ଷ୍ଟେଟ୍ ବ୍ୟାଙ୍କର ୧୧ କୋଟିର କଏନ ନେଲା କିଏ ? ଖୋଜୁଛି ସିବିଆଇ

ନୂଆଦିଲ୍ଲୀ : କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ଏବେ ଏକ ଅଜବ ମାମଲାର ତଦନ୍ତ କରୁଛି । ରାଜସ୍ଥାନର କରୌଲିରେ ଥିବା ଏକ ଷ୍ଟେଟ ବ୍ୟାଙ୍କ ଶାଖାରୁ ପ୍ରାୟ ୧୧ କୋଟି ଟଙ୍କାର ଖୁଚୁରା ପଇସା (କଏନ) ଗାଏବ ହୋଇଯାଇଛି । ଏସବୁ କଏନ କୁଆଡେ ଗଲା ତାହା ସିବିଆଇ ଖୋଜୁଛି । ଏହି ମାମଲାରେ ସିବିଆଇ ଆଜି ଦିଲ୍ଲୀ ଓ ରାଜସ୍ଥାନର ୨୫ଟି ସ୍ଥାନରେ ଚଢଉ କରି ଖାନତଲାସି କରିଛି । ୧୫ ଜଣ ପୂର୍ବତନ ବ୍ୟାଙ୍କ କର୍ମଚାରୀଙ୍କ ଘରେ ଏସବୁ ଚଢଉ କରାଯାଇଛି । ରାଜସ୍ଥାନ ହାଇକୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଗତ ଏପ୍ରିଲ ୧୩ରେ ସିବିଆଇ ଏକ ମାମଲା ରୁଜ୍ଜୁ କରି ତଦନ୍ତ ଚଳାଇଛି ।

ମାମଲାଟି ଏହିପରି…

ଗତ ୨୦୨୧ ଅଗଷ୍ଟ ମାସରେ ଷ୍ଟେଟ ବ୍ୟାଙ୍କ କରୌଲି ଶାଖା ତରଫରୁ ନିଜ ପାଖରେ ମହଜୁଦ ଥିବା କଏନ ଗୁଡ଼ିକର ଗଣତି କଲା ବେଳେ କିଛି କଏନ ଗାଏବ ଥିବା ଜଣାପଡ଼ିଥିଲା । ପରେ ଏକ ଏକ ଘରୋଇ ସଂସ୍ଥାକୁ ଗଣତି ଦାୟିତ୍ବ ଦେଇ ଗଣତି କରିବାରେ ଜଣାଗଲା ଯେ ପ୍ରାୟ ୧୧ କୋଟି ଟଙ୍କା ମୂଲ୍ୟର କଏନ ଗାଏବ ହୋଇଯାଇଛି । ଶାଖାରେ ଥିବା ୨ କୋଟି ଟଙ୍କା ମୂଲ୍ୟର ମୋଟ ୩ ହଜାରଟି କଏନ ବସ୍ତା ରିଜର୍ଭ ବ୍ୟାଙ୍କକୁ ହସ୍ତାନ୍ତର କରାଯାଇଥିଲା । ପରେ ମାମଲା କୋର୍ଟରେ ପହଞ୍ଚିଥିଲା ଓ କୋର୍ଟଙ୍କ ନିର୍ଦ୍ଦେଶକ୍ରମେ ତଦନ୍ତ ସିବିଆଇ ପାଖକୁ ଆସିଥିଲା ।

ସମ୍ବନ୍ଧିତ ଖବର