ସିବିଏସଇ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗ: ଲିକ୍‌ ପଛରେ କୋଚିଂ ସେଣ୍ଟର

ନୂଆଦିଲ୍ଲୀ: ସିବିଏସ୍‌ଇ ପ୍ରଶ୍ନପତ୍ର ପ୍ରଘଟ ମାମଲା ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ଏହାକୁ ନେଇ ଦିଲ୍ଲୀରେ ଛାତ୍ରଛାତ୍ରୀମାନେ ଆଜି ରାସ୍ତାକୁ ଓହ୍ଲାଇଛନ୍ତି। ପୁଣିଥରେ ଦଶମ ଶ୍ରେଣୀ ଗଣିତ ଏବଂ ଦ୍ୱାଦଶ ଶ୍ରେଣୀ ଅର୍ଥଶାସ୍ତ୍ର ପରୀକ୍ଷା କରାଯିବ ବୋଲି ଗତକାଲି ସିବିଏସ୍‌ଇ ଘୋଷଣା କରିଥିବା ବେଳେ ଅନ୍ୟ ବିଷୟରେ ମଧ୍ୟ ପ୍ରଶ୍ନପତ୍ର ପ୍ରଘଟ ହୋଇଥିବା ଅଭିଯୋଗ ହୋଇଛି। ତେବେ ଛାତ୍ରଛାତ୍ରୀମାନେ ବୋର୍ଡର ଏହି ନିଷ୍ପତ୍ତିକୁ ବିରୋଧ କରି ଆଜି ଦିଲ୍ଲୀର ଜନ୍ତରମନ୍ତରଠାରେ ଆନ୍ଦୋଳନ କରିଛନ୍ତିି। ପରୀକ୍ଷାର ଶେଷ ଦିନରେ ଶାନ୍ତିରେ ନିଃଶ୍ୱାସ ନେଉଥିବା ଛାତ୍ରଛାତ୍ରୀ ପୁଣିଥରେ ପରୀକ୍ଷା ଖବର ଶୁଣି ମାନସିକ ଆଘାତ ପାଇଛନ୍ତି। ତେଣୁ ବୋର୍ଡର ଏହି ନିଷ୍ପତ୍ତିକୁ ବିରୋଧ କରି ଆଜି ଶହଶହ ଛାତ୍ରଛାତ୍ରୀ ହାତରେ ପ୍ଲାକାର୍ଡ ଧରି ସ୍ଲୋଗାନ୍‌ ଦେଇ କହିଛନ୍ତି ଯେ ଆମ ଜୀବନ ସହ ସିବିଏସ୍‌ଇ ଖେଳୁଛି ଏବଂ ଏହା ବନ୍ଦ ହେବା ଆବଶ୍ୟକ। ଅନେକ ବିଦ୍ୟାର୍ଥୀ କହିଛନ୍ତି ଯେ ସବୁ ବିଷୟରେ ପ୍ରଶ୍ନପତ୍ର ଲିକ୍‌ ହୋଇଥିବା ସନ୍ଦେହ ଉପୁଜିଥିବାରୁ ଯଦି ପୁନଃ ପରୀକ୍ଷା ହେଉଛି ତା’ହେଲେ ସମସ୍ତ ବିଷୟରେ ପରୀକ୍ଷା କରାଯିବା ଆବଶ୍ୟକ। ଛାତ୍ରଛାତ୍ରୀମାନେ କହିଛନ୍ତି ଯେ ପ୍ରଶ୍ନପତ୍ର ପ୍ରଘଟ ହେବା ପାଇଁ ସିବିଏସ୍‌ଇ ବୋର୍ଡ ସମ୍ପୂର୍ଣ୍ଣ ଦାୟୀ। ପରୀକ୍ଷା ପୂର୍ବଦିନ ୨୦୦୦ ଟଙ୍କାରେ ମଧ୍ୟ ପ୍ରଶ୍ନପତ୍ର ବିକ୍ରି ହେଉଥିବା କେତେକ ଛାତ୍ର ଅଭିଯୋଗ କରିଛନ୍ତି।

