ନୂଆଦିଲ୍ଲୀ: ମଣିପୁରରେ ୨ ଛାତ୍ରଙ୍କ ହତ୍ୟା ଘଟଣାକୁ ବିରୋଧ କରି ଜୋରଦାର ହିଂସା ଉପୁଜିଛି। ତେବେ ହିଂସା ଘଟଣାରେ ସମ୍ପୃକ୍ତ ଦୋଷୀ ଗିରଫ ହେବେ ଏବଂ ଦୋଷୀ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବ ବୋଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଦୃଢ଼ ପ୍ରତିଶ୍ରୁତି ଦେଇଛନ୍ତି । ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଆଜି ଏନେଇ ସୂଚନା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି, ଉଭୟ କେନ୍ଦ୍ର ଏବଂ ରାଜ୍ୟ ସରକାର ଉକ୍ତ ମାମଲାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛନ୍ତି। ଗୃହ ମନ୍ତ୍ରୀ ଅମିତ ଶାହ ବ୍ୟକ୍ତିଗତ ଭାବେ ବୀରେନ ସିଂହଙ୍କୁ ଫୋନ୍ କରିଛନ୍ତି ଏବଂ ମାମଲାର ପୁଙ୍ଖାନୁପୁଙ୍ଖ ସିବିଆଇ ତଦନ୍ତ ହେବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଇତିମଧ୍ୟରେ ସିବିଆଇ ଅଧିକାରୀଙ୍କର ଏକ ଟିମ୍ ମଣିପୁର ରାଜଧାନୀ ଇମ୍ଫାଲରେ ପହଞ୍ଚି ଉକ୍ତ ଅପରାଧ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି।
ଅନ୍ୟପକ୍ଷେ ହତ୍ୟାର ଶିକାର ହୋଇଥିବା ଉଭୟ ଛାତ୍ରଙ୍କ ବାପା ମା’ ସେମାନଙ୍କ ପିଲାଙ୍କ ଦେହାବଶେଷ ପାଇବାରେ ସାହାଯ୍ୟ କରିବାକୁ ସରକାରଙ୍କୁ ଅନୁରୋଧ କରିଛନ୍ତି। ସେମାନେ ବିଶ୍ବାସ କରିଛନ୍ତି ଯେ ସିବିଆଇ ମାମଲାର ତଦନ୍ତ ଭାର ଗ୍ରହଣ କରିବା ସହ ଏହି ହତ୍ୟା ଘଟଣାରୁ ରହସ୍ୟ ହଟିବ ଏବଂ ୨ ଛାତ୍ରଙ୍କ ଦେହାବଶେଷ ମିଳିବ। ୨ ଛାତ୍ର ଜୁଲାଇ ୬ ତାରିଖରୁ ନିଖୋଜ ହୋଇଯାଇଥିଲେ। ବିଷ୍ଣୁପୁର ଜିଲ୍ଲାର ନାମ୍ବୋଲରେ ସେମାନଙ୍କୁ ଶେଷ ଥର ପାଇଁ ଦେଖିବାକୁ ମିଳିଥିଲା।