କୋଲକାତା: କୋଲକାତାର ଆରଜି କର ହସ୍ପିଟାଲରେ ଜଣେ ଡାକ୍ତରଙ୍କୁ ଦୁଷ୍କର୍ମ ପରେ ହତ୍ୟା ଘଟଣା ସାରା ଦେଶରେ ଆଲୋଡ଼ନ ସୃଷ୍ଟି କରିଛି। ଡାକ୍ତରଙ୍କ ଠାରୁ ଆରମ୍ଭ କରି ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି। ଡାକ୍ତରଙ୍କ ଆନ୍ଦୋଳନ ପରେ ରୋଗୀମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ନିକଟରେ କୋଲକାତା ହାଇକୋର୍ଟ ଏହି ମାମଲାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରିଥିଲେ। ସେପଟେ ସିବିଆଇର ଫୋରେନସିକ ଟିମର ବିଶେଷଜ୍ଞମାନେ ଏବେ କୋଲକାତାରେ ପହଞ୍ଚିଛନ୍ତି । ସିବିଆଇ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଗିରଫ ଅଭିଯୁକ୍ତ ସଞ୍ଜୟ ରାୟର ମାନସିକ ପରୀକ୍ଷା କରିବା ପାଇଁ ସିବିଆଇର ଏହି ଟିମ୍ କୋଲକାତାରେ ପହଞ୍ଚିଛି । ଅନ୍ୟପକ୍ଷରେ ଦୁର୍ଷ୍କର୍ମ ସ୍ଥାନରେ ପୁଲିସକୁ ମିଳିଥିବା ଡାଏରୀକୁ ପୁଲିସ ସିବିଆଇକୁ ହସ୍ତାନ୍ତର କରିଛି । ଏଥିରେ ଅପରାଧୀଙ୍କ ସମ୍ପର୍କରେ କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ ମିଳିବା ଆଶା କରାଯାଉଛି ।

Advertisment

ସେପଟେ ଡାକ୍ତରଙ୍କ ସୁରକ୍ଷା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଚିଠି ଲେଖିଛି ଇଣ୍ଡିଆନ ମେଡିକାଲ ଆସୋସିଏସନ । ଏଥିରେ ୫ଟି ଦାବି ରଖାଯାଇଛି । କର୍ତ୍ତବ୍ୟରତ ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀଙ୍କ ସୁରକ୍ଷା ପାଇଁ ଆଇଏମଏ ପକ୍ଷରୁ ଦାବି କରାଯାଇଛି । ଅନ୍ୟପଟେ ଦେଶବ୍ୟାପୀ ଡାକ୍ତରଙ୍କ ଧର୍ମଘଟ ଜାରି ରହିଛି । ଅନ୍ୟପକ୍ଷରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ହସ୍ତକ୍ଷେପ ପରେ ୪୩ ଜଣ ଡାକ୍ତରଙ୍କ ବଦଳି ବନ୍ଦ ହୋଇଯାଇଛି। ଏହି ବଦଳିକୁ ନେଇ ବିଭିନ୍ନ ଡାକ୍ତରୀ ମହଲରେ ସବୁ ପ୍ରକାର ପ୍ରଶ୍ନ ଉଠିଥିଲା।