ପୁଲିସ-ସିବିଆଇ ବିବାଦ : ମେଟ୍ରୋ ଷ୍ଟେସନ ଆଗରେ ଧାରଣାରେ ବସିଲେ ମମତା, ସିବିଆଇ ଅଫିସ ସୁରକ୍ଷାରେ ସିଆରପିଏଫ୍

କୋଲକାତା : ପଶ୍ଚିମବଙ୍ଗରେ ରାଜ୍ୟ ପୁଲିସ୍ ଓ ସିବିଆଇ ମୁହାଁମୁହିଁ  । କୋଲକାତା ପୁଲିସ କମିସନର ରାଜୀବ କୁମାରଙ୍କୁ ଗିରଫ କରିବାକୁ ଯାଇ ହଟହଟା ହୋଇଛି ସିବିଆଇ । ପୁଲିସ କମିସନରଙ୍କୁ ଗିରଫ ଲାଗି ଓ୍ୱାରେଣ୍ଟ ନ ଥିବା ହେତୁ ୫  ସିବିଆଇ ଅଫିସରଙ୍କୁ ଅଟକ ରଖିଥିଲା ପଶ୍ଚିମବଙ୍ଗ ପୋଲିସ । ତେଣେ ପୁଲିସ କମିସନରଙ୍କ ଗିରଫ ବିରୋଧରେ ବାହାରିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ।  ସମ୍ବିଧାନ ବଞ୍ଚାଇବାକୁ ମେଟ୍ରୋ ଷ୍ଟେସନ ଆଗରେ ଧାରଣାରେ ବସିଛନ୍ତି ମମତା ବାନାର୍ଜୀ । ସେପଟେ କୋଲକାତା ସିବିଆଇ ଅଫିସରେ ପହଞ୍ଚିଛନ୍ତି ସିଆରପିଏଫ ଯବାନ । ସିଆରପିଏଫ ସୁରକ୍ଷାରେ ରହିଛି ସିବିଆଇ ଅଫିସ। ଫଳରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଲଢେଇ ଚରମ ସୀମାରେ ପହଞ୍ଚିଛି।

ପୋଲିସ କମିସନର ରାଜୀବ କୁମାରଙ୍କୁ ଗିରଫ କରିବାକୁ ଯାଇ ହଟହଟା ହୋଇଥିଲେ ସିବିଆଇ ଅଧିକାରୀ । ଏହା ପରେ ୫ ଜଣ ସିବିଆଇ ଅଫିସରଙ୍କୁ ଅଟକ ରଖିଥିଲା ପଶ୍ଚିମବଙ୍ଗ ପୋଲିସ । ଗୋଟିଏ ପଟେ ମେଟ୍ରୋ ଷ୍ଟେସନ ଆଗରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଧାରଣାରେ ବସିଥିବା ବେଳେ ଏପଟେ କୋଲକାତାର ସିଜିଓ କମ୍ଲେକ୍ସରେ ଥିବା ସିବିଆଇ ଅଫିସର ସୁରକ୍ଷା ପାଇଁ ମୁତୟନ ହୋଇଛନ୍ତି ସିଆରପିଏଫ ଯବାନ ।

କୋଲକାତା ପୁଲିସ କମିସନରଙ୍କ ଘରକୁ ଚିଟଫଣ୍ଡ ଦୁର୍ନୀତି ମାମଲାର ତଦନ୍ତ କରିବାକୁ ଆସିଥିଲା ସିବିଆଇ । ହେଲେ କୋଲକାତା ପୁଲିସ କମିସନରଙ୍କ ଘରକୁ ଘେରାବନ୍ଦୀ କରି ୫ ସିବିଆଇ ଅଧିକାରୀଙ୍କୁ ଅଟକ ରଖିଥିବା ସୂଚନା ମିଳିଛି । ସାମ୍ବିଧାନିକ ସଂସ୍ଥାକୁ ବିରୋଧ କରିବା ପରଂପରା ଦେଶର ଅନ୍ୟ କୌଣସିଠାରେ ଦେଖିବାକୁ ମିଳି ନ ଥିଲା ।

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମଧ୍ୟରେ ଥିବା ତିକ୍ତତା ସାରା ଦେଶକୁ ଜଣା । କିଛି ଦିନ ତଳେ ସିବିଆଇକୁ ପଶ୍ଚିମବଙ୍ଗକୁ ପୁରାଇ ଦେବ ନାହିଁ ବୋଲି ଘୋଷଣା କରିଥିଲେ ମମତା । ଯାହାକୁ ଆଜି କାର୍ଯ୍ୟକାରୀ କରିଛନ୍ତି ଓ ଏବେ ପଶ୍ଚିମବଙ୍ଗରେ ଏକ ପଲଟିକାଲ ହାଇଡ୍ରାମା ଦେଖିବାକୁ ମିଳିଛି । କୋଲକାତା ପୁଲିସ ସିବିଆଇ ଅଧିକାରୀଙ୍କୁ ଗିରଫ କରିବା ସାରା ଦେଶରେ ହଇଚଇ ସୃଷ୍ଟି କରିଛି ।

ସମ୍ବନ୍ଧିତ ଖବର