କୋଲ୍କାତା: କୋଇଲା ଚୋରାଚାଲାଣ ମାମଲାରେ ସମ୍ପୃକ୍ତି ଥିବା ମାମଲାରେ ଆଜି ‘ସିବିଆଇ’ ପଶ୍ଚିମବଙ୍ଗ ରାଜ୍ୟର ଆଇନ ମନ୍ତ୍ରୀ ମଳୟ ଘଟକଙ୍କ ବାସଭବନ ସମେତ ୬ଟି ସ୍ଥାନରେ ଚଢ଼ାଉ କରିଛି।
ଅନେକ ଥର ସମନ୍ ଜାରି କରାଯିବା ସତ୍ତ୍ବେ ମଳୟ ଘଟକ ‘ସିବିଆଇ’ରେ ହାଜର ନ ହେବାରୁ ତାଙ୍କ ଘରେ ଚଢ଼ାଉ କରାଯାଇଛି। ଚଢ଼ାଉ କରିବା ଲାଗି ‘ସିବିଆଇ’ ଟିମ୍ ତାଙ୍କ ବାସଭବନରେ ପହଞ୍ଚିବା ବେଳେ ମନ୍ତ୍ରୀ ଘଟକ ଉପସ୍ଥିତ ନ ଥିଲେ। କୋଇଲା ଦୁର୍ନୀତି ମାମଲାରେ ‘ସିବିଆଇ’ କୋଲ୍କାତାର ୫ଟି ଏବଂ ଆସାନସୋଲ୍ରେ ୧ଟି ସ୍ଥାନରେ ଚଢ଼ାଉ ଚଳାଇଛି।
ଏଥିରେ ‘ସିବିଆଇ’ର ଅଧିକାରୀମାନେ ପଶ୍ଚିମ ବର୍ଦ୍ଧମାନ ଜିଲ୍ଲାର ଆସାନ୍ସୋଲ୍ରେ ଥିବା ଘଟକଙ୍କର ୩ଟି ଘର ଏବଂ କୋଲ୍କାତାର ଲେକ୍ ଗାର୍ଡେନ୍ରେ ଥିବା ଆଉ ଏକ ଘରେ ଚଢ଼ାଉ କରିଛନ୍ତି। ‘ସବିଆଇ’ର ଚଢ଼ାଉ ଟିମ୍ରେ ମହିଳା ଅଧିକାରୀମାନେ ମଧ୍ୟ ଅଛନ୍ତି।
/sambad/media/post_attachments/wp-content/uploads/2022/09/MG1.jpg)
କୋଇଲା ଦୁର୍ନୀତି ସଂକ୍ରାନ୍ତରେ ଜେରା ନିମନ୍ତେ ଆସାନ୍ସୋଲ୍ ଉତ୍ତରର ବିଧାୟକ ମଳୟ ଘଟକ ପୂର୍ବରୁ ଥରେ ମାତ୍ର ପ୍ରବର୍ତ୍ତନ ନିର୍ଦେଶାଳୟର ଦିଲ୍ଲୀ କାର୍ଯ୍ୟାଳୟରେ ହାଜର ହୋଇଥିଲେ। କିନ୍ତୁ, ଏହି ମାମଲାରେ ପ୍ରବର୍ତ୍ତନ ନିର୍ଦେଶାଳୟ ଜାରି କରିଥିବା ଆହୁରି କେତେଗୁଡ଼ିଏ ସମନ୍କୁ ସେ ଏଡ଼ାଇ ଯାଇଥିଲେ।
ଜଣେ ‘ସିବିଆଇ’ ଅଧିକାରୀ କହିଛନ୍ତି, କୋଇଲା ଚୋରାଚାଲାଣ ମାମଲାରେ ତାଙ୍କ ନାଁ ଆସିଥିବାରୁ, ଏଥିରେ ତାଙ୍କର ଭୂମିକା ବିଷୟରେ ଖୋଳତାଡ଼ କରିବା ଆମ ପାଇଁ ଆବଶ୍ୟକ ହୋଇପଡ଼ିଛି। ଏହି ଦୁର୍ନୀତିରେ ଘଟକଙ୍କ ସମ୍ପୃକ୍ତି ସଂକ୍ରାନ୍ତ ପ୍ରମାଣ ଆମ ନିକଟରେ ଅଛି।