ବ୍ୟାଙ୍କ ଠକେଇ : ରୋଟୋମ୍ୟାକ୍‌ ମାଲିକଙ୍କ ଘରେ ସିବିଆଇ

କାନପୁର ଘର ସିଲ୍‌
ସ୍ତ୍ରୀ, ପୁଅଙ୍କୁ ଜେରା
ଇଡିର ତଦନ୍ତ ଆରମ୍ଭ

କାନପୁର/ନୂଆଦିଲ୍ଲୀ : ପଞ୍ଜାବ ନ୍ୟାସନାଲ୍‌ ବ୍ୟାଙ୍କ (ପିଏନ୍‌ବି)ର ୧୧ ହଜାର ୪୦୦ କୋଟି ଟଙ୍କା ଠକିନେଇ ନିରବ ମୋଦି ଦେଶରୁ ଚମ୍ପଟ ମାରିବା ଘଟଣାକୁ ନେଇ ଖୋଳତାଡ଼ ଚାଲିଥିବା ବେଳେ ଆଉ ଗୋଟିଏ ଠକେଇର ପର୍ଦାଫାସ ହୋଇଛି। ଏଥିରେ ସଂପୃକ୍ତ ଅଛନ୍ତି କାନପୁରର ବ୍ୟବସାୟୀ ତଥା ରୋଟୋମ୍ୟାକ୍‌ ପେନ୍‌ ନିର୍ମାଣ କରୁଥିବା କଂପାନିର ମାଲିକ ବିକ୍ରମ କୋଠାରି। ସେ ୩୬୯୫ କୋଟି ଟଙ୍କାର ଠକେଇ କରିଛନ୍ତି ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ଏହି ମାମଲାରେ ସିବିଆଇ ବିଭିନ୍ନ ସ୍ଥାନରେ ଚଢ଼ଉ କରିବା ସହିତ ତାଙ୍କର ପରିବାର ସଭ୍ୟଙ୍କୁ ଜେରା କରିଛି।

ସିବିଆଇ ପକ୍ଷରୁ ଆଜି ବିକ୍ରମ, ତାଙ୍କ ପତ୍ନୀ ସାଧନା କୋଠାରି ଓ ପୁଅ ରାହୁଲ କୋଠାରିଙ୍କ ବିରୋଧରେ ମାମଲା ଦାୟର କରାଯାଇଛି। ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ପକ୍ଷରୁ କରାଯାଇଥିବା ଏକ ଅଭିଯୋଗ ଆଧାର ସିବିଆଇ ଏହି ଏତଲା ଦାୟର କରିଛି। ଆଜି ସକାଳେ ୪ଟାରୁ ସିବିଆଇର ଏକ ଟିମ୍‌ କାନୁପରରେ ଥିବା ବିକ୍ରମଙ୍କ ଘର ଏବଂ କାର୍ଯ୍ୟାଳୟ ଉପରେ ଚଢ଼ଉ କରିଥିଲେ। ଏହାସହିତ ତାଙ୍କ ଘର ଓ କାର୍ଯ୍ୟାଳୟକୁ ସିଲ୍‌ କରିଦିଆଯାଇଛି। ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି) ପକ୍ଷରୁ ମଧ୍ୟ ବିକ୍ରମ ଏବଂ ତାଙ୍କ ପରିବାର ସଦସ୍ୟଙ୍କ ବିରୋଧରେ ଏକ ମନି ଲଣ୍ଡରିଂ ମାମଲା ଦାୟର କରାଯାଇଛି।

ବ୍ୟାଙ୍କ ଅଫ୍‌ ବରୋଦା (ବିଓବି) ନେତୃତ୍ୱରେ ଗଠନ ହୋଇଥିବା ସାତଟି ବ୍ୟାଙ୍କର ଏକ କନ୍‌ସୋର୍ଟିୟମ୍‌ଠାରୁ ବିକ୍ରମ କୋଟି କୋଟି ଟଙ୍କା ଋଣ ନେଇ ଆଉ ଶୁଝୁନାହାନ୍ତି। ସେ ଏହି ବ୍ୟାଙ୍କଗୁଡ଼ିକଠାରୁ ୨୯୧୯ କୋଟି ଟଙ୍କାର ଋଣ ନେଇଥିଲେ। ସୁଧ ଏବଂ ଅନ୍ୟାନ୍ୟ ଦେୟକୁ ମିଶାଇବା ପରେ ଏବେ ବ୍ୟାଙ୍କଗୁଡ଼ିକ ପାଇବାକୁ ଥିବା ଟଙ୍କା ପରିମାଣ ୩୬୯୫ କୋଟି ଟଙ୍କା ହୋଇଗଲାଣି।

