ନୂଆଦିଲ୍ଲୀ: କଳାହାଣ୍ଡିରେ ଧାନ ସଂଗ୍ରହ‌ରେ ବ୍ୟାପକ ଦୁର୍ନୀତି ହୋଇଥିବା ଅଭିଯୋଗ କରି ଏହାର ତଦନ୍ତ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ଦ୍ବାରା କରାଯିବା ପାଇଁ ଗୃହ ମନ୍ତ୍ରୀ ଅମିତ ଶାହଙ୍କ ନିକଟରେ ଦାବି କରିଛନ୍ତି ବିଜେପି ସାଂସଦ ବସନ୍ତ ପଣ୍ଡା। ଏହି ମର୍ମରେ ସାଂସଦ ଶ୍ରୀ ପଣ୍ଡା ବ୍ୟକ୍ତିଗତଭାବେ ଗୃହମନ୍ତ୍ରୀ ଶ୍ରୀ ଶାହଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି। କଳାହାଣ୍ଡି ସଂସଦୀୟ କ୍ଷେତ୍ରରେ ୨୦୧୪ରୁ ୨୦୨୩ ମଧ୍ୟରେ ଧାନ ସଂଗ୍ରହରେ ୫ ହଜାର କୋଟିରୁ ଅଧିକ ରାଶିର ଦୁର୍ନୀତି ହୋଇଥିବା ସେ କେନ୍ଦ୍ରମନ୍ତ୍ରୀଙ୍କୁ ପ୍ରଦାନ କରିଥିବା ସ୍ମାରକପତ୍ରରେ ଉଲ୍ଲେଖ କରିଛନ୍ତି। ଏଥି ସହିତ ରାଜ୍ୟ ସରକାରଙ୍କ ଭୁଲ୍‌ ନୀତି ଯୋଗୁ ଉପରୋକ୍ତ ସମୟ ଅବଧିରେ ୫୦ ଲକ୍ଷ କ୍ବିଣ୍ଟାଲ ଧାନ କଟ୍‌ନିଛଟ୍‌ନି ପ୍ରକ୍ରିୟାରେ ଲୁଟ୍‌ ହୋଇଥିବା ଦର୍ଶାଯାଇଛି।

Advertisment

ଉଲ୍ଲେଖଯୋଗ୍ୟ,ଗତକାଲି ସାଂସଦ ଶ୍ରୀ ପଣ୍ଡା କେନ୍ଦ୍ର କୃଷିମନ୍ତ୍ରୀ ଅର୍ଜୁନ ମୁଣ୍ଡାଙ୍କୁ ସାକ୍ଷାତ କରି ଉପ‌ରୋକ୍ତ ପ୍ରସଙ୍ଗରେ ସିବିଆଇ ତଦନ୍ତ ଦାବି କରିଥିଲେ। ଦୁଇ କେନ୍ଦ୍ରମନ୍ତ୍ରୀ ମାମଲାକୁ ବିଚାର କରାଯାଇ ଉପଯୁକ୍ତ ପଦକ୍ଷେପ ନିଆଯିବା ନେଇ ଆଶ୍ବାସନା ଦେଇଥିବା ଶ୍ରୀ ପଣ୍ଡା କହିଛନ୍ତି।