ନୂଆଦିଲ୍ଲୀ : ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ସିବିଆଇ ଶୁକ୍ରବାର ଦିନ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ସମନ କରିଛି। ଏପ୍ରିଲ ୧୬ ତାରିଖ ପୂର୍ବାହ୍ନ ୧୧ଟାରେ କେଜ୍ରିୱାଲଙ୍କୁ ଜେରା ପାଇଁ ସିବିଆଇରେ ହାଜର ହେବାକୁ କୁହାଯାଇଛି।
ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ସିବିଆଇ ସମନକୁ ଆପ୍ କଡ଼ା ନିନ୍ଦା କରିବା ସହିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମଧ୍ୟ ସମାଲୋଚନା କରିଛି। କେଜ୍ରିୱାଲଙ୍କୁ ଗିରଫ କରିବାପାଇଁ ଏହା ଏକ ଷଡ଼୍ଯନ୍ତ୍ର ବୋଲି ଆପ୍ ଅଭିଯୋଗ କରିଛି। ଆପ୍ ନେତା ସଂଜୟ ସିଂହ ଏକ ସାମ୍ବାଦିକ ସମ୍ମିଳନୀ କରି କହିଛନ୍ତି, ଗୌତମ ଆଦାନିଙ୍କ ସହ ମୋଦୀଙ୍କ ସମ୍ପୃକ୍ତି ନେଇ ପ୍ରଶ୍ନ କରିବାରୁ କେନ୍ଦ୍ର ସରକାର କେଜ୍ରିୱାଲଙ୍କୁ ଟାର୍ଗେଟ କରିଛନ୍ତି। କିନ୍ତୁ, କେଜ୍ରିୱାଲ ଏଥିରେ ଆଦୌ ବିଚଳିତ ନୁହନ୍ତି। ଦୁର୍ନୀତି ଏବଂ କଳା ଟଙ୍କା ବିରୋଧରେ ସେ ସ୍ବର ଉତ୍ତୋଳନ କରିବେ। ଶ୍ରୀ ସିଂହ ଆହୁରି ମଧ୍ୟ କହିଛନ୍ତି, ‘ପ୍ରଧାନମନ୍ତ୍ରୀଙ୍କୁ ମୁଁ ଏହା କହିବାକୁ ଚାହେଁ ଯେ ଆପଣ ଏବଂ ଆପଣଙ୍କ ସରକାର ମୁଣ୍ଡରୁ ପାଦ ଯାଏଁ ଦୁର୍ନୀତିରେ ବୁଡ଼ି ରହିଛନ୍ତି। ତେବେ ସିବିଆଇ ସମନ ଦ୍ବାରା ଅରବିନ୍ଦ କେଜ୍ରିୱାଲଙ୍କ ଲଢ଼େଇ ବନ୍ଦ ହେବନି।’ ‘କେଜ୍ରିୱାଲଙ୍କ ବିରୋଧରେ ଆପଣ ଯେଉଁ ଷଡ଼୍ଯନ୍ତ୍ର କରିଛନ୍ତି ଏହାଦ୍ବାରା ତାଙ୍କ ସ୍ବର ଦବିଯିବନି,’ ବୋଲି ସେ କହିଛନ୍ତି।
ଉଲ୍ଲେଖଯୋଗ୍ୟ, ଗତ ଫେବ୍ରୁଆରି ୨୬ରେ ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏହି ଅବକାରୀ ଦୁର୍ନୀତି ମାମଲାରେ ସିବିଆଇ ଦ୍ବାରା ଗିରଫ ହୋଇଥିଲେ। ପରେ ତାଙ୍କୁ ଇଡି ଏହି ମାମଲାରେ ଗିରଫ କରିଥିଲା। ସିସୋଦିଆ ଏବେ ଏପ୍ରିଲ ୧୭ ପର୍ଯ୍ୟନ୍ତ ନ୍ୟାୟିକ ହାଜତରେ ଅଛନ୍ତି।