ମୋଦୀଙ୍କ ନାଁରେ ମିଥ୍ୟା ମାମଲା ଲାଗି ‘ଉପା’ ସରକାର ଅଧୀନସ୍ଥ ‘ସିବିଆଇ’ମୋତେ ବାଧ୍ୟ କରୁଥିଲା: ଅମିତ ଶାହ

ନୂଆଦିଲ୍ଲୀ: ମିଥ୍ୟା ଏନ୍‌କାଉଣ୍ଟର୍‌ ମାମଲାରେ ଗୁଜରାଟର ତତ୍କାଳୀନ ମୁଖ୍ୟମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମ୍ପୃକ୍ତ କରିବା ଲାଗି କଂଗ୍ରେସ ନେତୃତ୍ବାଧୀନ ‘ଉପା’ ସରକାର ଅମଳରେ ‘ସିବିଆଇ’ ତାଙ୍କ ଉପରେ ଚାପ ପକାଇଥିବା କଥା ବୁଧବାର ଦିନ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି।

କେନ୍ଦ୍ରୀୟ ଏଜେନ୍‌ସିମାନଙ୍କର ଅପବ୍ୟବହାର କରାଯାଉଛି ବୋଲି ବିରୋଧୀ ଦଳ ସବୁ ତୀବ୍ର ପ୍ରତିବାଦ କରୁଥିବା କଥାକୁ ପ୍ରଧାନମନ୍ତ୍ରୀ ମୋଦୀ ଖଣ୍ଡନ କରିବା ପରେ ଗୃହମନ୍ତ୍ରୀ ଶାହା ଉପରୋକ୍ତ କଥା କହିଛନ୍ତି।

ନରେନ୍ଦ୍ର ମ‌ୋଦୀଙ୍କ ସରକାର ସେମାନଙ୍କୁ ‘ଟାର୍ଗେଟ୍‌’ କରି କେନ୍ଦ୍ରୀୟ ଏଜେନ୍‌ସିମାନଙ୍କର ଅପବ୍ୟବହାର କରୁଛି ବୋଲି ବିରୋଧୀ ଦଳ ସବୁ କରୁଥିବା ଅଭିଯୋଗ ବିଷୟରେ ପଚାରିବାରୁ ଏକ ଗଣମାଧ୍ୟମ କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ଅମିତ ଶାହ କହିଲେ, କଂଗ୍ରେସ ସରକାର ଅମଳରେ ମଧ୍ୟ ଗୋଟାଏ ମିଥ୍ୟା ଏନ୍‌କାଉଣ୍ଟର୍‌ ମାମଲାରେ ମୋଦୀଜୀଙ୍କୁ ମିଥ୍ୟା ଅଭିଯୁକ୍ତ କରିବା ଲାଗି ‘ସିବିଆଇ’ ମୋତେ ପ୍ରବର୍ତ୍ତାଇ ଥିଲା। କିନ୍ତୁ, ଏହା ସତ୍ତ୍ବେ ‘ବିଜେପି’ ହଟ୍ଟଗୋଳ ସୃଷ୍ଟି କରି ନ ଥିଲା।

Image Courtesy of India Today

ମାନହାନି ମାମଲାରେ ସୁରତ ଅଦାଲତଙ୍କଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ଦଣ୍ଡାଦେଶ ପାଇଥିବା ରାହୁଲ୍‌ ଗାନ୍ଧୀଙ୍କ ପ୍ରସଙ୍ଗରେ ପଚାରା ଯିବାରୁ ଗୃହମନ୍ତ୍ରୀ କହିଲେ, ଅଦାଲତଙ୍କଦ୍ବାରା ଦୋଷୀ ସାବ୍ୟସ୍ତ ହୋଇ ସଂସଦରେ ସଦସ୍ୟତା ହରାଇବାରେ ରାହୁଲ୍‌ ଏକମାତ୍ର ରାଜନେତା ନୁହନ୍ତି।

ଉଚ୍ଚତର ଅଦାଲତକୁ ଯିବା ପରିବର୍ତ୍ତେ ରାହୁଲ୍‌ ଗାନ୍ଧୀ ଆପଣା ଦଶା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦାୟୀ କରିବାକୁ ଉଦ୍ୟମ କରୁଛନ୍ତି। ଦୋଷୀ ସାବ୍ୟସ୍ତ ପ୍ରସଙ୍ଗ ଉପରେ ରହିତାଦେଶ ଜାରି କରାଯାଇ ପାରିବ ନାହିଁ ବୋଲି କଂଗ୍ରେସ ବିଭ୍ରାନ୍ତିକର କଥା ପ୍ରସାର କରୁଛି।  ଅଦାଲତ ଚାହିଁଲେ, ଦଣ୍ଡାଦେଶ ଉପରେ ରହିତାଦେଶ ଜାରି କରାଯାଇ ପାରିବ ବୋଲି ଶାହ କହିଛନ୍ତି।

Image Courtesy of NDTV

ସେ ଆହୁରି ମଧ୍ୟ କହିଛନ୍ତି, ଦଣ୍ଡାଦେଶ ଉପରେ ରହିତାଦେଶ ଲାଗୁ କରିବା ଲାଗି ସେ ନିବେଦନ କରିନାହାନ୍ତି। ଏ କେଉଁ ଧରଣର ଅହଙ୍କାର? ଆପଣ ଦୟା ଚାହୁଁଛନ୍ତି। ଆପଣ ସାଂସଦ ହୋଇ ରହିବାକୁ ଚାହୁଁଛନ୍ତି କିନ୍ତୁ, ଅଦାଲତକୁ ଯିବେ ନାହିଁ। ଏ ଧରଣର ଅହଙ୍କାରର ଉତ୍ପତ୍ତି କେଉଁଠୁ?

ସମ୍ବନ୍ଧିତ ଖବର