ଲୁକ ଆଉଟ ନୋଟିସ ଜାରି କଲା ସିବିଆଇ: ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ମମତାଙ୍କ ବିଶ୍ୱସ୍ତ ଅଫିସର ରାଜୀବ କୁମାର

କୋଲକାତା : ମମତାଙ୍କ ବିଶ୍ୱସ୍ତ ଅଫିସର ତଥା କୋଲକାତାର ପୂର୍ବତନ ପୁଲିସ ଅଫିସର ରାଜୀବ କୁମାରଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଛି ସିବିଆଇ । ମେ ୨୩ରେ ରାଜୀବଙ୍କ ବିରୋଧରେ ଏହି ଲୁକ ଆଉଟ ନୋଟିସ ଜାରି କରିଥିଲା ସିବିଆଇ । ଯାହା ଫଳରେ ଏବେ ରାଜୀବ କୁମାରଙ୍କ ବିଦେଶ ଯାତ୍ରା ପୂର୍ବରୁ ସିବିଆଇକୁ ସୂଚନା ଦେବେ ବିମାନବନ୍ଦର କର୍ତ୍ତୃପକ୍ଷ ।

ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ରହିଥିବା ଶାରଦା ଓ ରୋଜଭ୍ୟାଲି ଚିଟଫଣ୍ଡ ଯାଞ୍ଚକୁ ଠିକ୍‌ ଭାବେ କରିନଥିବା ନେଇ ରାଜୀବ କୁମାରଙ୍କ ବିରୋଧରେ ଅଭିଯୋଗ ରହିଥିଲା । ଏପରିକି ଚିଟଫଣ୍ଡ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ପ୍ରମାଣ ନଷ୍ଟ କରିଥିବାର ଅଭିଯୋଗ ହୋଇଥିଲା । ଯାହା ପାଇଁ ନିର୍ବାଚନ ପରେ ଏହି ମାମଲାରେ ପଚରାଉଚରା କରିବା ପାଇଁ ସିବିଆଇ ରାଜୀବଙ୍କୁ ଗିରଫ କରିବାକୁ ଚାହୁଁଛି । ପୂର୍ବରୁ ରାଜୀବ କୁମାରଙ୍କୁ ଗିରଫଦାରୀ ଉପରେ ମେ ୨୪ପର୍ଯ୍ୟନ୍ତ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ । କିନ୍ତୁ ଏହି ସମୟସୀମା ସରିବା ପରେ ରାଜୀବଙ୍କ ବିରୋଧରେ ଲୁକ୍‌ ଆଉଟ ନୋଟିସ ଜାରି କରାଯାଇଛି ।

indiatoday.in

ଲୁକଆଉଟ ନୋଟିସ ଜାରି କରାଯିବା ପରେ ରାଜୀବ କୁମାରଙ୍କୁ ଯେ କୌଣସି ମୁହୂର୍ତ୍ତରେ ଗିରଫ କରିପାରେ ପୁଲିସ । ଏପରିକି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ରାଜୀବ କୁମାରଙ୍କ ତଲାସି କରାଯାଉଛି । ପୂର୍ବରୁ ଏହି ମାମଲାରେ ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ଯିବା ବେଳେ ପଶ୍ଚିମବଙ୍ଗ ପୁଲିସ ଓ ସିବିଆଇ ଅଧିକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ଦେଖିବାକୁ ମିଳିଥିଲା । ଏପରିକି ସିବିଆଇ ଅଧିକାରୀଙ୍କୁ ପୁଲିସ ନିଜ ହେପାଜତକୁ ନେବାକୁ ମଧ୍ୟ ପଛାଇ ନଥିଲା । ଯାହାକୁ ନେଇ ବିବାଦ ଦେଖା ଦେଇଥିଲା ।

ସମ୍ବନ୍ଧିତ ଖବର