ସିବିଆଇ ବନାମ ସିବିଆଇ: ପ୍ରଧାନମନ୍ତ୍ରୀ ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ନିରବ; ଶେଷରେ ମୁହଁ ଖୋଲିଲେ ଅର୍ଥମନ୍ତ୍ରୀ ଅରୁଣ ଜେଟଲି
ନୂଆଦିଲ୍ଲୀ: ଦେଶର ସର୍ବୋଚ୍ଚ ଅପରାଧ ଅନୁସନ୍ଧାନ ସଂସ୍ଥା, କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ)ର ମୁଖ୍ୟ ଓ ଉପମୁଖ୍ୟଙ୍କ ମଧ୍ୟରେ ଚାଲିଥିବା ସିବିଆଇ ବନାମ ସିବିଆଇ ଲଢ଼େଇରେ, ‘ନେଡ଼ି ଗୁଡ଼ କହୁଣିକୁ ବୋହିଯିବା’ ପରେ ଶେଷରେ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ ଏନ୍ଡିଏ ସରକାରର ନିଦ୍ରା ଭଙ୍ଗ ଘଟିଛି। ଏବଂ ସିବିଆଇ ମୁଖ୍ୟ ଆଲୋକ ବର୍ମା ଓ ଉପମୁଖ୍ୟ ରାକେଶ ଆସ୍ଥାନାଙ୍କୁ ରାତି ଅଧିଆ ଅନିର୍ଦ୍ଦିଷ୍ଟ କାଳ ପାଇଁ ଛୁଟିରେ ଯିବାକୁ ସରକାର ନିର୍ଦ୍ଦେଶ ଦେବା ସହ ଯୁଗ୍ମ ନିର୍ଦ୍ଦେଶକ ଥିବା ଏମ୍ ନାଗେଶ୍ୱର ରାଓଙ୍କୁ ସିବିଆଇର ଅନ୍ତରୀଣ ମୁଖ୍ୟ ଭାବେ ଅବସ୍ଥାପିତ କରାଇଛନ୍ତି। ହେଲେ, ପୂରା ଘଟଣାରେ ଉଭୟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ସ୍ୱରାଷ୍ଟ୍ର ମନ୍ତ୍ରୀ ରାଜନାଥ ସିଂହ ଏଯାବତ୍ ଅଦ୍ଭୁତପୂର୍ବ ଭାବେ ନିରବ ରହି ଆସିଛନ୍ତି।
ତେବେ, ଏପ୍ରସଙ୍ଗରେ ଆଜି ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲି। ଏହି ଘଟଣାକୁ ‘ଦୁର୍ଭାଗ୍ୟଜନକ’ ବୋଲି ସ୍ୱୀକାର କରିବା ସହ ଗଣମାଧ୍ୟମକୁ କହିଛନ୍ତି, ସିବିଆଇରେ ସୃଷ୍ଟି ହୋଇଥିବା ବିବାଦ ପରିପ୍ରେକ୍ଷୀରେ ସର୍ବପ୍ରଥମେ ଅନୁଷ୍ଠାନର ବିଶ୍ୱାସନୀୟତାକୁ ବଜାୟ ରଖିବା ପାଇଁ ସରକାର ଘଟଣାରେ ସଂପୃକ୍ତ ପକ୍ଷମାନଙ୍କୁ ଦୂରେଇ ଦେଇଛନ୍ତି।
#WATCH: Union Min Arun Jaitley says, “CVC in its yesterday’s meeting said neither these 2 officers (Arun Verma & Rakesh Asthana) nor any agency under their supervision can investigate charges against them. So the officers will sit out by going on leave. It’s an interim measure” pic.twitter.com/NHffr1WLeD
— ANI (@ANI) October 24, 2018
ଫଳରେ ତଦନ୍ତ ସ୍ୱଚ୍ଛ ଓ ନିରପେକ୍ଷ ହୋଇପାରିବ। ଅନ୍ତର୍ଜାତୀୟ ସ୍ତରରେ ସିବିଆଇର ଯେଉଁ ସୁନାମ ଓ ଭାବମୂର୍ତ୍ତି ରହିଥିଲା ସରକାର ତାହାକୁ କ୍ଷୁଣ୍ଣ ହେବାକୁ ଦେବେ ନାହିଁ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଜେଟଲି। ତେବେ, ବର୍ତ୍ତମାନ ଯେଉଁଟି ହେଉଛି ବଡ଼ ପ୍ରଶ୍ନ; ତା’ହେଲା ସିବିଆଇ ବନାମ ସିବିଆଇ ପ୍ରସଙ୍ଗରେ ତଦନ୍ତ କରିବ କିଏ? ଏବଂ କାହା ବିରୋଧରେ? ଏପ୍ରଶ୍ନ କିନ୍ତୁ ରହି ଯାଇଛି ଅନୁତ୍ତରିତ ହୋଇ।
CBI चीफ आलोक वर्मा राफेल घोटाले के कागजात इकट्ठा कर रहे थे। उन्हें जबरदस्ती छुट्टी पर भेज दिया गया।
प्रधानमंत्री का मैसेज एकदम साफ है जो भी राफेल के इर्द गिर्द आएगा- हटा दिया जाएगा, मिटा दिया जाएगा।
देश और संविधान खतरे में हैं।
— Rahul Gandhi (@RahulGandhi) October 24, 2018
ଅନ୍ୟପକ୍ଷରେ ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସିବିଆଇରେ ଚାଲିଥିବା ସିବିଆଇ ବନାମ ସିବିଆଇ ବିବାଦ ଉପରେ ମନ୍ତବ୍ୟ ଦେବାକୁ ଯାଇ କହିଛନ୍ତି ଯେ ରାଫେଲ୍ ଦୁର୍ନୀତି ପ୍ରସଙ୍ଗରେ ଯିଏ ବି ଆଗକୁ ଆସୁଛି ତାକୁ ମୋଦି ସରକାର ରାସ୍ତାରୁ ହଟାଇ ଦେଉଛନ୍ତି।