ଦ୍ବିତୀୟ ଦିନରେ ସିବିଆଇ ଚଢ଼ଉ ଜାରି:ଅଧିକାରୀଙ୍କ ବାସଭବନରୁ ୫୭ ଲକ୍ଷ ଜବତ

ପୂର୍ବତନ ମନ୍ତ୍ରୀଙ୍କ ବିରୋଧରେ ମାମଲା

ଲକ୍ଷ୍ନୌ: ଦୁର୍ନୀତି ଏବଂ ଅସ୍ତ୍ର ଚୋରାଚାଲାଣ ମାମଲାରେ ଗତକାଲିଠାରୁ ସିବିଆଇ ଦ୍ବାରା ଆରମ୍ଭ ହୋଇଥିବା ଚଢ଼ଉ ଆଜି ଦ୍ବିତୀୟ ଦିନରେ ମଧ୍ୟ ଜାରି ରହିଛି। ଆଜି ଦ୍ବିତୀୟ ଦିନରେ ଉତ୍ତରପ୍ରଦେଶ ବେଆଇନ ଖଣି ଦୁର୍ନୀତି ମାମଲାରେ ରାଜ୍ୟର ୧୨ଟି ସ୍ଥାନରେ ଚଢ଼ଉ ହୋଇଛି।
ସିବିଆଇ ଆଜି ବୁଲନ୍ଦସର, ଲକ୍ଷ୍ନୌ, ଫତେପୁର, ଗୋରଖପୁର, ଦେଓରିଆ ଆଦି ସ୍ଥାନରେ ଚଢ଼ଉ କରିଛି। ଚଢ଼ଉ ସମୟରେ ଆଜି ଜଣେ ବରିଷ୍ଠ ଅଧିକାରୀଙ୍କ ବାସଭବନରୁ ୫୭ ଲକ୍ଷ ଟଙ୍କା ଜବତ ହୋଇଛି। ବୁଲନ୍ଦସର ଡିଏମ୍‌ ଅଭୟ କୁମାର ସିଂହଙ୍କ ବାସଭବନରୁ ସିବିଆଇ ୪୭ ଲକ୍ଷ ଟଙ୍କା ଜବତ କରିଥିବାବେଳେ ପୂର୍ବତନ ଦେଓରିଆ ଏଡିଏମ୍‌ ଦେବୀ ଶରଣ ଉପାଧ୍ୟାୟଙ୍କ ବାସଭବନରୁ ୧୦ ଲକ୍ଷ ଟଙ୍କା ଜବତ ହୋଇଛି। ସେହିପରି ଦେଓରିଆ ପୂର୍ବତନ ଡିଏମ୍‌ ବିବେକଙ୍କ ବାସଭବନରୁ ସମ୍ପତ୍ତି ସଂକ୍ରାନ୍ତ ବିଭିନ୍ନ ଦଲିଲ୍‌ ଜବତ ହୋଇଛି। ପୂର୍ବତନ ଫତେପୁର ଡିଏମ୍‌ ଅଭୟ କୁମାର ସିଂହ ଏବଂ ଦେଓରିଆ ଡିଏମ୍‌ ବିବେକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ସେହିପରି ପୂର୍ବତନ ମନ୍ତ୍ରୀ ଗାୟତ୍ରୀ ପ୍ରଜାପତି ଏବଂ ୪ ଜଣ ଆଇଏଏସ୍‌ ଅଫିସରଙ୍କ ବିରୋଧରେ ୟୁପି ଖଣି ଦୁର୍ନୀତି ମାମଲାରେ ସିବିଆଇ ମାମଲା ରୁଜୁ କରିଛି।
ଉଲ୍ଲେଖଯୋଗ୍ୟ ସିବିଆଇ ଗତକାଲି ୧୯ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ସମୁଦାୟ ୧୧୦ଟି ସ୍ଥାନରେ ଚଢ଼ଉ କରିଥିଲା। ମୋଦୀ ସରକାରଙ୍କ ଦ୍ବିତୀୟ ପାଳିରେ ଏହା ଦୁର୍ନୀତି ମାମଲାରେ ଏ ପର୍ଯ୍ୟନ୍ତ ସବୁଠୁ ବଡ଼ କାର୍ଯ୍ୟାନୁଷ୍ଠାନ। ଗତକାଲି ଦିଲ୍ଲୀ, ଭରତପୁର, ମୁମ୍ବାଇ, ଚଣ୍ଡିଗଡ଼, ଜମ୍ମୁ, ଶ୍ରୀନଗର, ପୁନେ, ଜୟପୁର, ଗୋଆ, ରାୟପୁର, ହାଇଦ୍ରାବାଦ୍‌, ମଦୁରାଇ, କୋଲକାତା, ରାଉରକେଲା, ରାଞ୍ଚି, ବୋକାରୋ ଏବଂ ଲକ୍ଷ୍ନୌ‌ରେ ସିବିଆଇ ଚଢ଼ଉ ହୋଇଥିଲା।

ସମ୍ବନ୍ଧିତ ଖବର