ମାଲ୍ୟା ମାମଲାରେ ସଫଳତା ପଛରେ ସିବିଆଇ ଅଧିକାରୀ ସୁମନ କୁମାର

ନୂଆଦିଲ୍ଲୀ: ବ୍ୟାଙ୍କ୍‌ ଋଣ ପରିଶୋଧ ନକରି ଦେଶରୁ ଚମ୍ପଟ ମାରିଥିବା ପଳାତକ ମଦ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ଏବେ ବଡ଼ ଝଟ୍‌କା ମିଳିଛି। ଭାରତର ସୁଚିନ୍ତିତ ରଣନୀତି ଯୋଗୁଁ ବ୍ରିଟେନ୍‌ର ସର୍ବୋଚ୍ଚ ନ୍ୟାୟାଳୟ ପ୍ରତ୍ୟର୍ପଣକୁ ଚ୍ୟାଲେଂଜ କରି ମାଲ୍ୟା କରିଥିବା ଆବେଦନକୁ ଖାରଜ କରିଦେଇଛନ୍ତି। ଦୀର୍ଘ ୩ ବର୍ଷ ଧରି ସିବିଆଇ ଅଧିକାରୀ ସୁମନ କୁମାର କରିଥିବା ପରିଶ୍ରମର ସୁଫଳ ଏବେ ଦେଶକୁ ମିଳିଛି। କିଙ୍ଗ୍‌ଫିସର କମ୍ପାନିର ମାଲିକ ବିଜୟ ମାଲ୍ୟାଙ୍କ ପ୍ରତ୍ୟାର୍ପଣ ସଂକ୍ରାନ୍ତ ଏହି ମାମଲା ଆଇଡିବିଆଇ ବ୍ୟାଙ୍କ୍‌ର ୯୦୦ କୋଟି ଟଙ୍କାର ଋଣ ଖିଲାଫି ସହ ସଂପୃକ୍ତ। ମାଲ୍ୟାଙ୍କ ବିରୋଧରେ ବିଭିନ୍ନ ବ୍ୟାଙ୍କ୍‌ର ୯୦୦୦ କୋଟି ଟଙ୍କାର ଋଣ ଖିଲାଫି ମାମଲାର ତଦନ୍ତ ଚାଲିଛି।

ସିବିଆଇ ଅଧିକାରୀ ସୁମନ କୁମାର ଅକ୍ଟୋବର ୨୦୧୫ରେ ଏହି ମାମଲାର ତଦନ୍ତ ଭାର ହାତକୁ ନେଇଥିଲେ। କୁମାର ଏବେ ସିବିଆଇରେ ଅତିରିକ୍ତ ଅଧିକ୍ଷକ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ସୁମନ କୁମାର ମାଲ୍ୟାଙ୍କ ବିରୋଧରେ ପ୍ରତ୍ୟେକ ଏଫ୍‌ଆଇଆର୍‌ ସଂକ୍ରାନ୍ତରେ ବଳିଷ୍ଠ ଦସ୍ତାବିଜ ପ୍ରସ୍ତୁତ କରିଥିଲେ ଏବଂ ପ୍ରତ୍ୟେକ ପ୍ରମାଣକୁ ଟିକିନିଖି ଭାବେ ଉପସ୍ଥାପନ କରିଥିଲେ। ୨୦୦୨ରେ ତତ୍କାଳୀନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ ସୁମନ କୁମାରଙ୍କୁ ସିବିଆଇର ଶ୍ରେଷ୍ଠ ଅଧିକାରୀ ଭାବେ ସ୍ବର୍ଣ୍ଣପଦକ ପ୍ରଦାନ ପୂର୍ବକ ସମ୍ମାନିତ କରିଥିଲେ। ୫୫ ବର୍ଷୀୟ କୁମାର ମାଲ୍ୟା ମାମଲାରେ ପ୍ରତ୍ୟେକ ଶୁଣାଣିରେ ଭାରତର ପକ୍ଷକୁ ସୁଦୃଢ଼ କରିବାକୁ କୌଣସି ସୁଯୋଗ ହାତଛଡ଼ା କରିନଥିଲେ।

ସମ୍ବନ୍ଧିତ ଖବର