ମୁମ୍ବାଇ: ଅଭିନେତା ସୁଶାନ୍ତ ସିଂହ ରାଜପୁତଙ୍କ ମୃତ୍ୟୁ ମାମଲାକୁ ନେଇ ଉଭୟ ମୁମ୍ବାଇ ଓ ପାଟ୍ନା ପୁଲିସ୍ ତଦନ୍ତ ଆରମ୍ଭ କରିଥିବା ବେଳେ ଏହାର ସିବିଆଇ ତଦନ୍ତ ପାଇଁ ବିଭିନ୍ନ ମହଲରୁ ଦାବି ହୋଇଥିଲା। ସୁଶାନ୍ତଙ୍କ ବାପା କେକେ ସିଂହ ତାଙ୍କ ପ୍ରେମିକା ରିୟା ଚକ୍ରବର୍ତ୍ତୀଙ୍କ ବିରୋଧରେ ସାଂଘାତିକ ଅଭିଯୋଗ ଆଣିବା ସହ ଘଟଣାର ସିବିଆଇ ତଦନ୍ତ ଦାବି କରିବା ପରେ ଘଟଣା ଭିନ୍ନ ମୋଡ଼ ନେଇଥିଲା। ବିହାର ମୁଖ୍ୟମନ୍ତ୍ରୀ ନିତିଶ କୁମାର ଘଟଣାର ସିବିଆଇ ତଦନ୍ତ ଲାଗି କେନ୍ଦ୍ର ସରକାରଙ୍କୁ ସୁପାରିସ କରିଥିଲେ ଓ କେନ୍ଦ୍ର ଏହାକୁ ଗ୍ରହଣ କରିଥିଲା।
ବିହାର ପୁଲିସ୍ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ର ସରକାର ଅନୁମତି ପ୍ରଦାନ କରିବା ପରେ ସିବିଆଇ ସୁୁଶାନ୍ତଙ୍କ ମୃତ୍ୟୁକୁ ନେଇ ଏକ ଏଫ୍ଆଇଆର୍ ଦର୍ଜ କରିଥିବା ଜାଣିବାକୁ ମିଳିଛି। ରିପୋର୍ଟରୁ ଜାଣିବାକୁ ମିଳିଛି ଯେ ସୁଶାନ୍ତଙ୍କ ମୃତ୍ୟୁ ମାମଲାର ତଦନ୍ତ କରିବା ପାଇଁ ସିବିଆଇ ଏବେ ସଂପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇଛି।
ଉଲ୍ଲେଖଯୋଗ୍ୟ, ଜୁନ ୧୪ରେ ବଲିଉଡ୍ ଅଭିନେତା ସୁଶାନ୍ତ ସିଂ ରାଜପୁତ ଆତ୍ମହତ୍ୟା କରିଥିବା ବେଳେ ତାଙ୍କ ଆତ୍ମହତ୍ୟା ପାଇଁ କିଏ ଦାୟୀ, ସେ ନେଇ ସିବିଆଇ ତଦନ୍ତ ହେଉ ବୋଲି ଦାବି କରିଥିଲେ ତାଙ୍କ ପ୍ରଶଂସକ। ଅନେକ ବରିଷ୍ଠ ନେତା ସିବିଆଇ ତଦନ୍ତ ପାଇଁ ଦାବି କରିବା ପରେ ଶେଷରେ ସୁଶାନ୍ତଙ୍କ ଆତ୍ମହତ୍ୟା ମାମଲାର ତଦନ୍ତ ଦାୟିତ୍ବ ସିବିଆଇକୁ ହସ୍ତାନ୍ତର କରାଯାଇଛି। ମଙ୍ଗଳବାର ସନ୍ଧ୍ୟାରେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ସୁଶାନ୍ତଙ୍କ ଆତ୍ମହତ୍ୟା ଘଟଣାର ତଦନ୍ତ ଦାୟିତ୍ବ ସିବିଆଇକୁ ଦିଆଯାଉ ବୋଲି କେନ୍ଦ୍ର ସରକାରଙ୍କୁ ଅନୁରୋଧ କରିଥିଲେ। ବୁଧବାର ଏ ନେଇ କେନ୍ଦ୍ର ସରକାର ସୁପ୍ରିମକୋର୍ଟଙ୍କୁ ଜଣାଇଥିଲେ।