ଜମ୍ମୁ ଓ କଶ୍ମୀର ସବ୍‌-ଇନ୍‌ପେକ୍ଟର୍‌ ନିଯୁକ୍ତି ମାମଲା: ଏକାଧିକ ସ୍ଥାନରେ ‘ସିବିଆଇ’ ଚଢ଼ଉ

ନୂଆଦିଲ୍ଲୀ: ଜମ୍ମୁ ଓ କଶ୍ମୀର ସବ୍‌-ଇନ୍‌ସ୍‌ପେକ୍ଟର୍‌ ନିଯୁକ୍ତି ମାମଲାରେ ଚାଲିଥିବା ତଦନ୍ତ ଘଟଣାରେ ଆଜି ‘ସିବିଆଇ’ ଉତ୍ତର ପ୍ରଦେଶର ଗାଜିଆବାଦ, ଜମ୍ମୁ, ଶ୍ରୀନଗର, ହରିୟାଣା, ଗୁଜରାଟ, ଦିଲ୍ଲୀ ଏବଂ କର୍ଣ୍ଣାଟକ ସମେତ ପ୍ରାୟ ୩୩ଟି ସ୍ଥାନରେ ଚଢ଼ଉ କରିଛି।

ଚଢ଼ଉ ଚାଲିଥିବା ସ୍ଥାନଗୁଡ଼ିକ ମଧ୍ୟରେ ରହିଛି, ‘ଜମ୍ମୁ ଆଣ୍ଡ୍‌ କଶ୍ମୀର ସର୍ଭିସେସ୍‌ ସିଲେକ୍‌ସନ୍‌ ବୋର୍ଡ’ର (ଜେକେଏସ୍‌ଏସ୍‌ବି) ପରୀକ୍ଷା କଣ୍ଟ୍ରୋଲର୍‌, ଚେୟାର୍‌ମ୍ୟାନ୍‌ଙ୍କ ଘର। ଏହାଛଡ଼ା, ଜଣେ ‘ଡେପୁଟି ସୁପରିଣ୍ଟେଣ୍ଡେଣ୍ଟ୍‌ ଅଫ୍‌ ପୋଲିସ୍‌’, ‘ସିଆର୍‌ପିଏଫ୍‌’ ସମେତ ଜମ୍ମୁ ଓ କଶ୍ମୀରର କେତେକ ପୁଲିସ ଅଧିକାରୀଙ୍କ ଘରେ ମଧ୍ୟ ଚଢ଼ଉ ଚାଲିଛି। ସବ୍‌-ଇନ୍‌ସ୍‌ପେକ୍ଟର୍‌ ନିଯୁକ୍ତି ମାମଲାରେ ହୋଇଥିବା ଦୁର୍ନୀତିରେ ‘ଜେକେଏସ୍ଏସ୍‌ବି’ର ପୂର୍ବତନ ଅଧ୍ୟକ୍ଷ ଖଲିଦ୍‌ ଜେହାଙ୍ଗୀର୍‌ ଏବଂ ‘ଜେକେଏସ୍ଏସ୍‌ବି’ର ‘କଣ୍ଟ୍ରୋଲର୍‌ ଅଫ୍‌ ଏକ୍ଜାମିନେସନ୍‌’ ଅଶୋକ କୁମାରଙ୍କ ଉପରେ ‘ସିବିଆଇ’ର ସନ୍ଦେହ ରହିଛି।

ଜୁଲାଇ ମାସରେ ସର୍ବସାଧାରଣଙ୍କ ପ୍ରତିବାଦ ଯୋଗୁଁ ଜମ୍ମୁ ଓ କଶ୍ମୀରର ଉପରାଜ୍ୟପାଳ ମନୋଜ ସିହ୍ନା ‘ସବ୍‌-ଇନ୍ସ୍‌ପେକ୍ଟର୍‌’ ନିଯୁକ୍ତି ଅଭିଯାନ ବାତିଲ କରି ଘଟଣାର ‘ସିବିଆଇ’ ତଦନ୍ତ ପାଇଁ ସୁପାରିସ କରିଥିଲେ। ଏହାପରେ, ୩ଜଣିଆ ସଦସ୍ୟ କମିଟି ଏହି ମାମଲା ଉପରେ ରିପୋର୍ଟ ଦେଇଥିଲା।

Image Courtesy of Times of India

ସେ ସମୟରେ ଟୁଇଟ୍‌ କରି ଉପରାଜ୍ୟପାଳ ସିହ୍ନା ଲେଖିଥିଲେ: ଜମ୍ମୁ ଓ କଶ୍ମୀର ସବ୍‌-ଇନ୍‌ସ୍‌ପେକ୍ଟର୍‌ ନିଯୁକ୍ତି ବାତିଲ କରାଗଲା। ଚୟନ ପ୍ରକ୍ରିୟା ଉପରେ ‘ସିବିଆଇ’ ତଦନ୍ତ ପାଇଁ ସୁପାରିସ କରାଯାଇଛି। ଖୁବ୍‌ ଶୀଘ୍ର ଦୋଷୀମାନଙ୍କର ବିଚାର କରାଯିବ। ଆମ ଯୁବକମାନଙ୍କ ଭବିଷ୍ୟତର ସୁରକ୍ଷା ପାଇଁ ଏହା ହେଉଛି ପ୍ରଥମ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ। ଅତି ଶୀଘ୍ର ସରକାର ସାନି ନିଯୁକ୍ତି ନିମନ୍ତେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।

‘ଏଫ୍‌ଆଇଆର୍‌’ ରେଜିଷ୍ଟ୍ରି କରି ଅଗଷ୍ଟ ୫ ତାରିଖ ଦିନ ଦେଇଥିବା ବିବୃତିରେ ‘ସିବିଆଇ’ ଉଲ୍ଲେଖ କରିଥିଲା, ଜମ୍ମୁ ଓ କଶ୍ମୀର ପୁଲିସ ସବ୍‌-ଇନ୍‌ପେକ୍ଟର୍‌ ପଦବୀ ନିମନ୍ତେ ‘ଜେକେଏସ୍‌ଏସ୍‌ବି’ଦ୍ବାରା କରାଯାଇଥିବା ଲିଖିତ ପରୀକ୍ଷାରେ ଦୁର୍ନୀତି ହୋଇଛି ବୋଲି  ଉଠିଥିବା ଅଭିଯୋଗ ପାଇଁ ‘ସିବିଆଇ’ ୩୩ଜଣ ଅଭିଯୁକ୍ତଙ୍କ ନାମରେ ମାମଲା ରୁଜୁ କରିଛି। ଏହାର ତଦନ୍ତ ପାଇଁ ଜମ୍ମୁ ଓ କଶ୍ମୀର ପ୍ରଶାସନ ‘ସିବିଆଇ’କୁ ଅନୁରୋଧ କରିଥିଲା।

ଏହି ମାମଲାରେ ଗତ ମାସରେ ମଧ୍ୟ ଜମ୍ମୁରେ ପ୍ରାୟ ୨୫ଟି ସ୍ଥାନରେ ଚଢ଼ଉ କରାଯାଇଥିଲା।

ସମ୍ବନ୍ଧିତ ଖବର