିସ ସେମାନଙ୍କୁ ଅଟକାଇବାରୁ ବିବାଦ ଆରମ୍ଭ ହୋଇଥିଲା।

ସମ୍ବନ୍ଧିତ ଖବର