ଅନ୍ୟପକ୍ଷରେ ଦିଲ୍ଲୀ ପୁଲିସ ଦ୍ୱାରା ଗଠିତ ଦୁଇଟି ସ୍ୱତନ୍ତ୍ର ତଦନ୍ତକାରୀ ଦଳ ସିବିଏସଇ ପ୍ରଶ୍ନପତ୍ର ପ୍ରଘଟ ମାମଲାର ତଦନ୍ତ ଜାରି ରଖିଛନ୍ତି। ପ୍ରାରମ୍ଭିକ ତଦନ୍ତରୁ ଜଣାଯାଇଛି ଯେ ଦିଲ୍ଲୀର ଜଣେ କୋଚିଂ ସେଣ୍ଟର ମାଲିକଙ୍କର ଏଥିରେ ସମ୍ପୃକ୍ତି ରହିଛି। ରାଜେନ୍ଦ୍ର ନଗର ଅଞ୍ଚଳରେ କୋଚିଂ ସେଣ୍ଟର କରିଥିବା ଜଣେ ବ୍ୟକ୍ତି ହିଁ ପ୍ରଶ୍ନପତ୍ର ପ୍ରଘଟ କରାଇବା ପାଇଁ ଦାୟୀ ବୋଲି ପୁଲିସ ସନ୍ଦେହ କରୁଛି। ପୁଲିସ ଉକ୍ତ କୋଚିଂ ସେଣ୍ଟର ମାଲିକଙ୍କ ସମେତ ୧୮ ଜଣ ଛାତ୍ରଛାତ୍ରୀ ଏବଂ ୫ ଜଣ ଶିକ୍ଷକଙ୍କୁ ପଚରାଉଚୁରା କରୁଛି। ଅନ୍ୟପକ୍ଷରେ କ୍ରାଇମ୍‌ ବ୍ରାଞ୍ଚ୍‌ ଅଧିକାରୀଙ୍କ ସୁତ୍ରରୁ ଜଣାଯାଇଛି ଯେ ମାର୍ଚ୍ଚ ୨୩ ତାରିଖରେ ସିବିଏସ୍‌ଇ ଏକ ଅଜଣା ସୁତ୍ରରୁ ଫ୍ୟାକ୍ସ ମାଧ୍ୟମରେ ଏକ ଅଭିଯୋଗପତ୍ର ଗ୍ରହଣ କରିଥିଲା। ଏଥିରେ ଦର୍ଶାଯାଇଥିଲା ଯେ ରାଜେନ୍ଦ୍ର ନଗରରେ ଏକ କୋଚିଂ ସେଣ୍ଟର ପରିଚାଳନା କରୁଥିବା ଭିକି ନାମକ ଜଣେ ବ୍ୟକ୍ତିଙ୍କର ପ୍ରଶ୍ନପତ୍ର ପ୍ରଘଟ ପଛରେ ହାତ ରହିଛି। ସିବିଏସ୍‌ଇ ପ୍ରଶ୍ନପତ୍ର ପ୍ରଘଟକୁ ନେଇ ରାଜନୀତି ମଧ୍ୟ ସରଗରମ ହୋଇଛି। ଘଟଣାକୁ ନେଇ କଂଗ୍ରେସ ଆଜି ମୋଦି ସରକାରଙ୍କୁ କଡ଼ା ସମାଲୋଚନା କରିଛି। କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ କଟାକ୍ଷ କରି ଟ୍ଵିଟ୍‌ କରିଛନ୍ତି। ରାହୁଲ କହିଛନ୍ତି- ଡାଟା ଲିକ୍‌, ଆଧାର ଲିକ୍‌, ଏସ୍‌ଏସ୍‌ସି ପ୍ରଶ୍ନପତ୍ର ଲିକ୍‌, ନିର୍ବାଚନ ତାରିଖ ଲିକ୍‌, ସିବିଏସଇ ପେପର ଲିକ୍‌- ଚୌକିଦାର ଓ୍ଵିକ୍‌। କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ ଜାଭଡ଼େକର ଏବଂ ସିବିଏସଇ ବୋର୍ଡ ମୁଖ୍ୟ ଅନୀତା କରଓ୍ଵାଲ୍‌ଙ୍କୁ ବହିଷ୍କାର କରାଯିବାକୁ କଂଗ୍ରେସ ଦାବି କରିଛି । ନିରପେକ୍ଷ ତଦନ୍ତ ପାଇଁ ଏହା ଜରୁରୀ ବୋଲି କଂଗ୍ରେସ ନେତା ରଣଦୀପ ସୂର୍ଯେବାଲା କହିଛନ୍ତି।

ସମ୍ବନ୍ଧିତ ଖବର