ସିବିଆଇ କରିବ ପରମବୀର ସିଂ ମାମଲାର ତଦନ୍ତ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ : ମୁମ୍ବାଇର ପୂର୍ବତନ ପୁଲିସ କମିଶନର ପରମବୀର ସିଂ ମାମଲାର ତଦନ୍ତ ଭାର ସିବିଆଇକୁ ପ୍ରଦାନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ନିଜ ରାୟରେ କୋର୍ଟ କହିଛନ୍ତି, “ ଆମେ କହୁନାହୁଁ ଯେ, ପରମବୀର ଦୁର୍ନୀତିର ପର୍ଦ୍ଦାଫାସ କରିଛନ୍ତି, ଅଥବା ଏଥିରେ ସଂପୃକ୍ତ ଅନ୍ୟମାନେ ନିର୍ଦ୍ଦୋଷ । କୋର୍ଟ ଆଗରେ ରଖାଯାଇଥିବା ଏହି ସଂବେଦନଶୀଳ ଘଟଣାର ତଦନ୍ତ ହେବା ଜରୁରୀ ।’’

ଏହା ପୂର୍ବରୁ ମହାରାଷ୍ଟ୍ର ସରକାରଙ୍କ ଓକିଲ ସିବିଆଇ ତଦନ୍ତକୁ ବିରୋଧ କରିଥିଲେ । ସିବିଆଇ ତଦନ୍ତ ପାଇଁ ରାଜ୍ୟ ସରକାରଙ୍କ ଅନୁମତି ଜରୁରୀ । ରାଜ୍ୟ ପୁଲିସ ଏହି ମାମଲାର ତଦନ୍ତ କରୁଛି । ମାମଲା ସିବିଆଇକୁ ଗଲେ ତାହା ପୁଲିସର ମନୋବଳକୁ ଦୁର୍ବଳ କରିବ । ପୁଲିସ ଠିକ ଭାବେ ତଦନ୍ତ କରିନାହିଁ ବୋଲି କୌଣସି ପ୍ରମାଣ କୋର୍ଟଙ୍କ ଆଗରେ ରଖାଯାଇନାହିଁ ।

କିନ୍ତୁ ସୁପ୍ରିମକୋର୍ଟ ମହାରାଷ୍ଟ୍ର ସରକାରଙ୍କ ଓକିଲଙ୍କ ଯୁକ୍ତିକୁ ଗ୍ରହଣ କରି ନଥିଲେ । ରାଜ୍ୟ ସରକାରମାନେ ବେଳେବେଳେ ମାମଲାକୁ ସିବିଆଇକୁ ପଠାନ୍ତି । ଯଦି ଏହା ରାଜ୍ୟ ପୁଲିସ ମନୋବଳକୁ ଦୁର୍ବଳ କରୁଥାଏ, ତେବେ ସିବିଆଇ ପାଖରେ କୌଣସି ମାମଲା ନ ଥାନ୍ତା ।

ଏହି ମାମଲାର ଶୁଣାଣି କରିଥିବା ଜଷ୍ଟିସ୍ ଏସକେ କୌଲ କହିଛନ୍ତି ଯେ, ଆମେ କହୁନାହୁଁ ଯେ, ସବୁ ମାମଲା ସିବିଆଇ ପାଖକୁ ଯାଉ । ଏହା ଦ୍ବାରା ସେମାନଙ୍କ ଉପରେ ବୋଝ ସୃଷ୍ଟି ହେବ । କିନ୍ତୁ ଏହି ମାମଲାଟି ସଂଦେହ ସୃଷ୍ଟି କରୁଛି । ପୁଲିସ ଓ ବରିଷ୍ଠ ଅଧିକାରୀମାନେ ପରସ୍ପରକୁ ଦୋଷ ଦେଉଛନ୍ତି । ଏହି ମାମଲା ସହ ଦୁଇଜଣ ଗୁରୁତ୍ବପୂର୍ଣ୍ଣ ବ୍ୟକ୍ତି ଓ ବିଭାଗ ସଂପୃକ୍ତ ଅଛନ୍ତି । ଏଣୁ ମାମଲାର ତଦନ୍ତ ହେବା ଜରୁରୀ ।

ଏଠାରେ ଉଲ୍ଲେଖଯୋଗ୍ୟ, ମାର୍ଚ୍ଚ ୨୦୨୧ରେ ମୁକେଶ ଅମ୍ବାନିଙ୍କ ଘର ସାମନାରୁ ବିସ୍ଫୋରକ ଭର୍ତ୍ତି ଏସୟୁଭି ମିଳିବା ପରେ ମୁମ୍ବାଇ ପୁଲିସ କମିଶନ ଥିବା ପରମବୀର ସିଂଙ୍କୁ ତାଙ୍କ ପଦରୁ ହଟାଇଦିଆଯାଇଥିଲା । ଏହା ପରେ ସିଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେଙ୍କୁ ଏକ ପତ୍ର ଲେଖି ତତକାଳୀନ ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ଦୁର୍ନୀତି ଓ ବଳପୂର୍ବକ ଅର୍ଥଆଦାୟ ଅଭିଯୋଗ ଆଣିଥିଲେ ।

ସମ୍ବନ୍ଧିତ ଖବର