ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସରକାରୀ ବାସଭବନ ନିର୍ମାଣରେ ଟେଣ୍ଡର ନିୟମ ଉଲ୍ଲଂଘନ ସମେତ ଅନିୟମିତତାର ତଦନ୍ତ ପାଇଁ କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ପ୍ରାଥମିକ ତଦନ୍ତ (ପିଇ) ଆରମ୍ଭ କରିଛି। ଦିଲ୍ଲୀ ସରକାରଙ୍କ ଜଣେ ଅଜ୍ଞାତ ସରକାରୀ କର୍ମଚାରୀଙ୍କ ବିରୋଧରେ ଏହି ତଦନ୍ତ ଦାୟର କରାଯାଇଛି। ଯଦି ତଦନ୍ତରୁ ପର୍ଯ୍ୟାପ୍ତ ତଥ୍ୟ ସାମ୍ନାକୁ ଆସେ ତେବେ ଜାତୀୟ ତଦନ୍ତକାରୀ ଏଜେନ୍‌ସି ସିବିଆଇ ଏ ସଂପର୍କରେ ଏକ (ଆରସି) ବା ‘ନିୟମିତ ମାମଲା’ ରୁଜୁ କରିବ।

Advertisment

ସିବିଆଇ ଦିଲ୍ଲୀ ସରକାରଙ୍କ ପୂର୍ତ୍ତ ବିଭାଗକୁ ଏ ସଂପର୍କରେ ଚିଠି ଲେଖି ପିଡବ୍‌ଲ୍ୟୁଡି ଅଧିକାରୀଙ୍କ ଅନୁମୋଦନ କିମ୍ବା ସଂଶୋଧନର ରେକର୍ଡ ସମେତ ସମସ୍ତ ଦସ୍ତାବିଜର ନକଲ ପ୍ରଦାନ କରିିବାକୁ କହିଛି। ବିଲ୍‌ଡିଂ ପ୍ଲାନ୍‌ ଅନୁମୋଦନ ଏବଂ ମାର୍ବଲ ଫ୍ଲୋରିଂ ସମେତ ଉନ୍ନତ ‘ସ୍ପେସିଫିକେସନ୍‌’ କାର୍ଯ୍ୟ ସମ୍ପାଦନ ପାଇଁ ଅନୁରୋଧ ସମ୍ବନ୍ଧୀୟ ଦସ୍ତାବିଜ ଏବଂ ଠିକାଦାରଙ୍କୁ ଦେୟ ବିବରଣୀ ମଧ୍ୟ ମାଗିଛି। ଆସନ୍ତା ମଙ୍ଗଳବାର ପୂର୍ବାହ୍ନ ୧୦ଟା ସୁଦ୍ଧା ଏସବୁ ସିବିଆଇରେ ଦାଖଲ କରାଯିବ।

ଅନ୍ୟପକ୍ଷରେ କେଜ୍ରିଓ୍ଵାଲଙ୍କ ଆମ୍‌ ଆଦମୀ ପାର୍ଟି (ଆପ୍‌) ଅଭିଯୋଗ କରିଛି ଯେ ବିଜେପି ନିଜର ସମସ୍ତ ଶକ୍ତି ପ୍ରୟୋଗ କରି ଦଳକୁ ଭାଙ୍ଗିବାକୁ ଉଦ୍ୟମ କରୁଛି। ଏପର୍ଯ୍ୟନ୍ତ ବିଜେପି କେଜ୍ରିୱାଲଙ୍କ ବିରୋଧରେ ୫୦ରୁ ଅଧିକ ମାମଲା ରୁଜୁ କରିଛି। ସେଗୁଡ଼ିକରୁ କିଛି ବାହାରିଲା ନାହିଁ ଏବଂ ଏଥିରୁ ମଧ୍ୟ କିଛି ବାହାରିବ ନାହିଁ। ବିଜେପି ଯେତେ ତଦନ୍ତ କଲେ ବି ଅରବିନ୍ଦ କେଜ୍ରିୱାଲ ସାଧାରଣ ଲୋକଙ୍କ ସ୍ୱାର୍ଥ ପାଇଁ ଲଢ଼େଇ ଜାରି ରଖିବେ। କେଜ୍ରିୱାଲ୍ ଭାରତକୁ ବିଶ୍ୱର ଏକ ନମ୍ବର ଦେଶରେ ପରିଣତ କରିବେ ବୋଲି ଶପଥ ନେଇଛନ୍ତି ଏବଂ ଏଥିପାଇଁ ସେ ଯେକୌଣସି ମୂଲ୍ୟ ଦେବାକୁ ପ୍ରସ୍ତୁତ ଅଛନ୍ତି ବୋଲି ଆପ୍‌ ପକ୍ଷରୁ କୁହାଯାଇଛି।