୬ ମାସ ରଖିବା ପରେ ଓରିଏଣ୍ଟାଲ୍‌ ବ୍ୟାଙ୍କ୍‌ ଅଫ୍‌ କମର୍ସର ୩୯୦ କୋଟି ଟଙ୍କା ଠକେଇ ଅଭିଯୋଗର ତଦନ୍ତ ଆରମ୍ଭ କଲା ସିବିଆଇ

ନୂଆଦିଲ୍ଲୀ: ପଞ୍ଜାବ ନେସ୍‌ନାଲ୍‌ ବ୍ୟାଙ୍କ୍‌ରେ ୧୧, ୩୦୦ କୋଟି ଟଙ୍କାର ନିରବ ମୋଦି ଦୁର୍ନୀତି ଲୋକଲୋଚନକୁ ଆସିବା ପରେ ଓରିଏଣ୍ଟାଲ୍‌ ବ୍ୟାଙ୍କ୍‌ ଅଫ୍‌ କମର୍ସର ଅଭିଯୋଗକୁ ଛଅମାସ ଚାପି ରଖିଥିବା ସିବିଆଇ ୩୯୦ କୋଟି ଟଙ୍କା ଠକିଥିବା ଦିଲ୍ଲୀର ଏକ ଗହଣା ଦୋକାନ ବିରୋଧରେ ମାମଲା ରୁଜୁ କରିଛି।

ହୀରା, ସୁନା ଓ ରୁପା ଅଳଙ୍କାର ନିର୍ମାଣ ଓ ବାଣିଜ୍ୟ କରୁଥିବା କାରୋଲ ବାଗର ଦ୍ୱାରକା ଦାସ ସେଠ୍‌ ଇଣ୍ଟର୍‌ନେସ୍‌ନାଲ୍‌ଙ୍କୁ ବିରୋଧରେ ତଦନ୍ତ କରିବାକୁ ସିବିଆଇ ଗୁରୁବାର ଦିନ ମାମଲା ରୁଜୁ କରିଛି। ଫରେନ୍‌ ଲେଟର୍ସ ଅଫ୍‌ କ୍ରେଡିଟ୍‌ ଆଦି ପାଇ ତାଙ୍କର ୨୦୦୭ରୁ ଓବିସିର ଗ୍ରେଟର୍‌ କୈଳାସ-୨ ଶାଖାରେ ଚଳନ୍ତି ଜମାଖାତା ରହିଛି।

କମ୍ପାନି ଚଳାଉଛନ୍ତି ପଞ୍ଜାବ ବାଗର ସଭ୍ୟ ସେଠ୍‌ ଏବଂ ରୀତା ସେଠ୍‌, ସରାଇ କାଲେ ଖାନ୍‌ର କୃଷ୍ଣ କୁମାର ସିଂହ ଏବଂ ରବି କୁମାର ସିଂହ। ଏ ସମସ୍ତଙ୍କ ନାଁ’ରେ ଏଫ୍‌ଆଇଆର୍‌ ଦିଆଯାଇଛି।

ବ୍ୟାଙ୍କ୍‌ ନିଜ ତରଫରୁ ଅନୁସନ୍ଧାନ କରିବା ପରେ ଅଭିଯୋଗ କରିଥିଲା କି, ସଭ୍ୟ ସେଠ୍‌ ଏବଂ ସେମାନଙ୍କ ପରିବାର ବର୍ଗଙ୍କ ସହ ଅନ୍ୟ ନିର୍ଦେଶକମାନେ ମଧ୍ୟ ଗତ ୧୦ ମାସ ହେବ ସେମାନଙ୍କ ବାସ ଭବନରେ ରହୁ ନାହାନ୍ତି। ସଭ୍ୟ ସେଠ୍‌ ଭାରତ ଛାଡ଼ି ଚାଲିଯାଇଥିବା ସନ୍ଦେହ କରାଯାଉଛି।

ଅଗଷ୍ଟ ୧୬, ୨୦୧୭ ଦିନ ବ୍ୟାଙ୍କ୍‌ ଦ୍ୱାରକା ଦାସ ସେଠ୍‌ଙ୍କ ସିବିଆଇରେ ଅଭିଯୋଗ କରିଥିଲେ ମଧ୍ୟ ଗତ ଗୁରୁବାର ଦିନ ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ରେଜିଷ୍ଟ୍ରି କରାଯାଇଛି।

ବ୍ୟାଙ୍କ୍‌ କହିବା ଅନୁସାରେ, ଓବିସିକୁ ଠକିବା ପରେ, ସଭ୍ୟ ଦୁବାଇରେ ଫ୍ରେୟା ଟ୍ରେଡିଙ୍ଗ୍‌ କୋ ନାମରେ ଅନ୍ୟ ଏକ କମ୍ପାନି ଖୋଲିଥିଲେ। ସେଠାରେ ସେ ଅତୁଲ କୁମାର ଗର୍ଗ ନାମକ ଜଣେ ଭାରତୀୟ ବ୍ୟକ୍ତିଙ୍କୁ ନିଯୁକ୍ତି ଦେଇଛନ୍ତି। କିନ୍ତୁ, ଗର୍ଗ କହୁଛନ୍ତି କି, ଗତ ୪ ବର୍ଷ ହେବ ସେ ସଭ୍ୟ ସେଠ୍‌ଙ୍କ ସମ୍ପର୍କରେ ନାହାନ୍ତି।

ସମ୍ବନ୍ଧିତ ଖବର