ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ସିବିଆଇ କୋର୍ଟ ପରିସରରୁ ଗିରଫ କରିଛି। ଦିଲ୍ଲୀର ରାଉଜ ଆଭେନ୍ୟୁ କୋର୍ଟ କେଜ୍ରିୱାଲଙ୍କୁ ଗିରଫ କରିବାପାଇଁ ସିବିଆଇକୁ ଅନୁମତି ଦେବାପରେ ସିବିଆଇ ଆଜି କୋର୍ଟରୁମ୍ରୁ ତାଙ୍କୁ ଗିରଫ କରିଛି। ଗିରଫ ହେବାପରେ କେଜ୍ରିୱାଲ ସୁପ୍ରିମକୋର୍ଟରୁ ତାଙ୍କ ଜାମିନ ଆବେଦନ ପ୍ରତ୍ୟାହାର କରିନେଇଛନ୍ତି। ମନି ଲଣ୍ଡରିଂ ମାମଲାରେ କେଜ୍ରିୱାଲଙ୍କୁ ଟ୍ରାଏଲ କୋର୍ଟରୁ ଜାମିନ ମିଳିବାପରେ ଦିଲ୍ଲୀ ହାଇକୋର୍ଟ ଏହା ଉପରେ ରହିତାଦେଶ ଲଗାଇଥିଲେ। ତେବେ କେଜ୍ରିୱାଲ ହାଇକୋର୍ଟଙ୍କ ରାୟକୁ ବିରୋଧ କରି ସୁପ୍ରିମକୋର୍ଟ ଯାଇଥିଲେ। ଆଜି ଟ୍ରାଏଲ କୋର୍ଟ ଶୁଣାଣି ସମୟରେ ସିବିଆଇ ପକ୍ଷରୁ ବିଚାରପତିଙ୍କୁ କୁହାଯାଇଥିଲା ଯେ ତଥ୍ୟ ସହ କେଜ୍ରିୱାଲଙ୍କୁ ଜେରା କରିବାପାଇଁ ତାଙ୍କୁ ହାଜତକୁ ନେବାକୁ ପଡ଼ିବ। ସିବିଆଇ କେଜ୍ରିୱାଲଙ୍କୁ ୫ ଦିନ ରିମାଣ୍ଡରେ ନେବାକୁ ଚାହିଥିଲା। କିନ୍ତୁ କୋର୍ଟ ସିବିଆଇକୁ ୩ ଦିନର ରିମାଣ୍ଡ ଅନୁମତି ଦେଇଛନ୍ତି। ଶୁଣାଣି ସମୟରେ ସିବିଆଇ ଦାବି କରିଛି ଯେ କେଜ୍ରିୱାଲ ଦିଲ୍ଲୀ ମନ୍ତ୍ରୀ ମନୀଷ ସିସୋଦିଆଙ୍କୁ ଏହି ମାମଲାରେ ସମ୍ପୂର୍ଣ୍ଣ ଭାବେ ଦାୟୀ କରିଛନ୍ତି। କିନ୍ତୁ କେଜ୍ରିୱାଲ ସିବିଆଇର ଏଭଳି ଅଭିଯୋଗକୁ ଖଣ୍ଡନ କରିଛନ୍ତି। ସେ କହିଛନ୍ତି, ସିବିଆଇ ଗଣମାଧ୍ୟମରେ ଏହା ଦେଖାଇବାକୁ ଚେଷ୍ଟା କରିଛି ଯେ ମୁଁ ମନୀଷ ସିସୋଦିଆଙ୍କ ଉପରେ ସବୁ ଦୋଷ ଲଦି ଦେଇଛି। କିନ୍ତୁ ସିସୋଦିଆ ଦୋଷୀ କି ଅନ୍ୟ କିଏ ଦୋଷୀ ସେ ବିଷୟରେ ମୁଁ କିଛି କହିନାହିଁ।
ସିବିଆଇ ଉକ୍ତ ମାମଲାକୁ ଅତ୍ୟନ୍ତ ସମ୍ବେଦନଶୀଳ କରିଦେଉଛି ବୋଲି କେଜ୍ରିୱାଲ ଦାବି କରିଛନ୍ତି। ସମଗ୍ର ଯୋଜନା କେବଳ ଆମକୁ ଗଣମାଧ୍ୟମ ଆଗରେ ଅପମାନିତ କରିବାପାଇଁ କରାଯାଇଛି। ତେବେ କେଜ୍ରିୱାଲଙ୍କ ଅଭିଯୋଗର ଜବାବ ଦେଇ ସିବିଆଇ କହିଛି ସେମାନେ କେବଳ ତଥ୍ୟ ଆଧାରରେ ଯୁକ୍ତି ରଖିଛନ୍ତି। ତଦନ୍ତକାରୀ ସଂସ୍ଥା ପକ୍ଷରୁ ଗଣମାଧ୍ୟମକୁ କୌଣସି ସୂଚନା ଦିଆଯାଇନାହିଁ ବୋଲି ସିବିଆଇ ପକ୍ଷରୁ କୁହାଯାଇଛି। ସିବିଆଇ କହିଛି ଏକ ବଡ଼ ଷଡ଼୍ଯନ୍ତ୍ରର ପର୍ଦ୍ଦାଫାସ କରିବାପାଇଁ କେଜ୍ରିୱାଲଙ୍କୁ ହାଜତକୁ ନେବା ଅତ୍ୟନ୍ତ ଗୁରୁତ୍ବପୂର୍ଣ୍ଣ। ଅନ୍ୟପକ୍ଷେ କେଜ୍ରିୱାଲଙ୍କ ଗିରଫ ହେବା ସମୟକୁ ନେଇ ପ୍ରଶ୍ନ ଉଠିଛି। କେଜ୍ରିୱାଲଙ୍କୁ ଗିରଫ କରାଯିବା ସମୟ ସଂକ୍ରାନ୍ତରେ କୋର୍ଟ ପ୍ରଶ୍ନ କରିବାରୁ ସିବିଆଇ ଓକିଲ କହିଛନ୍ତି, ସେମାନେ ନିର୍ବାଚନ ପାଇଁ ଏହି ପ୍ରକ୍ରିୟାକୁ ବିଳମ୍ବ କରିଥିଲେ । କେଜ୍ରିୱାଲଙ୍କ ଓକିଲ ସିବିଆଇକୁ ସମାଲୋଚନା କରି କହିଛନ୍ତି, ୨୦୨୨ ଅଗଷ୍ଟରୁ ଏହି ମାମଲା ପଡ଼ି ରହିଛି। କେଜ୍ରିୱାଲଙ୍କୁ ମାମଲାରେ ଜଣେ ସାକ୍ଷୀ ଭାବେ ସିବିଆଇ ୯ ଘଣ୍ଟା ଜେରା କରିଥିଲା। କିନ୍ତୁ ସେବେଠାରୁ ସିବିଆଇ କେଜ୍ରିୱାଲଙ୍କୁ ନୋଟିସ୍ କରିନଥିଲା। ଏବେ ହଠାତ କେଜ୍ରିୱାଲ ଏହି ମାମଲାରେ ସାକ୍ଷୀରୁ କିଭଳି ଦୋଷୀ ହୋଇଗଲେ ବୋଲି ସେ ପ୍ରଶ୍ନ କରିଛନ୍ତି।