ନୂଆଦିଲ୍ଲୀ: କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ଦୁଇ ସର୍ବୋଚ୍ଚ ଅଧିକାରୀଙ୍କ ମଧ୍ୟରେ ଲାଞ୍ଚ କାରବାରକୁ ନେଇ ଆରମ୍ଭ ହୋଇଥିବା ଆରୋପ ପ୍ରତିଆରୋପ ଘଟଣା ଓ ଏହାକୁ କେନ୍ଦ୍ର କରି ସୃଷ୍ଟି ହୋଇଥିବା ବିବାଦ ଏବେ ଦେଶବ୍ୟାପି ଚର୍ଚ୍ଚାର ବିଷୟ ପାଲଟିଛି। ଏପରିସ୍ଥିତିରେ କର୍ମକ୍ଷେତ୍ରରେ ‘ସୁସ୍ଥ ବାତାବରଣ’, ‘ସକରାତ୍ମକ ଚିନ୍ତାଧାରା’ ଓ ‘ଶକ୍ତି’ ବୃଦ୍ଧି ପାଇଁ ସିବିଆଇ ପଦାଧିକାରୀମାନଙ୍କୁ ଅଧ୍ୟାତ୍ମିକ ଗୁରୁ ଶ୍ରୀଶ୍ରୀ ରବିଶଙ୍କରଙ୍କର ‘ଆର୍ଟ ଅଫ୍ ଲିଭିଂ’ ଟ୍ରେନିଂ ଦିଆଯିବା ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସ୍ଥିର କରାଯାଇଛି।
ଏହି ଉଦ୍ଦେଶ୍ୟରେ ଏକ ତିନି ଦିନିଆ ପ୍ରଶିକ୍ଷଣ ଶିବିରର ଆୟୋଜନ କରାଯିବା ପାଇଁ ନିଷ୍ପତ୍ତି ହୋଇଛି। ଏହି ତିନି ଦିନିଆ ପ୍ରଶିକ୍ଷଣ ଶିବିରରେ ସିବିଆଇର ଇନସ୍ପେକଟର ପଦବୀରେ ଥିବା ଅଧିକାରୀଙ୍କ ଠାରୁ ଆରମ୍ଭ କରି ‘ଇନ୍ଚାର୍ଜ’ ନିର୍ଦ୍ଦେଶକଙ୍କ ପର୍ଯ୍ୟନ୍ତ ପ୍ରାୟ ୧୫୦ ଅଧିକାରୀ ଯୋଗ ଦେଇ ‘ଆର୍ଟ ଅଫ୍ ଲିଭିଂ’ର ଟ୍ରେନିଂ ନେବେ ବୋଲି ଜାଣିବାକୁ ମିଳିଛି। ‘ଆର୍ଟ ଅଫ୍ ଲିଭିଂ’ର ଟ୍ରେନିଂ ପାଇଁ ଏହି ତିନିଦିନିଆ ପ୍ରଶିକ୍ଷଣ ଶିବିର ଆସନ୍ତା ୧୦ ତାରିଖ ଠାରୁ ୧୨ ତାରିଖ ପର୍ଯ୍ୟନ୍ତ ନୂଆଦିଲ୍ଲୀସ୍ଥିତ ସିବିଆଇ ମୁଖ୍ୟାଳୟରେ ଆୟୋଜିତ ହେବ ବୋଲି ଜାଣିବାକୁ ମିଳିଛି।
More than 150 CBI officials will attend Art of Living (Sri Sri Ravi Shankar) workshop for enhancing positivity in CBI. Workshop will start from tomorrow for three days. pic.twitter.com/mugAtVy21c
— ANI (@ANI) November 9, 2018
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ ସିବିଆଇର ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ଆସିବା ପରେ ଏହାକୁ କେନ୍ଦ୍ରକରି ଏକ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇଥିଲା। ଏ ପରିସ୍ଥିତିରେ କେନ୍ଦ୍ର ସରକାର ଉଭୟ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କୁ ବାଧ୍ୟତାମୂଳକ ଭାବେ ଛୁଟିରେ ପଠାଇଦେବା ସହ ସିବିଆଇର ଅତିରିକ୍ତ ନିର୍ଦ୍ଦେଶକ ଏମ୍ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ସିବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରିଥିଲେ। ତେବେ, କେନ୍ଦ୍ର ସରକାରଙ୍କ ଏହି ନିଷ୍ପତ୍ତି ବିରୋଧରେ ନିର୍ଦ୍ଦେଶକ ବର୍ମା ସୁପ୍ରିମ୍ କୋର୍ଟ ଦ୍ୱାରସ୍ଥ ହେବା ପରେ ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇ ଏହି ମାମଲାର ଶୁଣାଣି କରି ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନାଗେଶ୍ୱରରାଓଙ୍କ ନିଯୁକ୍ତିକୁ ଖାରଜ କରି ଦେଇଥିଲେ। ଏଥିସହ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଅସ୍ଥାନାଙ୍କ ବିରୋଧରେ ଲାଞ୍ଚ ଅଭିଯୋଗ ସଂପର୍କରେ ସୁପ୍ରିମ୍ କୋର୍ଟର ଅବସରପ୍ରାପ୍ତ ବିଚାରପତି ଅନଙ୍ଗ ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ତଦନ୍ତ କରି ଦୁଇ ସପ୍ତାହ ମଧ୍ୟରେ ରିପୋର୍ଟ ଦେବାକୁ ସିଭିସି କେ ଭି ଚୌଧୁରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଆସନ୍ତା ୧୨ ତାରିଖ ସୋମବାର ଦିନ ପ୍ରଧାନ ବିଚାରପତି ଜଷ୍ଟିସ୍ ରଂଜନ ଗୋଗୋଇ ଏହି ମାମଲାର ପରବର୍ତ୍ତୀ ଶୁଣାଣି କରିବେ ବୋଲି ଦିନ ଧାର୍ଯ୍ୟ ହୋଇଛି।