ନୂଆଦିଲ୍ଲୀ: ହରିୟାଣାରେ ବେଆଇନ ଜମି ଅଧିଗ୍ରହଣ ମାମଲାର ତଦନ୍ତ କରୁଥିବା ସିବିଆଇ ଆଜି ପୂର୍ବ ମୁଖ୍ୟମନ୍ତ୍ରୀ ଭୂପେନ୍ଦ୍ର ସିଂହ ହୁଦାଙ୍କ ରୋହତକ ସ୍ଥିତ ବାସଭବନ, ଦପ୍ତର ସମେତ ୮ଟି ସ୍ଥାନରେ ଚଢ଼ଉ କରିଛି। ଏହା ସହିତ ଏହି ମାମଲାରେ ସିବିଆଇ ଦିଲ୍ଲୀ ଏନ୍ସିଆର୍ ଅଂଚଳରେ ମଧ୍ୟ ୩୦ରୁ ଅଧିକ ସ୍ଥାନରେ ଚଢ଼ଉ କରିଛି । ଚଢ଼ଉ ବେଳେ ହୁଦା ତାଙ୍କ ବାସଭବନରେ ଉପସ୍ଥିତ ଥିଲେ। ଗୁରୁଗ୍ରାମରେ ୧୪୧୭ ଏକର ଜମି ଅଧିଗ୍ରହଣରେ ବ୍ୟାପକ ଅନିୟମିତତା ଧରା ପଡ଼ିବା ପରେ ଏବେ ସିବିଆଇ ଏହାର ଖୋଳତାଡ଼ କରୁଛି। ଏଜେଏଲ୍ କମ୍ପାନିକୁ ଜମି ଯୋଗାଇବାରେ ସରକାର ଆଇନକୁ ବେଖାତିର କରି ପଦକ୍ଷେପ ନେଇଥିବା ଜଣାପଡ଼ିଛି। ଅନ୍ୟପକ୍ଷରେ ସିବିଆଇର ଏହି ଚଢ଼ଉକୁ କଂଗ୍ରେସ ଜୋର୍ଦାର ବିରୋଧ କରିଛି। ଦଳର ବରିଷ୍ଠ ନେତା ଆନନ୍ଦ ଶର୍ମା ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ସିବିଆଇ ଅଫିସର୍ମାନଙ୍କୁ ଚେତାବନୀ ଦେଇଛନ୍ତି। ବର୍ତ୍ତମାନର ସରକାର ଆଗାମୀ ନିର୍ବାଚନ ପରେ ବଦଳିଯିବ ଏବଂ ଅଧିକାରୀମାନେ ନିଜ ସୀମା ଭିତରେ ରହି କାର୍ଯ୍ୟ ନକଲେ ପରିଣାମ ଭୋଗିବେ ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ବିଜେପି ସଭାପତି ଅମିତ ଶାହ ଏବଂ ବିଜେପି ଇସାରାରେ କଂଗ୍ରେସ ନେତାଙ୍କ ଘରେ ଏଭଳି ଚଢ଼ଉ ହେଉଛି ବୋଲି ସେ କହିଛନ୍ତି। ଶର୍ମାଙ୍କ ବୟାନ ଉପରେ ବିଜେପି ତୀବ୍ର ପ୍ରତିକ୍ରିୟା ପ୍ରକାଶ କରି କହିଛି ଯେ ସାମ୍ବିଧାନିକ ସଂସ୍ଥା ଏବଂ ବିଭିନ୍ନ ତଦନ୍ତକାରୀ ସଂସ୍ଥାକୁ ଧମକାଇବା କଂଗ୍ରେସର ପୁରୁଣା ଅଭ୍ୟାସ। ଯେଉଁମାନେ ଦେଶ ପାଇଁ କାମ କରନ୍ତି, ସେମାନଙ୍କୁ ଧମକାଇବା କଂଗ୍ରେସର ସଂସ୍କୃତି ପାଲଟିଯାଇଛି ବୋଲି ବିଜେପି ପ୍ରବକ୍ତା ସମ୍ବିତ ପାତ୍ର କହିଛନ୍ତି। କଂଗ୍ରେସ କିଛିଦିନ ତଳେ ସୁପ୍ରିମ୍ କୋର୍ଟଙ୍କ ପ୍ରଧାନ ବିଚାରପତିଙ୍କୁ ଧମକାଇଥିଲା। ସତ୍ୟ ସାମ୍ନାକୁ ଆସିବା ପରେ କଂଗ୍ରେସ ପ୍ରଧାନ ବିଚାରପତିଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବ ଆଣିବାକୁ ଚେଷ୍ଟା କରିଥିଲା। କିଛିଦିନ ତଳେ ଲଣ୍ଡନରେ କଂଗ୍ରେସ ସାମ୍ବାଦିକ ସମ୍ମିଳନୀ କରି ଇଭିଏମ୍ ଏବଂ ସରକାରକୁ ବଦନାମ କରି ଦେଶର ନିର୍ବାଚନ କମିସନଙ୍କ ଉପରେ ଚାପ ସୃଷ୍ଟି କରିବାକୁ ପ୍ରୟାସ କରିଥିଲା ବୋଲି ସମ୍ବିତ କହିଛନ୍ତି।
ହୁଦାଙ୍କ ଘରେ ସିବିଆଇ ଚଢ଼ଉ: ଅଫିସର୍ଙ୍କୁ ଧମକାଇଲା କଂଗ୍ରେସ
ସାମ୍ବିଧାନିକ ସଂସ୍ଥାକୁ ଧମକାଇବା କଂଗ୍ରେସର, ପୁରୁଣା ଅଭ୍ୟାସ: ବିଜେପି
/sambad/media/post_attachments/wp-content/uploads/2019/01/Untitled-6-21.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)