ନୂଆଦିଲ୍ଲୀ: ଅଗଷ୍ଟା ୱେଷ୍ଟଲ୍ୟାଣ୍ଡ ମାମଲାରେ ସିବିଆଇ ଏକ ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ଦାଖଲ କରିଛି, ଯେଉଁଥିରେ ମଧ୍ୟସ୍ଥି କ୍ରିସ୍ଟେନ୍ ମିସେଲଙ୍କ ସମେତ ୧୫ଜଣ ବ୍ୟକ୍ତିଙ୍କ ନାମ ରହିଛି। ମଧ୍ୟସ୍ଥି କ୍ରିସ୍ଟେନ୍ ମିସେଲଙ୍କୁ ଡିସେମ୍ବର ୨୦୧୮ରେ ଦୁବାଇରୁ ଭାରତକୁ ପଠାଯାଇଥିଲା ଏବଂ ଏବେ ସେ ଦିଲ୍ଲୀର ତିହାର ଜେଲରେ ରହିଛନ୍ତି।
ପୂର୍ବତନ ସିଏଜି ଶଶି କାନ୍ତ ଶର୍ମାଙ୍କ ନାଁ ଏହି ଚାର୍ଜସିଟରେ ନାହିଁ କାରଣ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସିବିଆଇ ଏପର୍ଯ୍ୟନ୍ତ ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ ମଞ୍ଜୁରୀ ପାଇନାହିଁ। ଗତ ସପ୍ତାହରେ ଶ୍ରୀ ଶର୍ମା ଏବଂ ପୂର୍ବତନ ଏୟାର ଭାଇସ ମାର୍ଶଲ ଜସବୀର ସିଂ ପାନେସରଙ୍କ ବିରୋଧରେ ମାମଲା ରୁଜୁ କରିବାକୁ ଅନୁମତି ଦିଆଯାଇଛି ବୋଲି ଏଜେନ୍ସି ସୂତ୍ରରୁ ପ୍ରକାଶ ପାଇଥିଲା।
/sambad/media/post_attachments/84b0d0f7a2946e5bf3b0e40c9507ca74dae78c6252ecebdc6bc940bcf76288f1.jpg)
ସପ୍ଲିମେଣ୍ଟାରୀ ଚାର୍ଜସିଟ୍ ରେ କ୍ରିସ୍ଟେନ୍ ମିସେଲଙ୍କ ଭୂମିକା ଉପରେ ଅଧିକ ଧ୍ୟାନ ଦିଅାଯାଇଛି ଏବଂ ଅଗଷ୍ଟା ୱେଷ୍ଟଲ୍ୟାଣ୍ଡକୁ ଚୁକ୍ତିନାମା ପ୍ରଦାନ କରାଯିବା ନିଶ୍ଚିତ କରିବାକୁ ସେ ଅମଲାତନ୍ତ୍ରକୁ କିପରି ପ୍ରଭାବିତ କରିଥିଲେ ସେ ବିଷୟରେ ବିସ୍ତୃତ ବିବରଣୀ ଦିଅାଯାଇଛି | ଗତ ବର୍ଷ ଜାନୁଆରୀରେ ଭାରତକୁ ପଠାଯାଇଥିବା ଦୁବାଇର ଜଣେ ବ୍ୟବସାୟୀ ରାଜୀବ ସକ୍ସେନାଙ୍କ ସହାୟତାରେ ସେ କିପରି ଲାଞ୍ଚ ଗ୍ରହଣ କରିଥିଲେ ଏବଂ ସରକାରୀ ଅଧିକାରୀଙ୍କ ନିକଟକୁ ହସ୍ତାନ୍ତର କରିଥିଲେ, ସେ ନେଇ ଏଥିରେ ବିସ୍ତୃତ ବିବରଣୀ ଦିଆଯାଇଛି। ସିବିଆଇ ପାଞ୍ଚଟି ଦେଶରୁ ଅନେକ ଡକ୍ୟୁମେଣ୍ଟ ଏବଂ ପ୍ରମୁଖ ପ୍ରମାଣ ସଂଗ୍ରହ କରିଛି। ଏହି ଦେଶଗୁଡ଼ିକ ହେଉଛି ବ୍ରିଟେନ, ୟୁନାଇଟେଡ ଆରବ ଏମିରେଟ୍ସ, ମରିସସ୍, ଇଟାଲୀ ଏବଂ ଟ୍ୟୁନିସିଆ |
ସୂଚନା ମୁତାବକ, ଅସ୍ତ୍ରଶସ୍ତ୍ର ନିର୍ମାଣକାରୀ କମ୍ପାନୀ ଫିନ୍ମେକାନିକାରୁ ୧୨ଟି ଅଗଷ୍ଟା ୱେଷ୍ଟଲାଣ୍ଡ ହେଲିକପ୍ଟର୍ କିଣିବା ପାଇଁ ୨୦୧୦ରେ ଭାରତ ସରକାର ଚୁକ୍ତି କରିଥିଲେ I ଭିଭିଆଇପିଙ୍କ ପାଇଁ ଉଦ୍ଦିଷ୍ଟ ଏହି ହେଲିକପ୍ଟର୍ କାରବାରରେ ମିସେଲ ମଧ୍ୟସ୍ଥି ହୋଇ ୨୨୫କୋଟି ଟଙ୍କା କମିସନି ନେଇଥିବା ଅଭିଯୋଗ ହୋଇଥିଲା। ଏହି ଅଭିଯୋଗ ଆସିବାର ଚାରି ବର୍ଷ ପରେ ଉକ୍ତ ଚୁକ୍ତିକୁ ରଦ୍ଦ କରିଦିଆଯାଇଥିଲା।