ସୂଚନାଯୋଗ୍ୟ, ୨୦୧୭ ଫେବ୍ରୁଆରିରେ ବ୍ୟାଙ୍କ ଅଫ୍‌ ବରୋଦା ପକ୍ଷରୁ ରୋଟୋମ୍ୟାକ୍‌କୁ ‘ଉଦ୍ଦେଶ୍ୟମୂଳକ ଖିଲାପୀ’ ଘୋଷଣା କରାଯାଇଥିଲା। ଏହାକୁ ବିରୋଧ କରି କଂପାନୀ ପକ୍ଷରୁ ଆହ୍ଲାବାଦ ହାଇକୋର୍ଟରେ ମାମଲା ଦାୟର କରାଯାଇଥିଲା। କଂପାନୀ ଏହାର ଆବେଦନରେକୋର୍ଟଙ୍କୁ ଜଣାଇଥିଲା ଯେ, ଆମେ ବ୍ୟାଙ୍କ ପାଖରେ ୩୦୦ କୋଟି ଟଙ୍କାର ସମ୍ପତ୍ତି ବନ୍ଧକ ରଖିଥିବା ସତ୍ତ୍ୱେ ଆମକୁ ଉଦ୍ଦେଶ୍ୟମୂଳକ ଖିଲାପୀ ଘୋଷଣା କରାଯାଇଛି।

ରୋଟୋମ୍ୟାକ୍‌ ଠକେଇରେ କଂପାନିକୁ ଋଣ ନେଇଥିବା ବ୍ୟାଙ୍କଗୁଡ଼ିକର ଭୂମିକା ମଧ୍ୟ ସନ୍ଦେହରେ ରହିଛି। ରୋଟୋମ୍ୟାକ୍‌କୁ ଋଣ ଦେବା ବେଳେ ଆହ୍ଲାବାଦ ବ୍ୟାଙ୍କ, ବ୍ୟାଙ୍କ ଅଫ୍‌ ଇଣ୍ଡିଆ, ବ୍ୟାଙ୍କ ଅଫ୍‌ ବରୋଦା, ଇଣ୍ଡିଆନ୍‌ ଓଭରସିଜ୍‌ ବ୍ୟାଙ୍କ ଏବଂ ୟୁନିଅନ୍‌ ବ୍ୟାଙ୍କ ପକ୍ଷରୁ ନିୟମ ଉଲ୍ଲଘଂନ କରାଯାଇଥିବା ଅଭିଯୋଗ ହୋଇଛି। ବିକ୍ରମ ମୁମ୍ବାଇର ଏକ ୟୁନିଅନ୍‌ ବ୍ୟାଙ୍କ ଶାଖାରୁ ୪୮୫ କୋଟି ଟଙ୍କା ଏବଂ କୋଲକାତାରେ ଥିବା ଆହ୍ଲାବାଦ ବ୍ୟାଙ୍କର ଏକ ଶାଖାରୁ ୩୫୨ କୋଟି ଟଙ୍କାର ଋଣ ନେଇଥିଲେ। ବର୍ଷକ ପରେ ବିକ୍ରମ ଏହି ଋଣର ମୂଳଧନ ଏବଂ ସୁଧ ଦେବା ବନ୍ଦ କରିଦେଇଥିଲେ। ଏହାକୁ ଦୃଷ୍ଟିରେ ରଖି ଗତବର୍ଷ ରୋଟୋମ୍ୟାକ୍‌କୁ ବ୍ୟାଙ୍କ ଅଫ୍‌ ବରୋଦା ଉଦ୍ଦେଶ୍ୟମୂଳକ ଋଣ ଖିଲାପୀ ଘୋଷଣା କରିଥିଲା।

ସମ୍ବନ୍ଧିତ ଖବର