ସୁଶାନ୍ତ ସିଂ ରାଜପୁତଙ୍କ ଡିଲିଟ ହୋଇଯାଇଥିବା ମେସେଜ ଜାଣିବାକୁ ଆମେରିକାର ସହାୟତା ନେଲା ସିବିଆଇ

ନୂଆଦିଲ୍ଲୀ: ସେଣ୍ଟ୍ରାଲ ବ୍ୟୁରୋ ଅଫ୍ ଇନଭେଷ୍ଟିଗେସନ୍ (ସିବିଆଇ) ଆନୁଷ୍ଠାନିକ ଭାବେ ଦିବଂଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଇମେଲ ଏବଂ ସୋସିଆଲ ମିଡିଆ ଆକାଉଣ୍ଟରୁ ଡିଲିଟ ହୋଇଥିବା ତଥ୍ୟ ରିକଭରୀ ବା ପୁନରୁଦ୍ଧାର ପାଇଁ ଆମେରିକାର ସହାୟତା ଲୋଡିଛି। ସିବିଆଇ ଜାଣିବାକୁ ଚାଁହୁଛି ଯେ ଏହିପରି ଘଟଣା କେବେ ଘଟିଛି କି ଯାହା ସୁଶାନ୍ତଙ୍କ ମୃତ୍ୟୁ ସହ ସମ୍ପର୍କ ରଖିଛି | ସୂଚନା ମୁତାବକ MLAT ଅର୍ଥାତ୍ ମ୍ୟୁଚୁଆଲ୍ ଲିଗାଲ୍ ଆସିଷ୍ଟାଣ୍ଟ ଟ୍ରିଟି ଅନୁଯାୟୀ କାଲିଫର୍ଣ୍ଣିଆରେ ଥିବା ଗୁଗୁଲ୍ ଏବଂ ଫେସବୁକ୍ ମୁଖ୍ୟାଳୟରୁ ସିବିଆଇ ଏହି ସୂଚନା ମାଗିଛି। ଡିଲିଟ୍ ହୋଇଥିବା ମେଲ୍ ଏବଂ ଚାଟ୍ ର ସମସ୍ତ ସୂଚନା ଉଭୟ କମ୍ପାନୀରୁ ଖୋଜାଯାଇଛି | ଭାରତ ଏବଂ ଆମେରିକା ମଧ୍ୟରେ ମ୍ୟୁଚୁଆଲ୍ ଲିଗାଲ୍ ଆସିଷ୍ଟାଣ୍ଟ ଟ୍ରିଟି ରହିଛି, ଯାହା ଅଧୀନରେ ଉଭୟ ଦେଶ ଘରୋଇ ମାମଲାର ଅନୁସନ୍ଧାନରେ ସୂଚନା ମାଗିପାରିବେ |

ଅର୍ଥାତ, ଭାରତରେ, ଗୃହ ମନ୍ତ୍ରଣାଳୟ MLAT ଅଧୀନରେ କୌଣସି ସୂଚନା ପଠାଇବା କିମ୍ବା ଗ୍ରହଣ କରିବାର କେନ୍ଦ୍ର ହୋଇଥିବାବେଳେ ଆମେରିକାରେ ଆଟର୍ଣ୍ଣି ଜେନେରାଲଙ୍କ କାର୍ଯ୍ୟାଳୟରୁ ଏହି ସୂଚନା ଗ୍ରହଣ କରାଯାଇଥାଏ । ନାମ ଗୋପନ ରଖିବା ସର୍ତ୍ତରେ ଜଣେ ଅଧିକାରୀ କହିଛନ୍ତି, “ମାମଲା ଶେଷ ନ ହେବା ପୂର୍ବରୁ ଆମେ ସବୁ ଦିଗକୁ ତର୍ଜମା କରୁଛୁ । ଆମେ ଜାଣିବାକୁ ଚାଁହୁଛୁ ଯେ ଡିଲିଟ ଚାଟ ମଧ୍ୟରେ ପରି କିଛି ଚାଟ ନାହିଁ ତ ଯାହା ତଦନ୍ତରେ ସହାୟକ ହୋଇପାରେ’। ଏହାର ଅର୍ଥ ହେଉଛି ସୁଶାନ୍ତ ସିଂ ରାଜପୁତ ମାମଲାର ତଦନ୍ତ ଶେଷ କରିବାକୁ ଅଧିକ ସମୟ ଲାଗିପାରେ |

କାରଣ MLAT ଅଧୀନରେ ସୂଚନା ପାଇବାକୁ ବହୁତ ସମୟ ଲାଗିଥାଏ | ସିବିଆଇର ଏହି ଉଦ୍ୟମକୁ ସୁଶାନ୍ତ ସିଂଙ୍କ ଓକିଲ ବିକାଶ ସିଂ ପ୍ରଶଂସା କରିଛନ୍ତି | ସେ କହିଛନ୍ତି ଯେ ଏହି ଘଟଣାର କୌଣସି ସାକ୍ଷୀ ନ ଥିବାରୁ ସୁଶାନ୍ତଙ୍କ ମାମଲାରେ ଅନେକ ରହସ୍ୟ ରହିଛି। ଗତ ବର୍ଷ ଜୁନ୍ ୧୪ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ଘରୁ ମିଳିଥିଲା । ସୁଶାନ୍ତଙ୍କ ପିତା କେ.କେ ସିଂ ରିୟା ଚକ୍ରବର୍ତ୍ତୀ, ତାଙ୍କ ଭାଇ ଏବଂ ପିତାମାତାଙ୍କ ବିରୋଧରେ ପାଟନା ପୁଲିସ ନିକଟରେ ଅଭିଯୋଗ କରିଥିଲେ। ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ସିବିଆଇ ଅଗଷ୍ଟ ୨୦୨୦ ରେ ଏହି ମାମଲାର ତଦନ୍ତ ଦାୟିତ୍ୱ ଗ୍ରହଣ କରିଥିଲା। ଏହି ମାମଲାର ଅନୁସନ୍ଧାନରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଏବଂ ଏନସିବି ମଧ୍ୟ ଜଡିତ ଅଛନ୍ତି।

ସମ୍ବନ୍ଧିତ ଖବର